ଦାରିଙ୍ଗବାଡ଼ି, ୨୪।୧୦ (ଅରୁଣ ସାହୁ): ଡାକ୍ତର ହେବାର ସ୍ୱପ୍ନ ଦେଖିଥିବା ଜଣେ ମେଧାବୀ ଛାତ୍ରଙ୍କୁ ସହାୟତାର ହାତ ବଢ଼ାଇଛନ୍ତି ଦାରିଙ୍ଗବାଡ଼ି ବିଡିଓ ପ୍ରୀତିରଞ୍ଜନ ରଥ। ନିଜ ଦରମାରୁ ୧୦ ହଜାର ଟଙ୍କା ସହାୟତା ଦେବା ସହ ଛାତ୍ରଙ୍କ ଫାଇନାଲ ସେମିଷ୍ଟର ପର୍ଯ୍ୟନ୍ତ ହଷ୍ଟେଲ ଓ ଖାଦ୍ୟ ଖର୍ଚ୍ଚ ବହନ କରିବାକୁ ସେ ପ୍ରତିଶ୍ରୁତି ଦେଇଛନ୍ତି। ବିଡିଓଙ୍କ ଏହି ମହତ୍ ପଦକ୍ଷେପକୁ ନେଇ ସମଗ୍ର ଅଞ୍ଚଳରେ ପ୍ରଶଂସା କରାଯାଉଛି। ଲୋକଙ୍କ ମୁହଁରେ ଏବେ ଗୋଟିଏ କଥା, ‘ବିଡିଓ ହେବ ତ ଏମିତି’।
କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ ସରାମୁଳି ପଞ୍ଚାୟତ ଅନ୍ତର୍ଗତ ଧୁସାରିଗାଁର ସୁଶାନ୍ତ ସୁନାମାଝି ନିଟ୍ (NEET) ପରୀକ୍ଷାରେ କୃତକାର୍ଯ୍ୟ ହୋଇ ଯାଜପୁର ଜିଲ୍ଲାର ମହାରାଜା ଯଯାତି କେଶରୀ ସରକାରୀ ମେଡିକାଲ କଲେଜରେ ନାମ ଲେଖାଇଛନ୍ତି। ତେବେ ଆର୍ଥିକ ଅନଟନ ଯୋଗୁ ତାଙ୍କ ପାଠପଢ଼ା ଓ ରହିବା ଖର୍ଚ୍ଚ ତୁଲାଇବା ପରିବାର ପାଇଁ କଷ୍ଟକର ହୋଇପଡ଼ିଛି।
ସୂଚନା ଅନୁଯାୟୀ, ସୁଶାନ୍ତଙ୍କ ମେଡିକାଲ କଲେଜରେ ନାମ ଲେଖାଇବା ପାଇଁ ତାଙ୍କ ବାପା ଓ ମାଆ ନିଜର ବାର୍ଦ୍ଧକ୍ୟ ଭତ୍ତା କାର୍ଡ ବନ୍ଧକ ରଖି ୨୨ ହଜାର ଟଙ୍କା ଯୋଗାଡ଼ କରିଥିଲେ। ଏ ସମ୍ପର୍କରେ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସହାୟତା ପାଇଁ ପଦକ୍ଷେପ ନିଆଯାଇଛି।
ଶୁକ୍ରବାର କନ୍ଧମାଳ ଜିଲ୍ଲାପାଳ ବେଦ ଭୂଷଣଙ୍କ ନିର୍ଦ୍ଦେଶକ୍ରମେ ଦାରିଙ୍ଗବାଡ଼ି ତହସିଲଦାର ଧୀରଜ ପାତ୍ର ସୁଶାନ୍ତଙ୍କୁ ରେଡ୍କ୍ରସ ପାଣ୍ଠିରୁ ୩୦ ହଜାର ଟଙ୍କା ସହାୟତା ପ୍ରଦାନ କରିଥିଲେ। ଏହାପରେ ଶନିବାର ସୁଶାନ୍ତ ନିଜ ପରିବାର ସଦସ୍ୟଙ୍କ ସହ ଦାରିଙ୍ଗବାଡ଼ି ବିଡିଓ ପ୍ରୀତିରଞ୍ଜନ ରଥଙ୍କ ସରକାରୀ ପ୍ରକୋଷ୍ଠରେ ପହଞ୍ଚିଥିଲେ।
ସେଠାରେ ବିଡିଓ ନିଜ ଦରମାରୁ ୧୦ ହଜାର ଟଙ୍କା ସୁଶାନ୍ତଙ୍କୁ ସହାୟତା ଭାବେ ପ୍ରଦାନ କରିଥିଲେ। ଏଥିସହ ତାଙ୍କର ଫାଇନାଲ ସେମିଷ୍ଟର ପର୍ଯ୍ୟନ୍ତ ପ୍ରତି ମାସର ହଷ୍ଟେଲ ଓ ଖାଦ୍ୟ ଖର୍ଚ୍ଚ ନିଜ ଦରମାରୁ ବହନ କରିବେ ବୋଲି କହିଥିଲେ। ଏହି ଖର୍ଚ୍ଚ ପାଇଁ ଆଉ ଚିନ୍ତା ନ କରି ପାଠପଢ଼ାରେ ମନୋନିବେଶ କରିବାକୁ ବିଡିଓ ସୁଶାନ୍ତଙ୍କୁ ପରାମର୍ଶ ଦେଇଥିଲେ।
ଜଣେ ମେଧାବୀ ଛାତ୍ରଙ୍କ ଡାକ୍ତର ହେବାର ସ୍ୱପ୍ନ ପୂରଣ ପାଇଁ ବିଡିଓଙ୍କ ଏହି ଉଦାରତାକୁ ଅଞ୍ଚଳବାସୀ ସ୍ୱାଗତ କରିଛନ୍ତି। ଆର୍ଥିକ ସମସ୍ୟା ଯୋଗୁ ଯେପରି ସୁଶାନ୍ତଙ୍କ ପାଠପଢ଼ାରେ ବାଧା ନ ଉପୁଜେ, ସେଥିପାଇଁ ଜିଲ୍ଲା ପ୍ରଶାସନ ଓ ବ୍ଲକ ପ୍ରଶାସନର ଏହି ସହଯୋଗ ତାଙ୍କ ପରିବାରକୁ ଆଶ୍ୱସ୍ତି ଦେଇଛି।