ଲୋଇସିଂହା,୭ା୧(ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ୍ ଅଧୀନ କୁଶଙ୍ଗ ଡିଗ୍ରୀ କଲେଜର ଅତିରିକ୍ତ ଶ୍ରେଣୀଗୃହ ନିର୍ମାଣରେ ଅନିୟମିତା ହୋଇଥିବା ନେଇ କଲେଜ କର୍ତ୍ତୃପକ୍ଷ ବିଡିଓଙ୍କ ନିକଟରେ ଲିଖିତ ଅଭିଯୋଗ କରିଥିଲେ। ମଙ୍ଗଳବାର ବିଡିଓ ଅକ୍ଷୟ ପାଣି ଉଦ୍ଦୁ, ବ୍ଲକ୍ ସହକାରୀ ଯନ୍ତ୍ରୀ ସିଦ୍ଧାର୍ଥ ପାଢୀ କ୍ଷେତ୍ର ପରିଦର୍ଶନ କରି ତଦନ୍ତ କରିଥିଲେ। ବିନା ସୂଚନା ଫଳକରେ କୋଠା କାମ ଚାଲିଛି। ଉକ୍ତ କାମରେ ଅନିୟମିତତା ହେଉଥିବା ନେଇ ସ୍ଥାନୀୟ ଲୋକେ ଓ ଅଭିଭାବକ ଅଭିଯୋଗ କରିବା ସହ ଅଧିକାରୀଙ୍କ ଉପରେ ଅସନ୍ତୋଷ ପ୍ରକାଶ କରିଥିଲେ।
ମିଳିଥିବା ସୂଚନା ଅନୁଯାୟୀ, ୧୯୯୪ ମସିହାରେ କଳା ବିଭାଗରେ ଉକ୍ତ ଡିଗ୍ରୀ କଲେଜ ପ୍ରତିଷ୍ଠା ହୋଇଥିଲା ା ବର୍ତ୍ତମାନ କଲେଜରେ ୫୪୦ରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର ଅଧ୍ୟୟନ କରୁଛନ୍ତି। ଶିକ୍ଷାଦାନ ପାଇଁ ୮ଟି ଶ୍ରେଣୀଗୃହ ରହିଛି। ସେଥିମଧ୍ୟରୁ ୩ଟି ପୁରୁଣା ଆଜବେଷ୍ଟସ ଗୃହ ବିପଦସଙ୍କୁଳ ଅବସ୍ଥାରେ ରହିଛି। ଆବଶ୍ୟକ ଶ୍ରେଣୀଗୃହ ପାଇଁ ଛାତ୍ରୀଛାତ୍ର, ଅଭିଭାବକ, କଲେଜ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଜିଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କ ନିକଟରେ ଦାବି ହୋଇଥିଲା। ଏହିକ୍ରମରେ ଚଳିତ ଆର୍ଥିକ ବର୍ଷରେ ଦୁଇଟି ଅତିରିକ୍ତ ଶ୍ରେଣୀଗୃହ ପାଇଁ ଅନୁଦାନ ଅନୁମୋଦନ ହୋଇ କାମ ଚାଲିଛି। କୁଆଡେ ୩୦ ଲକ୍ଷ ଟଙ୍କା ବ୍ୟୟରେ ଶ୍ରେଣୀଗୃହ ନିର୍ମାଣ ହେଉଛି। ହେଲେ କାମ ଆରମ୍ଭରୁ ଅନିୟମିତା ହୋଇଥିବା ଅଭିଯୋଗ ହୋଇଛି। କୋଠାର ପିଲର ପିଲର ମଧ୍ୟରେ ଟେଢାମେଢାରେ ନିର୍ମାଣ ହୋଇଛି ା ଏହାଛଡ଼ା କୋଠା ବର୍ଗାକାର ଦେଖା ନ ଯାଇ ଅସମାନତା ଦେଖାଯାଉଛି। ସରକାରୀ ଅନୁଦାନରେ ମନମାନୀ କାମକୁ ନେଇ ସ୍ଥାନୀୟ ଅଧିବାସୀ ଓ ଅଭିବାବକମାନେ କଲେଜ ଅଧ୍ୟକ୍ଷଙ୍କ ନିକଟରେ ଅସନ୍ତୋଷ ଜାହିର କରିଥିଲେ। ଏହାପରେ ଅଧ୍ୟକ୍ଷ ବିଜୟ କଲେତ ଉକ୍ତ କୋଠା କାମରେ ଅନିୟମିତତା ଉପରେ ଅନୁଧ୍ୟାନ ପାଇଁ ବିଡିଓଙ୍କୁ ଲିଖିତ ଭାବେ ଜଣାଇଥିଲେ। ଏନେଇ କଲେଜ ଅଧ୍ୟକ୍ଷ କହିଛନ୍ତି, ବିଲମ୍ବ ହେଲେ ମଧ୍ୟ ମଙ୍ଗଳବାର ବିଡିଓ ଏବଂ ସହକାରୀ ଯନ୍ତ୍ରୀ କ୍ଷେତ୍ର ପରିଦର୍ଶନ କରିଥିଲେ। ତେବେ ଏହା ପୂର୍ବରୁ ଦାୟିତ୍ୱରେ ଥିବା ଯନ୍ତ୍ରୀ କ୍ଷେତ୍ରକୁ ଆସି ଯେଉଁସବୁ ଅଭିଯାଗ ହୋଇଥିଲା, ସେସବୁ ଭାଙ୍ଗି ପୁନର୍ବାର ନିର୍ମାଣ କରିଥିବା କହିଥିଲେ। ତେବେ ମଙ୍ଗଳବାର ସକାଳେ ଅଧ୍ୟକ୍ଷଙ୍କୁ ପଚାରିବାରୁ ସେ କହିଥିଲେ, ବିଡିଓ ଏବଂ ସହକାରୀ ଯନ୍ତ୍ରୀଙ୍କ ପରିଦର୍ଶନ ପୂର୍ବରୁ ଦାୟିତ୍ୱରେ ଥିବା ଯନ୍ତ୍ରୀ କ୍ଷେତ୍ରକୁ ଆସି ଯେଉଁସବୁ ଅଭିଯାଗ ହୋଇଥିଲା, ସେସବୁକୁ ଭାଙ୍ଗି ପୁନର୍ବାର ନିର୍ମାଣ କରିଥିବା କହିଥିଲେ। ଅପରପକ୍ଷେ ଅଧ୍ୟକ୍ଷ କୌଣସି ଚାପର ବସବର୍ତ୍ତୀ ହୋଇ ଏଭଳି ମନ୍ତବ୍ୟ ଦେଇଥିବା ସ୍ଥାନୀୟ ଅଧିବାସୀ କହିଛନ୍ତି। ଏ ସମ୍ପର୍କରେ ବ୍ଲକ୍ ସହକାରୀ ଯନ୍ତ୍ରୀ ସିଦ୍ଧାର୍ଥ ପାଢ଼ୀ କହିଛନ୍ତି, ମଙ୍ଗଳବାର ବିଡିଓଙ୍କ ସହ କ୍ଷେତ୍ର ପରିଦର୍ଶନ କରିଥିଲି। ଅଭିଯୋଗକୁ ଖଣ୍ଡନ କରିବା ସହ ଏହା ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି କହିଥିଲେ।


