Categories: Home Leftଖେଳ

ଖେଳାଳିଙ୍କ ଗର୍ଲଫ୍ରେଣ୍ଡ ପାଇଁ ବିସିସିଆଇ ଆଣିବ କଡ଼ା ଗାଇଡ୍‌ଲାଇନ

ମୁମ୍ୱାଇ,୫ା୫: ଚଳିତ ଆଇପିଏଲ୍‌ରେ କିଛି ନିର୍ଦ୍ଦିଷ୍ଟ ଖେଳାଳି ସେମାନଙ୍କ ଗର୍ଲଫ୍ରେଣ୍ଡ ସହ ସର୍ୱସାଧାରଣରେ ନଜର ଆସିବା ଘଟଣା ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)କୁ କ୍ଷୁବ୍ଧ କରିଛି। ହାର୍ଦ୍ଦିକ ପାଣ୍ଡ୍ୟା, ଯଶସ୍ୱୀ ଜୟସ୍ୱାଲ, ଇଶାନ କିଶନ, ଅର୍ଶଦୀପ ସିଂଙ୍କ ଭଳି କିଛି ଖେଳାଳି ସେମାନଙ୍କ ପାର୍ଟନରଙ୍କ ସହ ଟିମ ବସ୍‌ରେ ନିୟମିତ ଟ୍ରାଭେଲ କରୁଛନ୍ତି। ଏପରି କି ସେମାନେ ଦଳୀୟ ହୋଟେଲରେ ରହୁଛନ୍ତି। ପରିଣାମ ସ୍ୱରୂପ ବିସିସିଆଇ ଟି୨୦ ଲିଗ୍‌ରେ ବର୍ତ୍ତମାନ ଚାଲିଥିବା ଗର୍ଲଫ୍ରେଣ୍ଡ ଟ୍ରେଣ୍ଡକୁ ବନ୍ଦ କରିବା ପାଇଁ ନିୟମ ପ୍ରସ୍ତୁତ କରୁଛି।

ଦେଶର ଅଗ୍ରଣୀ ଖବରକାଗଜରେ ପ୍ରକାଶ ପାଇଥିବା ଏକ ରିପୋର୍ଟ ମୁତାବକ, କିଛି ଖେଳାଳିଙ୍କ ଗର୍ଲଫ୍ରେଣ୍ଡଙ୍କର ଇନଫ୍ଲୁଏନ୍ସର ଷ୍ଟାଟସ୍‌କୁ ନେଇ ବିସିସିଆଇ ଚିନ୍ତିତ ଅଛି। କାରଣ ସେମାନଙ୍କ ମଧ୍ୟରୁ କିଛି ପୂର୍ୱରୁ ସୋସିଆଲ ମିଡିଆରେ ବେଟିଂ ଆପ୍ସର ପ୍ରଚାର କରୁଥିଲେ। ଗତ କିଛି ବର୍ଷରେ ଖେଳାଳି ଓ ସେମାନଙ୍କ ପାର୍ଟନରଙ୍କ ମଧ୍ୟରେ ବିବାଦ ସାମ୍ନାକୁ ଆସିଛି। କିଛି କ୍ଷେତ୍ରରେ ମହିଳା ସାଥି ଥାନାରେ ଅଭିଯୋଗ ମଧ୍ୟ କରିଛନ୍ତି, ଯାହାକି ଉଭୟ ଲିଗ୍‌ ଓ ବୋର୍ଡର ଛବିକୁ ଖରାପ କରିପାରେ।

ଏ ସମ୍ପର୍କରେ ବିସିସିଆଇର ଜଣେ ଉଚ୍ଚ ପଦାଧିକାରୀ କହିଛନ୍ତି, ଯଦି ଏହି ଟ୍ରେଣ୍ଡକୁ ରୋକା ନ ଯାଏ, ତେବେ ଏହା ଭବିଷ୍ୟତରେ ବଡ଼ ସମସ୍ୟାର ରୂପ ନେଇପାରେ। ଟିମ୍‌ ବସ୍‌କୁ ଖେଳାଳିଙ୍କ ଗର୍ଲଫ୍ରେଣ୍ଡ ପାଇଁ ରୋକାଯିବାର ଅନେକ ଉଦାହରଣ ସାମ୍ନାକୁ ଆସିଛି। ମହିଳା ପାର୍ଟନରମାନେ ଖେଳାଳିଙ୍କ ହୋଟେଲରେ ରହୁଛନ୍ତି। କିଛି ଆଣ୍ଟି-କରପ୍‌ସନ ୟୁନିଟ୍‌ (ଏସିୟୁ) ଅଧିକାରୀ ଖେଳାଳିଙ୍କୁ ସେମାନଙ୍କ ପାର୍ଟନରଙ୍କୁ ରହିବାକୁ ଅନୁମତି ଦେଉଛନ୍ତି। କାରଣ ସେମାନେ ନିଜକୁ ଅଫିସିଆଲ ପାର୍ଟନର କହୁଛନ୍ତି। ମୋତେ ଜଣା ନାହିଁ ଅଫିସିଆଲ ପାର୍ଟନର ନିୟମ କେଉଁଠାରୁ ଆସିଛି। ବିସିସିଆଇ ନୀତିରେ ସେଭଳି କୌଣସି ବ୍ୟବସ୍ଥା ନାହିଁ। ଆମେ କେବଳ ସ୍ତ୍ରୀ ଓ ପରିବାର ସଦସ୍ୟଙ୍କୁ ନିର୍ଦ୍ଦିଷ୍ଟ ଗାଇଡ୍‌ଲାଇନରେ ଅନୁମତି ଦେଉ।

ଖେଳାଳିଙ୍କ କିଛି ପାର୍ଟନର ସୋସିଆଲ ମିଡିଆରେ ଜଣାଶୁଣା ଇନଫ୍ଲୁଏନ୍ସର ହୋଇଥିବାରୁ ବୋର୍ଡ ସମ୍ୱେଦନଶୀଳ ଖବର ଦୁର୍ଘଟଣା ବଶତଃ ଲିକ୍‌ ହେବାର ସମ୍ଭାବନାକୁ ନେଇ ଚିନ୍ତିତ ଅଛି। ବିସିସିଆଇ ପରବର୍ତ୍ତୀ ବୈଠକରେ ଏ ବିଷୟରେ ଆଲୋଚନା କରିବା ସହ କଡ଼ା ଗାଇଡ୍‌ଲାଇନ ଜାରି କରିବ। ଏହି ନିୟମ କେବଳ ଆଇପିଏଲ୍‌ ନୁହେଁ, ବରଂ ଭାରତୀୟ ଦଳର ଇଣ୍ଟରନ୍ୟାଶନାଲ ଟୁରରେ ଲାଗୁ କରାଯିବ। ଆଇପିଏଲ୍‌ ଦଳଗୁଡ଼ିକ ବ୍ୟକ୍ତିଗତ ମାଲିକାନାରେ ଥିବାରୁ ବିସିସିଆଇ ସମସ୍ତ ଫ୍ରାଞ୍ଚାଇଜ ପାଇଁ ଏକ କେନ୍ଦ୍ରୀୟ ନିୟମ ଆଣିବାକୁ ଯୋଜନା କରୁଛି।

 

Share