Categories: ଖେଳ

ଭାରତୀୟ ଦଳକୁ ଫେରିଲେ ଧୋନୀ

ନୂଆଦିଲ୍ଲୀ,୮।୯: ଭାରତୀୟ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି ଅନ୍ତର୍ଜାତୀୟ କ୍ରିକେଟର ସବୁଠୁ ସଫଳ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ। ତେବେ ଏଥର ଖେଳାଳି ଭାବେ ନୁହେଁ। ସପୋର୍ଟ ଷ୍ଟାଫର ସଦସ୍ୟ ଭାବେ ଧୋନୀ ଟିମ୍‌ ଇଣ୍ଡିଆର ଡ୍ରେସିଂ ରୁମ୍‌ରେ ଉପସ୍ଥିତ ରହିବେ। ଆସନ୍ତା ଅକ୍ଟୋବରରେ ହେବାକୁ ଯାଉଥିବା ଟି୨୦ ବିଶ୍ୱକପ୍‌ ଲାଗି ଘୋଷିତ ଟିମ୍‌ ଇଣ୍ଡିଆର ମେଣ୍ଟର ଦାୟିତ୍ୱ ଧୋନୀଙ୍କୁ ଦିଆଯାଇଛି। ବିସିସିଆଇର ଏଭଳି ନିଷ୍ପତ୍ତି କ୍ରିକେଟର ପ୍ରଶଂସକଙ୍କୁ ଚକିତ କରି ଦେଇଛି, କହିଲେ ଭୁଲ ହେବ ନାହିଁ।

ପୂର୍ବତନ ଭାରତୀୟ ଅଧିନାୟକ ଧୋନୀ ମେଣ୍ଟର ଭାବେ ଟି୨୦ ବିଶ୍ୱକପ୍‌ ଦଳ ସହ ରହିବେ ବୋଲି ବିସିସିଆଇ ସମ୍ପାଦକ ଜୟ ଶାହ ଘୋଷଣା କରିଛନ୍ତି। ‘ମୁଁ ତାଙ୍କ ସହ କଥା ହୋଇଛି। ସେ ମେଣ୍ଟର ଭାବେ ଭାରତୀୟ ଦଳ ସହ ରହିବାକୁ ରାଜି। ଏ ସମ୍ପର୍କରେ ମୁଁ ସମସ୍ତଙ୍କ ସହ ଆଲୋଚନା କରିଥିଲି। ସେମାନେ ମୋ ସହ ଏକମତ। ଅଧିନାୟକ ବିରାଟ କୋହଲି ଓ ଉପ ଅଧିନାୟକ ରୋହିତ ଶର୍ମାଙ୍କ ସମେତ ଦଳର ପ୍ରତ୍ୟେକ ସଦସ୍ୟଙ୍କ ସହ କଥା ହୋଇଥିଲି, ସମସ୍ତେ ରାଜି’ ବୋଲି ଶାହ କହିଛନ୍ତି।

ବିସିସିଆଇ ୧୫ ଜଣିଆ ଭାରତୀୟ ଦଳ ସହ ୩ ଷ୍ଟାଣ୍ଡବାଇ ଖେଳାଳିଙ୍କ ନାମ ଘୋଷଣା କରିଛି। ଏଥିରେ ଶ୍ରେୟାସ ଆୟାର, ଶାର୍ଦ୍ଦୁଳ ଠାକୁର ଓ ଦୀପକ ଚହର ରହିଛନ୍ତି।

Share