Categories: Home Middleଖେଳ

ହାର୍ଦ୍ଦିକ-ଅର୍ଶଦୀପଙ୍କ ଟ୍ରେଡ୍‌ ଡିଲ୍‌ ଉପରେ ମୋହର ଲଗାଇଲା BCCI: ହୋଇଗଲା କନଫର୍ମ! ଏହି ଦଳକୁ ଯିବେ ଦୁହେଁ…

ନୂଆଦିଲ୍ଲୀ,୧୦।୧୧: ଆଇପିଏଲ ଇତିହାସର ସବୁଠାରୁ ବଡ଼ ଟ୍ରେଡ୍‌ ଡିଲ ଉପରେ ଲାଗିଛି ଆଧିକାରିକ ମୋହର। ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ଅର୍ଶଦୀପ ସିଂହଙ୍କ ଟ୍ରେଡ୍‌ ଡିଲକୁ ବିସିସିଆଇ ମଞ୍ଜୁରି ଦେଇଛି। ଏକ ଗଣମାଧ୍ୟମ ରିପୋର୍ଟରୁ ଏହି ଖବର ସାମ୍ନାକୁ ଆସିଛି। ରିପୋର୍ଟରେ ବିସିସିଆଇ ଏବଂ ଫ୍ରାଞ୍ଚାଇଜିର ଆଭ୍ୟନ୍ତରୀଣ ସୂତ୍ରକୁ ଉଦ୍ଧୃତ କରି କୁହାଯାଇଛି ଯେ, ଏହି ଡିଲକୁ ଔପଚାରିକ ଭାବେ ମଞ୍ଜୁରି ମିଳିସାରିଛି। ଏବେ ଯେକୌଣସି ସମୟରେ ଏହାର ଆଧିକାରିକ ଘୋଷଣା ହୋଇପାରେ। ରିପୋର୍ଟ ଅନୁସାରେ, ମଧ୍ୟାହ୍ନ ସମୟରେ ଏହି ଡିଲକୁ ମଞ୍ଜୁରି ମିଳିଥିଲା ଏବଂ ବିସିସିଆଇ ପକ୍ଷରୁ ଉଭୟ ଫ୍ରାଞ୍ଚାଇଜିକୁ ଏନେଇ ଔପଚାରିକ ଭାବେ ସୂଚନା ଦିଆଯାଇଛି।

ରିପୋର୍ଟ ଅନୁସାରେ, ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ଅର୍ଶଦୀପ ସିଂହଙ୍କ ଟ୍ରେଡ୍‌ ଡିଲକୁ ସବୁଜ ସଙ୍କେତ ମିଳିଛି। ଏହା ସହ ଉଭୟ ଖେଳାଳିଙ୍କ ପାରିଶ୍ରମିକ ବା ଦରମାରେ କୌଣସି ପରିବର୍ତ୍ତନ ହୋଇନଥିବା ମଧ୍ୟ ରିପୋର୍ଟରେ ସ୍ପଷ୍ଟ କରାଯାଇଛି। ପଞ୍ଜାବ କିଙ୍ଗ୍ସରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ପୂର୍ବଭଳି ୧୬.୩୫ କୋଟି ଟଙ୍କା ମିଳିବ। ସେହିପରି ମୁମ୍ବାଇ ଇଣ୍ଡିଆନ୍ସରେ ଅର୍ଶଦୀପ ସିଂହଙ୍କୁ ୧୮ କୋଟି ଟଙ୍କା ମିଳିବ।

ପ୍ରାୟ ଏକ ସପ୍ତାହ ପୂର୍ବରୁ ଏହି ଡିଲ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ତେବେ ଏଥିରେ ସାମିଲ ଖେଳାଳିମାନେ ଆବଶ୍ୟକ କାଗଜପତ୍ରରେ ଦସ୍ତଖତ କରିବାରେ ସମୟ ନେଇଥିବାରୁ ଡିଲରେ ବିଳମ୍ବ ହୋଇଥିବା କୁହାଯାଉଛି। ନିଜ ନିଜ ଫ୍ରାଞ୍ଚାଇଜି ସହ ଆଗାମୀ ଆଲୋଚନା ପରେ ଖେଳାଳିମାନେ ଶେଷରେ ଏହି ଡିଲ ପାଇଁ ରାଜି ହୋଇଥିଲେ। ଏହାପରେ ଉଭୟ ଫ୍ରାଞ୍ଚାଇଜି ବିସିସିଆଇ ନିକଟରେ ନିଜର ଆଗ୍ରହ ପ୍ରକାଶ କରିଥିଲେ।

ତେବେ ଏବେ ସବୁଠାରୁ ରୋଚକ ପ୍ରଶ୍ନ ହେଉଛି, ହାର୍ଦ୍ଦିକ ପାଣ୍ଡ୍ୟା ପଞ୍ଜାବ କିଙ୍ଗ୍ସ ପକ୍ଷରୁ ଅଧିନାୟକ ଭାବେ ଖେଳିବେ ନା ଜଣେ ଖେଳାଳି ଭାବେ ଦଳରେ ସାମିଲ ହେବେ? ଏହା ଉପରେ ସମସ୍ତଙ୍କ ନଜର ରହିଛି। ବର୍ତ୍ତମାନ ପଞ୍ଜାବ କିଙ୍ଗ୍ସର ଅଧିନାୟକ ହେଉଛନ୍ତି ଶ୍ରେୟସ ଆୟର, ଯିଏ ଭାରତୀୟ ଟି-୨୦ ଦଳର ମଧ୍ୟ ଅଧିନାୟକ ଅଛନ୍ତି। ଏଭଳି ସ୍ଥିତିରେ ପଞ୍ଜାବ କିଙ୍ଗ୍ସ ଶ୍ରେୟସଙ୍କ ସ୍ଥାନରେ ହାର୍ଦ୍ଦିକଙ୍କୁ ଅଧିନାୟକ ଦାୟିତ୍ୱ ଦେବା ସମ୍ଭାବନା କମ୍‌ ଥିବା ମନେ ହେଉଛି। ତେଣୁ ହାର୍ଦ୍ଦିକ ଜଣେ ଖେଳାଳି ଭାବେ ହିଁ ପଞ୍ଜାବ କିଙ୍ଗ୍ସ ପାଇଁ ଖେଳିପାରନ୍ତି।

 

 

Dharitri – Odisha’s No.1 Odia Daily

Share