Categories: ଖେଳ

୩୬ ହଜାର କୋଟି ଆୟ କରିପାରେ ବିସିସିଆଇ

ନୂଆଦିଲ୍ଲୀ, ୨୧ା୧୦: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ୨୦୨୩ରୁ ୨୦୨୭ ମଧ୍ୟରେ ଆଇପିଏଲ୍‌ (ଇଣ୍ଡିଆନ ପ୍ରିମିୟର ଲିଗ୍‌)ର ପ୍ରସାରଣ ଅଧିକାର ବାବଦରୁ ୫ ବିଲିୟନ ଆମେରିକୀୟ ଡଲାର ଆୟ କରିବାକୁ ଆଶା ରଖିଛି। ଆଇପିଏଲ୍‌ରେ ସାମିଲ ହେବାକୁ ଥିବା ଦୁଇଟି ନୂଆ ଦଳ ପାଇଁ କେତେକ ହାଇପ୍ରୋଫାଇଲ ବ୍ୟକ୍ତି ତଥା କମ୍ପାନୀ ଆଗ୍ରହ ପ୍ରକାଶ କରିଛନ୍ତି।

ବର୍ତ୍ତମାନ ଆଇପିଏଲର ପ୍ରସାରଣ ଅଧିକାର ପାଇଥିବା ଷ୍ଟାର ଇଣ୍ଡିଆ ଆଗାମୀ ସଂସ୍କରଣର ମଧ୍ୟ ଲାଇଭ ଟେଲିକାଷ୍ଟ କରିବ। ଷ୍ଟାର ଇଣ୍ଡିଆ ୫ ବର୍ଷ ପାଇଁ ଆଇପିଏଲ୍‌ ପ୍ରସାରଣ ଅଧିକାରକୁ ୧୬, ୩୪୭.୫୦ କୋଟି (୨.୫୫ ବିଲିୟନ ଆମେରିକୀୟ ଡଲାର) ଟଙ୍କାରେ କିଣିଥିଲା। ଆଗାମୀ ୫ବର୍ଷ ପାଇଁ ବ୍ରଡ୍‌କାଷ୍ଟିଂ ସ୍ବତ୍ୱାଧିକାର ପ୍ରଦାନ ବାବଦରେ ବିସିସିଆଇ ୨ ଗୁଣାରୁ ଅଧିକ ଅର୍ଥାତ୍‌ ୫ ବିଲିୟନ ଡଲାର(ପ୍ରାୟ ୩୬,୦୦୦ କୋଟି) ପାଇପାରେ ବୋଲି ଅନୁମାନ କରାଯାଉଛି।

ଆଇପିଏଲ୍‌ରେ ଦଳ କିଣିବା ଲାଗି ଆମେରିକାର ଏକ ଜଣାଶୁଣା କମ୍ପାନୀ ଆଗ୍ରହ ପ୍ରକାଶ କରିଛି। ୨୦୨୨ରୁ ୧୦ଟି ଦଳକୁ ନେଇ ଆଇପିଏଲ୍‌ ଅନୁଷ୍ଠିତ ହେବ। ଫଳରେ ମ୍ୟାଚର ସଂଖ୍ୟା ୭୪କୁ ବୃଦ୍ଧି ପାଇବ। କୌଣସି କମ୍ପାନୀ ଆଇପିଏଲ୍‌ ସମ୍ପତ୍ତି କ୍ରୟ କରିବାକୁ ହେଲେ ଭାରତରେ ଏହାର ଶାଖା ରହିଥିବା ଆବଶ୍ୟକ। ବିସିସିଆଇ ଅକ୍ଟୋବର ୨୫ରେ ଦୁବାଇରେ ଟେଣ୍ଡର ପ୍ରକ୍ରିୟା ଆରମ୍ଭ କରିବ। ସେହିଦିନ ଦୁଇଟି ନୂଆ ଆଇପିଏଲ୍‌ ଦଳ ମଧ୍ୟ ଘୋଷଣା ହେବ। ବିସିସିଆଇ ଏଥର ଷ୍ଟାର ଇଣ୍ଡିଆ ଓ ସୋନିଠାରୁ ଲୋଭନୀୟ ବିଡ୍‌ ଆଶା କରୁଛି। ମାଞ୍ଚେଷ୍ଟର ୟୁନାଇଟେଡ୍‌ ମାଲିକ ଗ୍ଲେଜର ଫ୍ୟାମିଲି ଆଇପିଏଲ୍‌ ଦଳ କିଣିବା ପାଇଁ ଡକ୍ୟୁମେଣ୍ଟ ଦାଖଲ କରିଛି। ଜଣେ ସିନିୟର ଅଫିସିଆଲଙ୍କ ସୂଚନା ଅନୁସାରେ ଗ୍ଲେଜର ଫ୍ୟାମିଲି ହେଉଛନ୍ତି ମାଞ୍ଚେଷ୍ଟର ୟୁନାଇଟେଡ୍‌ର ମାଲିକ। ଅକ୍ଟୋବର ୨୦ରେ ସେମାନେ ବିଡ୍‌ ଦାଖଲ କରିଛନ୍ତି। ଆଇପିଏଲ ଟିମ୍‌ ବିଡିଂରୁ ବିସିସିଆଇ ୭୦୦୦ କୋଟି ଟଙ୍କାରୁ ୧୦,୦୦୦ କୋଟି ଟଙ୍କା ପର୍ଯ୍ୟନ୍ତ ଆୟ କରିବ ବୋଲି ଆଶା କରାଯାଉଛି।

Share