ଶଙ୍ଖ ଫୁଙ୍କିଲେ ଭୃଗୁ ବକ୍ସିପାତ୍ର

ଭୁବନେଶ୍ୱର,୩।୪: ବିଜେଡିରେ ଯୋଗ ଦେଲେ ଭୃଗୁ ବକ୍ସିପାତ୍ର । ଆଜି ସକାଳୁ ସକାଳୁ ଭାଜପା ଛାଡିଥିବାବେଳେ ଏବେ ବିଜେଡି ସାମିଲ୍‌ ହୋଇଛନ୍ତି। ଶହ ଶହ ସମର୍ଥକଙ୍କ ସହ ଆସି ଶଙ୍ଖ ଭବନରେ ବିଜେଡିରେ ଯୋଗ ଦେଇଛନ୍ତି ଭୃଗୁ । ବ୍ରହ୍ମପୁର ଏମପି ଚନ୍ଦ୍ରଶେଖର ସାହୁ, ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା, ଦୁଇ ରାଜ୍ୟସଭା ଏମପି ମାନସ ମଙ୍ଗରାଜ ଓ ସସ୍ମିତ ପାତ୍ରଙ୍କ ଉପସ୍ଥିତିରେ ସେ ବିଜେଡିରେ ଯୋଗ ଦେଇଛନ୍ତି । ଗତଥର ବ୍ରହ୍ମପୁରରୁ ଭାଜପାର ଏମପି ପ୍ରାର୍ଥୀ ଭାବେ ଲଢିଥିଲେ ଭୃଗୁ । କିନ୍ତୁ ଚଳିତଥର ଭାଜପା ତାଙ୍କୁ ଟିକେଟ ଦେଇ ନ ଥିଲା । ଏପରିକି ବ୍ରହ୍ମପୁର ବିଧାନସଭା ଆସନରୁ ମଧ୍ୟ ଭୃଗୁଙ୍କ ନାଁ ଘୋଷଣା ହୋଇ ନ ଥିଲା । ଯାହାକୁ ନେଇ ଭୃଗୁ ଅସନୁଷ୍ଟ ଥିଲେ ବୋଲି ଚର୍ଚ୍ଚା ହେଉଛି । ଯେଉଁଥିପାଇଁ ଆଜି ସକାଳେ ଭାଜପାରୁ ଇସ୍ତଫା ଦେଇଥିଲେ ।

ସକାଳେ ରାଜ୍ୟ ସଭାପତି ମନମୋହନ ସାମଲଙ୍କ ନିକଟରୁ ସେ ନିଜ ଇସ୍ତଫା ପତ୍ର ପଠାଇ ଥିଲେ। ଏହାପରେ ସେ ବିଜେଡିରେ ଯୋଗ ଦେବା ନେଇ ଚର୍ଚ୍ଚା ହେଉଥିଲା ଯାହାର ସେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି। ଅନୁମାନ କରାଯାଉଛି କି, ତାଙ୍କୁ ବ୍ରହ୍ମପୁରରୁ ଏମପି ପଦ ଦିଆଯାଇପାରେ।

ସୂଚନାଥାଉ କି,୨୦୧୯ ବ୍ରହ୍ମପୁର ଲୋକ ସଭା ଆସନ ଜିତିଥିଲେ ବିଜେଡିର ଚନ୍ଦ୍ରଶେଖର ସାହୁ। ଚନ୍ଦ୍ରଶେଖର ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ତଥା ଭାଜପାର ଭୃଗୁ ବକ୍ସିପାତ୍ରଙ୍କଠାରୁ ୯୪,୮୪୪ ଖଣ୍ଡ ଭୋଟରେ ବିଜୟୀ ହୋଇଥିଲେ। ଏହି ବିଜୟ ସହ ଚନ୍ଦ୍ରଶେଖର ଦ୍ୱିତୀୟ ଥର ପାଇଁ ବ୍ରହ୍ମପୁରର ଏମପି ଭାବେ ନିର୍ବାଚିତ ହୋଇଛନ୍ତି । ସେ ୨୦୦୪ରେ ପ୍ରଥମ ଥର ପାଇଁ କଂଗ୍ରେସରୁ ଲଢ଼ି ଏମପି ହୋଇଥିଲେ। କେନ୍ଦ୍ରର ଉପା ସରକାରରେ ମନ୍ତ୍ରୀ ମଧ୍ୟ ହୋଇଥିଲେ। ହେଲେ ୨୦୦୯ ଏବଂ ୨୦୧୪ ମସିହାରେ କଂଗ୍ରେସ ଟିକେଟରୁ ଲଢ଼ି ବିଜେଡି ସିଦ୍ଧାନ୍ତ ମହାପାତ୍ରଙ୍କଠାରୁ ପରାସ୍ତ ହୋଇଥିଲେ।