ବସୁଧା ଯୋଜନା ଫେଲ୍: ଝରଣା ପାଣି ଭରସା, ଭୋଟ ବର୍ଜନ ଚେତାବନୀ ଦେଲେ ଗ୍ରାମବାସୀ

ଥୁଆମୂଳ ରାମପୁର,୧୫ା୬(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ବିରିକୋଟ ଗ୍ରାମପଞ୍ଚାୟତର ତୁମୋନୀଖୋଲ ଗ୍ରାମରେ ପାନୀୟ ଜଳ ସମସ୍ୟା ଉତ୍କଟ ରୂପ ଧାରଣ କରିଛି । ପ୍ରାୟ ୨୦୦ ଜନସଂଖ୍ୟା ଓ ୪୫ ପରିବାର ବିଶିଷ୍ଟ ଏହି ଆଦିବାସୀ ବହୁଳ ଗ୍ରାମରେ ବସୁଧା ଯୋଜନା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଛି ।

ଗ୍ରାମରେ ଥିବା ଦୁଇଟିଯାକ ପାତାଳ ବୋରିଂ ଅଚଳ ହୋଇଯାଇଥିବା ବେଳେ, ପାହାଡ଼ିଆ ଝରଣାରୁ ପାଇପ୍ ଯୋଗେ ଆସୁଥିବା ପାଣି ଗ୍ରାମବାସୀଙ୍କୁ ମିଳୁନାହିଁ। ଫଳରେ ଗ୍ରାମର ମହିଳା ଓ ଝିଅମାନେ ବାଧ୍ୟ ହୋଇ ଗାଁ ପାଖ ନାଳର ଦୂଷିତ ପାଣି ସଂଗ୍ରହ କରୁଛନ୍ତି, ଯାହାକୁ ପଶୁପକ୍ଷୀ ଏବଂ ଗ୍ରାମର ଛୋଟ ପିଲା ସମସ୍ତେ ବ୍ୟବହାର କରୁଛନ୍ତି। ଏନେଇ ସ୍ଥାନୀୟ ୱାର୍ଡ ମେମ୍ବର ସଭା ମାଝୀଙ୍କ ସହ ଲକ୍ଷ୍ମୀ ମାଝୀ, ସିନାଇ ମାଝୀ, ଚାଉଳ ଦେଇ ମାଝୀ, ବାଲ୍ମୁଣ୍ଡି ମାଝୀ, ସୁନାସିଂ ମାଝୀ, ଧନ ସିଂ ମାଝୀ, ରବି ମାଝୀ, ମାନସିଂହ ମାଝୀ, ରାଇମଲ୍ ମାଝୀ ଓ ମହେନ୍ଦ୍ର ରାଉତଙ୍କ ସମେତ ସମସ୍ତ ଗ୍ରାମବାସୀ ପ୍ରଶାସନ ନିକଟରେ ତୁରନ୍ତ ସମାଧାନ ପାଇଁ ଦାବି କରିଛନ୍ତି।

ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, ଲାଭଖୋର ଅଧିକାରୀ ଓ କୁଜି ନେତାଙ୍କ ଯୋଗୁଁ ଗ୍ରାମଟି ଅବହେଳିତ ହୋଇ ରହିଛି। ଏପରିକି ଗ୍ରାମରେ ନିର୍ମିତ ବସୁଧା ଟାଙ୍କିର କୌଣସି ସୂଚନା ଫଳକ ମଧ୍ୟ ନାହିଁ। ସମସ୍ୟାର ସମାଧାନ ନହେଲେ ଆଗାମୀ ଦିନରେ କୌଣସି ସ୍ୱାସ୍ଥ୍ୟଗତ ସମସ୍ୟା ପାଇଁ ବ୍ଲକ ଓ ଜିଲା ପ୍ରଶାସନ ଦାୟୀ ରହିବେ ଏବଂ ଗ୍ରାମର ସମସ୍ତ ୬୫ ଜଣ ଭୋଟର ପୁନର୍ବାର ଭୋଟ ବର୍ଜନ କରିବେ ବୋଲି ଚେତାବନୀ ଦେଇଛନ୍ତି। ଅପରପକ୍ଷେ, ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ ମନ୍ମଥ ମୁର୍ମୁଙ୍କୁ ପଚାରିବାରୁ ସେ କହିଛନ୍ତି, “ଥୁଆମୂଳ ରାମପୁର ବ୍ଲକର ସମସ୍ତ ପାଣି ସମସ୍ୟା ଉପରେ ଆମର ଦୃଷ୍ଟି ଅଛି। କିନ୍ତୁ ତୁମୋନୀଖୋଲ ଗ୍ରାମକୁ ନଳକୂପ ଖନନ ଗାଡ଼ି ଯିବା ପାଇଁ ଭଲ ରାସ୍ତା ନାହିଁ। ଗାଡ଼ି ଗଲେ ସିନା ଆମେ ବୋରୱେଲ ଖୋଲିବା! ସେଠାରେ ପୂର୍ବରୁ ଏକ ଗ୍ରାଭିଟି ଆଧାରିତ ଯୋଜନା ଥିଲା, ଯାହା ପ୍ରଥମେ ପ୍ରଥମେ ଆରମ୍ଭ ହେବା ବେଳେ ଅଳ୍ପ ଅଳ୍ପ ପାଣି ଆସୁଥିଲା।

କିନ୍ତୁ ବର୍ତ୍ତମାନ ସେହି ଯୋଜନାର ଆଉ କୌଣସି ବ୍ୟବସ୍ଥା ନାହିଁ, ଯାହା ପାଣି ଥିଲା ତାହା ଶୁଖିଗଲାଣି ଏବଂ ଏବେ ପାଣି ଆସୁନାହିଁ ବୋଲି ମୁଁ ମଧ୍ୟ ଶୁଣିଛି।” ସୂଚନା ଫଳକ ନଥିବା ପ୍ରଶ୍ନରେ ଠିକା ସଂସ୍ଥା ଏହା କରିନଥିବ ବୋଲି ସେ ପ୍ରତିକ୍ରିୟା ଦେଇଛନ୍ତି।

 

Dharitri – Odisha’s No.1 Odia Daily

Share