ଭିଜିଲାନ୍ସ ଜାଲରେ ବାସୁଦେବପୁର ସିଡିପିଓ

ବାସୁଦେବପୁର, ୧୮ା୭(ଡି.ଏନ.ଏ.)-ଭଦ୍ରକ ଜିଲା ବାସୁଦେବପୁର ବ୍ଲକର ସିଡିପିଓ ଜାନକୀ ଦାସ ନିଜ କାର୍ଯ୍ୟାଳୟର ଅସ୍ଥାୟୀ ଡ୍ରାଇଭର ରାଜକିଶୋର ନାୟକଙ୍କଠାରୁ ୪ ମାସର ଦରମା କରାଇ ଦେବାକୁ କହି ୩ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଶୁକ୍ରବାର ଅପରାହ୍ନରେ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି। ଭିଜିଲାନ୍ସ ବିଭାଗର ବରିଷ୍ଠ ଅଧିକାରୀ ବାଲେଶ୍ୱର ରେଞ୍ଜ ଡିଏସ୍‌ପି ଏସ୍‌କେ ସାମନ୍ତରାୟ, ଭଦ୍ରକ ଡିଏସ୍‌ପି ଡିସି ମୁର୍ମୁ ପ୍ରମୁଖ ସିଡିପିଓଙ୍କଠାରୁ ଲାଞ୍ଚ ଟଙ୍କା ଜବତ କରିଛନ୍ତି। ସିଡିପିଓଙ୍କ ବ୍ୟକ୍ତିଗତ କାର୍‌ (ଓଡ଼ି ୨୨କ୍ୟୁ-୦୪୦୪) ମଧ୍ୟ ଜବତ ହୋଇଛି।
ଉଲ୍ଲେଖଯୋଗ୍ୟ ଯେ, ଦୀର୍ଘ ବର୍ଷ ଧରି ସିଡିପିଓଙ୍କ କାର୍ଯ୍ୟାଳୟରେ ରାଜକିଶୋର ଜଣେ ଅସ୍ଥାୟୀ ଡ୍ରାଇଭର ଭାବେ କାର୍ଯ୍ୟ କରୁଥିଲେ। ତାଙ୍କର ବକେୟା ଦରମା କରାଇ ଦେବାକୁ ସିଡିପିଓ ୩ ହଜାର ଟଙ୍କା ଦାବି କରିଥିଲେ। ଏ ବାବଦରେ ରାଜକିଶୋର ଭିଜିଲାନ୍ସ ବିଭାଗକୁ ଜଣାଇଥିଲେ। ପୂର୍ବ ଯୋଜନା ମୁତାବକ ସିଡିପିଓ ଲାଞ୍ଚ ଟଙ୍କା ନେଉଥିବା ବେଳେ ଭିଜିଲାନ୍ସ ତାଙ୍କୁ ଗିରଫ କରିଛି। ଏ ସମ୍ପର୍କରେ ସିଡିପିଓ ଦାସ କୁହନ୍ତି ରାଜକିଶୋର ତାଙ୍କଠାରୁ ପୂର୍ବରୁ ୩ ହଜାର ଟଙ୍କା ଧାର ନେଇଥିବା ବେଳେ ଏହି ଟଙ୍କା ସେ ଶୁକ୍ରବାର ଅପରାହ୍ନରେ ଫେରସ୍ତ ଦେଇଥିଲେ। ଦରମା ବାବଦକୁ ସେ ରାଜକିଶୋରଙ୍କୁ ଲାଞ୍ଚ ମାଗି ନ ଥିଲେ ବୋଲି ମତ ରଖି ଏହା ତାଙ୍କ ବିରୋଧରେ ଏକ ଷଡ଼ଯନ୍ତ୍ର ବୋଲି କହିଛନ୍ତି।