ଋଷିକୁଲ୍ୟାରେ ବ୍ୟାରେଜ୍‌, ତାରାତାରିଣୀରେ ନୌବିହାର: ଗଞ୍ଜାମର ସାମଗ୍ରିକ ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ୪ ଦଫା ଦାବିପତ୍ର

ପୁରୁଷୋତ୍ତମପୁର, ୨୨।୧୧ (ସବିତା ମିଶ୍ର): ଋଷିକୁଲ୍ୟା ନଦୀରେ ବ୍ୟାରେଜ୍‌ ନିର୍ମାଣଠାରୁ ଆରମ୍ଭ କରି ମା’ ତାରାତାରିଣୀ ପୀଠରେ ନୌବିହାର ବ୍ୟବସ୍ଥା ପର୍ଯ୍ୟନ୍ତ। ଗଞ୍ଜାମ ଜିଲାର ଜଳସେଚନ, କୃଷି, ଶିଳ୍ପ ଓ ପର୍ଯ୍ୟଟନର ସାମଗ୍ରିକ ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଉଠିଛି ୪ ଦଫା ଦାବି। ଏହି ଦାବିଗୁଡ଼ିକ କାର୍ଯ୍ୟକାରୀ ହେଲେ ଗଞ୍ଜାମର ବିକାଶର ଚିତ୍ର ବଦଳିପାରିବ ବୋଲି ଦାବି ଉଠିଛି।

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଞ୍ଜାମ ଜିଲାର ପୁରୁଷୋତ୍ତମପୁର ବ୍ଲକ୍‌ ଅନ୍ତର୍ଗତ ହାଣ୍ଡିଘର ଗ୍ରାମକୁ ଗସ୍ତରେ ଆସିଥିବାବେଳେ ଭାଜପା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅରୁଣ କୁମାର ପଣ୍ଡାଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ତାଙ୍କୁ ସାକ୍ଷାତ କରିଥିଲେ। ଏହି ଅବସରରେ ପ୍ରତିନିଧି ଦଳ ପକ୍ଷରୁ ୪ ଦଫା ଦାବି ସମ୍ବଳିତ ସ୍ମାରକପତ୍ର ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରାଯାଇଥିଲା। ମୁଖ୍ୟମନ୍ତ୍ରୀ ଦାବିଗୁଡ଼ିକୁ ଗୁରୁତ୍ୱର ସହ ଗ୍ରହଣ କରି ଆବଶ୍ୟକ ପଦକ୍ଷେପ ନେବାକୁ ପ୍ରତିଶ୍ରୁତି ଦେଇଥିବା ଜଣାପଡ଼ିଛି।

ସ୍ମାରକପତ୍ରର ପ୍ରଥମ ଦାବି ହେଉଛି, ଋଷିକୁଲ୍ୟା ନଦୀର ହନୁମାନପଲ୍ଲୀଠାରେ ଥିବା ଆନିକଟ୍‌କୁ ବ୍ୟାରେଜ୍‌ରେ ପରିଣତ କରିବା। ଏହାଦ୍ୱାରା ନଦୀଜଳ ସଂରକ୍ଷଣ ସହ ଆସିକା, କବିସୂର୍ଯ୍ୟନଗର, ଖଲ୍ଲିକୋଟ, ପୁରୁଷୋତ୍ତମପୁର ଓ ଗଞ୍ଜାମ ବ୍ଲକ୍‌ର ପ୍ରାୟ ୧୦ ହଜାର ଏକର ଚାଷଜମିକୁ ଜଳସେଚନ ସୁବିଧା ମିଳିପାରିବ। ଏଥିସହ ଖରିଫ ଫସଲ ଉତ୍ପାଦନ ବୃଦ୍ଧି, ବନ୍ୟା ନିୟନ୍ତ୍ରଣ ଏବଂ ବ୍ରହ୍ମପୁର ମହାନଗର ଅଞ୍ଚଳର ପାନୀୟଜଳ ସଙ୍କଟ ଦୂର କରିବାରେ ଏହା ସହାୟକ ହେବ ବୋଲି ଦାବିପତ୍ରରେ ଉଲ୍ଲେଖ ରହିଛି।

ଦ୍ୱିତୀୟ ଦାବି ହେଉଛି, ଗଞ୍ଜାମ ଜିଲାରେ ନୂତନ ଶିଳ୍ପ ପ୍ରତିଷ୍ଠା କରି ସ୍ଥାନୀୟ ଯୁବକଯୁବତୀଙ୍କ ପାଇଁ ନିଯୁକ୍ତିର ସୁଯୋଗ ସୃଷ୍ଟି କରିବା।

ତୃତୀୟ ଦାବି ଅନୁଯାୟୀ, ମା’ ତାରାତାରିଣୀ ପୀଠ ନିକଟସ୍ଥ ଋଷିକୁଲ୍ୟା ନଦୀର ଗଣ୍ଡରେ ନୌବିହାର ବ୍ୟବସ୍ଥା କରିବା ସହ ପର୍ଯ୍ୟଟକଙ୍କ ପାଇଁ ଆଲୋକୀକରଣ, ପରିମଳ ବ୍ୟବସ୍ଥା ଓ ପ୍ରଶସ୍ତ ଯାତାୟାତ ରାସ୍ତା ନିର୍ମାଣ କରି ଏହାକୁ ଜାତୀୟସ୍ତରୀୟ ପର୍ଯ୍ୟଟନସ୍ଥଳୀରେ ପରିଣତ କରିବାକୁ ଦାବି କରାଯାଇଛି।

ସେହିପରି ଚତୁର୍ଥ ଦାବି ହେଉଛି, ଆଛୁଲି ଛକଠାରୁ ମା’ ତାରାତାରିଣୀ ପୀଠକୁ ସଂଯୋଗ କରୁଥିବା ଗ୍ରାମ୍ୟ ଉନ୍ନୟନ ବିଭାଗର ରାସ୍ତା ପାର୍ଶ୍ୱରୁ ଜବରଦଖଲ ଉଚ୍ଛେଦ କରି ରାସ୍ତାର ପ୍ରଶସ୍ତୀକରଣ କରିବା।

ଏହି ୪ ଦଫା ଦାବି କେବଳ ଏକ ଅଞ୍ଚଳର ଆବଶ୍ୟକତା ନୁହେଁ, ବରଂ ସମଗ୍ର ଗଞ୍ଜାମ ଜିଲ୍ଲାର କୃଷି, ଅର୍ଥନୀତି, ନିଯୁକ୍ତି ଓ ପର୍ଯ୍ୟଟନ ବିକାଶ ସହ ଜଡ଼ିତ। ଏବେ ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶ୍ରୁତି କେବେ ବାସ୍ତବ ରୂପ ନେଉଛି, ତାହାକୁ ଅଞ୍ଚଳବାସୀ ଅପେକ୍ଷା କରିଛନ୍ତି।

ଏହି ଦାବିପତ୍ର ପ୍ରଦାନ ସମୟରେ ଖଲ୍ଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀ, ବ୍ଲକ୍‌ ଅଧ୍ୟକ୍ଷା ପଙ୍କଜିନୀ ବେହେରାଙ୍କ ସମେତ ବହୁ ଦଳୀୟ କର୍ମୀ ଉପସ୍ଥିତ ଥିଲେ।

Dharitri – Odisha’s No.1 Odia Daily

Share