ଗଡ଼ିଲା ବାରିପଦା-ପୁରୀ ସାପ୍ତାହିକ ଟ୍ରେନ

ବାରିପଦା ଅଫିସ,୧୫ା୧: ମୟୂରଭଞ୍ଜ ଜିଲା ବାରିପଦାର ଭଞ୍ଜପୁରରୁ ପୁରୀକୁ ସାପ୍ତାହିକ ଟ୍ରେନ ଚଳାଚଳ କରିଛି। କେନ୍ଦ୍ର ଜଳଶକ୍ତି ଓ ଆଦିବାସୀ ବ୍ୟାପାର ମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ପତାକା ଦେଖାଇ ଏହି ଟ୍ରେନ ଚଳାଚଳର ଶୁଭାରମ୍ଭ କରିଛନ୍ତି। ଗୁରୁବାର ରାତି ୧୧ଟା୫୦ ମିନିଟରେ ଭଞ୍ଜପୁର ରେଳଷ୍ଟେଶନରେ କେନ୍ଦ୍ରମନ୍ତ୍ରୀ ଟୁଡୁଙ୍କ ସହିତ ବାରିପଦା ବିଧାୟକ ପ୍ରକାଶ ସୋରେନ, ଫାଗୁ ହଁାସଦା, ରେଲଓ୍ବେ ଅଧିକାରୀମାନେ ଉପସ୍ଥିତ ରହି ଏହାର ଶୁଭାରମ୍ଭ କରିଥିଲେ। ଆଗାମୀ ଦିନରେ ଟ୍ରେନକୁ ନିୟମିତ କରିବା ସହିତ ଏସି କୋଚ ବଗି ବ୍ୟବସ୍ଥା ଲାଗି କେନ୍ଦ୍ରମନ୍ତ୍ରୀ ପଦକ୍ଷେପ ନେବେ ବୋଲି ଉଦ୍‌ଘାଟନୀ ଉତ୍ସବରେ ସୂଚନା ଦେଇଥିଲେ।
ଟ୍ରେନଟି ପ୍ରତ୍ୟେକ ଗୁରୁବାର ରାତି ୧୧ଟା ୫୦ରେ ଭଞ୍ଜପୁର ଷ୍ଟେଶନରୁ ଯାତ୍ରା ଆରମ୍ଭ କରି ତହିଁ ପରଦିନ ସକାଳ ୭ଟାରେ ପୁରୀରେ ପହଞ୍ଚିବ। ସେହିଦିନ ରାତି ୧୧ଟା ୫୦ମିନିଟରେ ଟ୍ରେନଟି ପୁଣି ବିପରୀତ ଦିଗରେ ଯାତ୍ରା କରି ଶନିବାର ସକାଳ ୭ଟାରେ ଭଞ୍ଜପୁର ଷ୍ଟେଶନରେ ପହଞ୍ଚିିବ ବୋଲି ଜଣାପଡ଼ିଛି। ଏହି ସ୍ବତନ୍ତ୍ର ଟ୍ରେନଟି ଯିବା ଆସିବା ସମୟରେ ବାରିପଦା, ବେତନଟୀ, ରୂପ୍‌ସା, ସୋର, ଭଦ୍ରକ, ଯାଜପୁର, କେନ୍ଦୁଝର ରୋଡ୍‌, ନରାଜ ମାର୍ଥାପୁର, ଭୁବନେଶ୍ୱର ଓ ଖୋର୍ଦ୍ଧା ରୋଡ୍‌ ଷ୍ଟେଶନରେ ଅଟକି ଯାତ୍ରୀ ନେବା ଆଣିବା କରିବ। ଟ୍ରେନଟି କଟକ ଷ୍ଟେଶନ ନ ଯାଇ ନରାଜ ଦେଇ ଚଳାଚଳ କରିବ।