ଗିରଫ ପରେ ବାରିପଦା ବିଧାୟକଙ୍କୁ ଜାମିନ

ବାରିପଦା ଅଫିସ,୪ା୯-ମୟୂରଭଞ୍ଜ ଜିଲା ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା(ଆଇଟିଡିଏ)ର ସହକାରୀ ନିର୍ବାହୀଯନ୍ତ୍ରୀ ଗଣପତି ଜେନାଙ୍କୁ ମାଡ଼ ମାରିବା ଅଭିଯୋଗରେ ବାରିପଦା ବିଧାୟକ ପ୍ରକାଶ ସୋରେନଙ୍କୁ ଶୁକ୍ରବାର ଟାଉନ ଥାନା ପୋଲିସ ଗିରଫ କରିଛି। ତାଙ୍କ ନାମରେ ଦଫା ୨୯୪, ୩୨୩, ୩୨୪, ୩୪୧, ୫୦୬ ଓ ୩୪ ଆପିସିରେ ଏକ ମାମଲା (ନଂ.୫୯୦/୨୦) ରୁଜୁ ହୋଇଛି। ସନ୍ଧ୍ୟାରେ ପୋଲିସ ତାଙ୍କୁ ସ୍ଥାନୀୟ ଏସ୍‌ଡିଜେମ୍‌ କୋର୍ଟରେ ହାଜର କରିଥିବା ବେଳେ କୋର୍ଟ ସର୍ତ୍ତ ମୂଳକ ଜାମିନ ପ୍ରଦାନ କରିଥିଲେ। ତେବେ ଉଦ୍ଦେଶ୍ୟମୂଳକ ଭାବେ ବିଧାୟକଙ୍କ ନାଁରେ ମାମଲା ରୁଜୁ କରାଯାଇଥିବା ଅଭିଯୋଗ କରି ଭାଜପା କର୍ମକର୍ତ୍ତା ଓ ବିଧାୟକଙ୍କ ସମର୍ଥକମାନେ ଟାଉନ ଥାନା ସମ୍ମୁଖ ବଡ଼ବଜାର ରାସ୍ତାକୁ ୬ଘଣ୍ଟା କାଳ ଅବରୋଧ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।