ସିମୁଳିଆ,୭ା୯(ସନ୍ତୋଷ ନାୟକ): ୨୦୨୪-୨୫ ଶିକ୍ଷାବର୍ଷରୁ ବାଲେଶ୍ୱର ଜିଲାରେ ପ୍ରଥମ ପିଏମ୍ଶ୍ରୀ ବିଦ୍ୟାଳୟର ମାନ୍ୟତା ପାଇଥିବା ସିମୁଳିଆ ବ୍ଲକର ବରି ହାଇସ୍କୁଲ ନାନା ସମସ୍ୟା ମଧ୍ୟରେ ଛନ୍ଦି ହୋଇରହିଛି। ବିଶେଷକରି ସ୍ଥାୟୀ ପ୍ରଧାନ ଶିକ୍ଷକ ପଦବୀ ଖାଲି ପଡ଼ିବା ଓ ପରିଚାଳନା କମିଟି ଗଠନ ନ ହେବାଯୋଗୁ ବିଦ୍ୟାଳୟ ପରିଚାଳନା ବ୍ୟବସ୍ଥିତ ହୋଇପାରୁନାହିଁ। ସମସ୍ୟା ଦୂର ହେବା ତ ପର କଥା, ଚକ୍ଖଡି କିଣିବା ପାଇଁ ମଧ୍ୟାହ୍ନଭୋଜନ ଅର୍ଥ ଉପରେ ନିର୍ଭର କରିବାକୁ ପଡୁଛି। ସରକାରଙ୍କ ନିୟମ ଅନୁସାରେ ପିଏମ୍ଶ୍ରୀ ବିଦ୍ୟାଳୟରେ ସ୍ଥାୟୀ ପ୍ରଧାନ ଶିକ୍ଷକ ଓ ପରିଚାଳନା କମିଟି ବିନା ବିଦ୍ୟାଳୟ ପରିଚାଳନା ପାଇଁ କୌଣସି ଟଙ୍କା ଆକାଉଣ୍ଟରୁ ଉଠାଯାଇପାରିବନାହିଁ, ଯାହାକି ବର୍ତ୍ତମାନ ପିଲାମାନଙ୍କ ପାଇଁ ସମସ୍ୟା ପାଲଟିଛି।
୧୯୬୭ରେ ବରି ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରାକ୍ତନ ପ୍ରଧାନ ଶିକ୍ଷକ ସ୍ବର୍ଗତ ବଙ୍କିମ ଚନ୍ଦ୍ର ମହାରଣା, ଡ. ସୁଦର୍ଶନ ପଟ୍ଟନାୟକ, ସ୍ବର୍ଗତ ଗଗନ ବିହାରୀ ପଟ୍ଟନାୟକଙ୍କ ସମେତ ସ୍ଥାନୀୟବାସିନ୍ଦାଙ୍କ ପ୍ରଚେଷ୍ଟାରେ ଏହି ବିଦ୍ୟାଳୟ ପ୍ରତିଷ୍ଠା ହୋଇଥିଲା। ପୂର୍ବରୁ ୧୯୫୮ରେ ପ୍ରତିଷ୍ଠିତ ସରକାରୀ ପ୍ରାଥମିକ ବିଦ୍ୟାଳୟ ସରକାରଙ୍କ ମିଶ୍ରଣ ଯୋଜନାରେ ଗତ ୨୦୧୭ରୁ ଦୁଇଟି ବିଦ୍ୟାଳୟ ମିଶି ଗୋଟିଏ ହତା ମଧ୍ୟରେ ପରିଚାଳିତ ହେଉଛି। ବର୍ତ୍ତମାନ ଶିଶୁବାଟିକାରୁ ଦଶମଶ୍ରେଣୀ ମଧ୍ୟରେ ୨୫୯ ଛାତ୍ରୀ ଓ ୩୭୪ ଛାତ୍ରଙ୍କୁ ମିଶାଇ ମୋଟ ୬୩୩ଜଣ ଶିକ୍ଷାର୍ଥୀ ପାଠ ପଢୁଛନ୍ତି। ଛାତ୍ରୀଛାତ୍ରଙ୍କୁ ପାଠ ପଢ଼ାଇବା ପାଇଁ ୫ ଶିକ୍ଷୟିତ୍ରୀ ଓ ୪ ଶିକ୍ଷକ ଅଛନ୍ତି, ଯାହାକି ଆବଶ୍ୟକ ସଂଖ୍ୟାଠାରୁ ୩ କମ୍। ଅଧିକ ପିଲା ଯୋଗୁ ଆବଶ୍ୟକ ଶ୍ରେଣୀଗୃହ ଅଭାବ ଥିବାରୁ ଗୋଟିଏ କକ୍ଷରେ ୨ଟି ଶ୍ରେଣୀର ପିଲା ବସୁଛନ୍ତି। ୧୩ଟି ଶ୍ରେଣୀ ଗୃହ ଆବଶ୍ୟକ ଥିବା ସ୍ଥଳେ ବର୍ତ୍ତମାନ ୭ଟି ଗୃହ ଅଛି। ଗୃହ ଅଭାବ ଯୋଗୁ ଶ୍ରେଣୀ ପଛପଟେ ଓ ଥାକରେ ଜିନିଷପତ୍ର ଲଦାଯାଇ ରଖାଯାଇଛି। ପିଲାମାନଙ୍କ ମଧ୍ୟାହ୍ନଭୋଜନ ପ୍ରସ୍ତୁତି ପାଇଁ ଥିବା ଆଜବେଷ୍ଟସ ରୋଷେଇ ଗୃହର ଅବସ୍ଥା ଅତ୍ୟନ୍ତ ଶୋଚନୀୟ। ବର୍ଷା ହେଲେ ଚୁଲିରେ ପାଣି ପଶିଯାଉଛି। ଏତେସଂଖ୍ୟକ ପିଲାଙ୍କ ପାଇଁ ଖାଦ୍ୟ ଯୋଗାଇବା ଲାଗି ୪ଥର ରୋଷେଇ କରାଯାଉଛି। ପିଲାମାନେ ବସିବା ପାଇଁ ଜାଗା ନ ଥିବାରୁ ବିଦ୍ୟାଳୟ ବାରଣ୍ଡା ଓ ବାହାରେ ବୁଲି ବୁଲି ପିଲାମାନେ ଖାଦ୍ୟ ଖାଉଥିବା ଶିକ୍ଷକ ଗଙ୍ଗାଧର ଶିଅଳ ସୂଚନା ଦେଇଛନ୍ତି। ପିଲାମାନଙ୍କ ପାଇଁ ଖେଳପଡିଆ ମଧ୍ୟ ନାହିଁ। ପଡ଼ିଆ ଜବରଦଖଲ ହେବା ସମ୍ପର୍କରେ ପ୍ରାକ୍ତନ ଛାତ୍ର ତଥା ସ୍ଥାନୀୟ ସରପଞ୍ଚ ବିମଳଲୋଚନ ଲେଙ୍କା ତହସିଲଦାରଙ୍କ ନିକଟରେ ଅଭିଯୋଗ କରିଥିବା କହିଛନ୍ତି। ଗତ ୫ମାସ ପୂର୍ବରୁ ଏହାର ତଦନ୍ତ କରାଯାଇଥିଲେ ହେଁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ। ପିଲାମାନଙ୍କ ପାଇଁ ସାଇକେଲ ଷ୍ଟାଣ୍ଡ ଓ ପ୍ରାର୍ଥନା ପଡ଼ିଆଟିଏ ନ ଥିବା ଶିକ୍ଷୟିତ୍ରୀ ରଶ୍ମିରେଖା ଦାସ କହିଛନ୍ତି।
ମୋ ସ୍କୁଲ ଯୋଜନାରେ ପୁରାତନ ଛାତ୍ରମାନେ ୨୦ଲକ୍ଷ ଟଙ୍କା ପ୍ରଦାନ କରିଥିଲେ। ସରକାର ଦୁଇଗୁଣା ଟଙ୍କା ପ୍ରଦାନ କରିବା ପରେ ମୋଟ ୬୦ଲକ୍ଷ ଟଙ୍କାରେ ବିଦ୍ୟାଳୟର ଉନ୍ନତୀକରଣ ହୋଇଥିଲା। ଏଥିଯୋଗୁ ୨୦୨୩ରେ ପୁରାତନ ଛାତ୍ରମାନଙ୍କ ସହଯୋଗ ଓ ଉଦ୍ୟମରେ ଏହି ବିଦ୍ୟାଳୟ ସମଗ୍ର ରାଜ୍ୟରେ ୧ନଂ. ହେବା ଯୋଗୁ ମୁଖ୍ୟମନ୍ତ୍ରୀ ୧ଲକ୍ଷ ଟଙ୍କା ପୁରସ୍କାର ପ୍ରଦାନ କରିଥିଲେ। ସେହିପରି ବାଲେଶ୍ୱର ଜିଲାରେ ବରି ହାଇସ୍କୁଲ ସର୍ବଶ୍ରେଷ୍ଠ ବିଦ୍ୟାଳୟ ପାଇଁ ୩ଲକ୍ଷ ଟଙ୍କା ମଧ୍ୟ ପୁରସ୍କାର ପାଇଥିଲା। ପୁରାତନ ଛାତ୍ରମାନଙ୍କ ଦ୍ୱାରା ବଙ୍କିମ ଚନ୍ଦ୍ର ପାଠାଗାର ଓ ବିଜ୍ଞାନ ଲାବ୍ ନିର୍ମାଣ କରାଯାଇଛି। ଗତ ୧୩ା୯ା୨୦୨୦ରୁ ୩୦ା୪ା୨୦୨୫ ପର୍ଯ୍ୟନ୍ତ ଏହି ବିଦ୍ୟାଳୟର ପ୍ରାକ୍ତନ ଛାତ୍ର ଚିତ୍ତରଞ୍ଜନ ମହାନ୍ତି ପ୍ରଧାନ ଶିକ୍ଷକ ଦାୟିତ୍ୱରେ ରହିଥିଲେ। ପରେ ସ୍ଥାନୀୟ ବରି ବାଳିକା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଭାକର ଦାସଙ୍କୁ ଏହି ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଦାୟିତ୍ୱ ଦିଆଯାଇଛି। ତେବେ ସ୍ଥାୟୀ ପ୍ରଧାନ ଶିକ୍ଷକ ପଦବୀ ଖାଲି ପଡିଛି। ସେହିପରି ବିଭିନ୍ନ କାରଣରୁ ବିଦ୍ୟାଳୟ ପରିଚାଳନା କମିଟି ୨୫ା୧୧ା୨୫ରୁ ଗଠନ ହୋଇପାରିନାହିଁ। କମିଟି ସଭାପତି ନ ଥିବାରୁ ପ୍ରାୟ ୧୦ଲକ୍ଷ ଟଙ୍କାର ଅନୁଦାନ ମଧ୍ୟ ଫେରିଯାଇଛି। ଛାତ୍ରୀଛାତ୍ରମାନଙ୍କ ପାଇଁ ଆବଶ୍ୟକ ଶୌଚାଳୟ ନାହିଁ। ପୂର୍ବରୁ ୫-ଟି ଯୋଜନାରେ ୪୫ଲକ୍ଷ ଟଙ୍କା ବ୍ୟୟ କରାଯାଇଥିଲା। ପରେ ପିଏମ୍ଶ୍ରୀ ଯୋଜନାରେ ୧କୋଟି ଟଙ୍କା ବ୍ୟୟ ହୋଇଛି। ବିଦ୍ୟାଳୟ ପରିସର ଅନାବନା ବଣଜଙ୍ଗଲ ସହିତ ଅଳିଆ ଆବର୍ଜନା ପଡିରହିଥିବା ଅଭିଭାବକମାନେ ସୂଚନା ଦେଇଛନ୍ତି। ଆସନ୍ତା ୨୦୨୭ରେ ହୀରକ ଜୟନ୍ତୀ ପାଇଁ ପ୍ରସ୍ତୁତି ପର୍ବ ଚାଲିଥିବାବେଳେ ବର୍ତ୍ତମାନ ବିଦ୍ୟାଳୟର ପରିଚାଳନା ଛାତ୍ରୀଛାତ୍ର ଓ ଅନୁଷ୍ଠାନର ଭବିଷ୍ୟତ ଅନ୍ଧାର ଆଡକୁ ଠେଲି ହୋଇଯାଉଛି। ପିଏମ୍ ଶ୍ରୀ ବରି ହାଇସ୍କୁଲର ପୂର୍ବତନ ସଭାପତି ନରେନ୍ଦ୍ର କୁମାର ମହାକୁଡ଼ଙ୍କ ମତାମତ ନେବାରୁ ସେ କହିଥିଲେ, ସଭାପତି ଥିବା ବେଳେ ସେ ପୁରାତନ ଛାତ୍ର ମାନଙ୍କ ପରାମର୍ଶରେ ସବୁକିଛି କରୁଥିଲେ। ତେଣୁ କୌଣସି ବିବାଦ କିମ୍ବା ବିଶୃଙ୍ଖଳା ସୃଷ୍ଟି ହୋଇ ନ ଥିଲା। ତେବେ ବର୍ତ୍ତମାନ ରାଜନୈତିକ ଦଳକୁ ପ୍ରାଧାନ୍ୟ ଦେଇ ଟଣାଓଟରା ଚାଲିଥିବା ଯୋଗୁ କମିଟି ଗଠନ ହୋଇ ପାରୁନାହିଁ। ସେହିପରି ଜିଲା ଶିକ୍ଷା ଅଧିକାରୀ(ଡିଇଓ) ଡ. ବସନ୍ତ କୁମାର ନାୟକଙ୍କୁ ପଚାରିବାରୁ ବରି ହାଇସ୍କୁଲର କମିଟି ଗଠନ ହୋଇ ନ ପାରିବାରୁ ସମସ୍ୟା ସୃଷ୍ଟି ହୋଇଛି। ଏସମ୍ପର୍କରେ ସେ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଜଣାଇଛନ୍ତି। ତେବେ ସରକାରୀ ଅନୁଦାନ ଫେରି ନ ଯାଇ କିପରି କାର୍ଯ୍ୟକାରୀ ହୋଇପାରିବ ତାହାର ଯୋଜନା ଚାଲିଥିବା ସେ ସୂଚନା ଦେଇଛନ୍ତି।