ବରଗଡ଼,୨୬।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରରେ ରହିଥିବା ସହରାଞ୍ଚଳ ଗୋଷ୍ଠି ସ୍ବାସ୍ଥ୍ୟକେନ୍ଦ୍ରରେ ରୋଗୀଙ୍କୁ ସର୍ବନିମ୍ନ ମୌଳିକା ସୁବିଧା ସୁଯୋଗ ଅପହଞ୍ଚ ହୋଇପଡ଼ିଛି। ଏଠାରେ ଡାକ୍ତର ଅଭାବ ନିତିଦିନିଆ ଘଟଣା ହୋଇପଡ଼ିଛି। ସେହିପରି ଶଯ୍ୟା ଅଭାବ, ରୋଗୀଙ୍କୁ ସାଲାଇନ ଦେବାରେ ଅବ୍ୟବସ୍ଥା ମଧ୍ୟ ସାମ୍ନାକୁ ଆସିଛି।
ସହରାଞ୍ଚଳ ଗୋଷ୍ଠି ସ୍ବାସ୍ଥ୍ୟକେନ୍ଦ୍ରରେ ଏଭଳି ଅବ୍ୟବସ୍ଥାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ଉକ୍ତ ସ୍ବାସ୍ଥ୍ୟକେନ୍ଦ୍ର ଏକଦା ଜିଲା ମୁଖ୍ୟ ଚିକିତ୍ସାଳୟ ଥିଲା। ତେବେ ସହର ଉପକଣ୍ଠ ଖେଦାପାଲିକୁ ଜିଲା ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତର ହେବା ପରେ ଉକ୍ତ ସ୍ବାସ୍ଥ୍ୟକେନ୍ଦ୍ର ସହରାଞ୍ଚଳ ଗୋଷ୍ଠି ସ୍ବାସ୍ଥ୍ୟକେନ୍ଦ୍ରରେ ପରିଣତ ହୋଇଛି।
ତେବେ ସହରାଞ୍ଚଳ ଗୋଷ୍ଠି ସ୍ବାସ୍ଥ୍ୟକେନ୍ଦ୍ରରେ ପରିଣତ ହେବା ପରେ ଏଠାରେ ସମସ୍ୟା ବହୁଗୁଣିତ ହୋଇପଡ଼ିଛି। ସ୍ବାସ୍ଥ୍ୟକେନ୍ଦ୍ରକୁ ଆସୁଥିବା ରୋଗୀଙ୍କୁ ଶଯ୍ୟା ମିଳୁ ନାହିଁ। ଫଳରେ ସ୍ବାସ୍ଥ୍ୟକେନ୍ଦ୍ର ଚଟାଣରେ ରୋଗିଙ୍କ ଚିକିତ୍ସା ଚାଲିଛି। ସେହିପରି ସାଲାଇନ ଦେବା ପାଇଁ ଷ୍ଟାଣ୍ଡର ଅଭାବ ମଧ୍ୟ ରହିଛି। ଫଳରେ ରୋଗୀଙ୍କୁ ସାଲାଇନ ଦେବା ସମୟରେ ହାତରେ ସାଲାଇନ ଧରି ରୋଗୀଙ୍କ ସମ୍ପର୍କୀୟଙ୍କୁ ଛିଡ଼ା ହୋଇ ରହିବାକୁ ପଡ଼ୁଛି। କେବଳ ସେତିକି ନୁହେଁ, ବିଭିନ୍ନ ପରୀକ୍ଷା ପାଇଁ ରୋଗୀଙ୍କୁ ବାହାରକୁ ଯାଇ ଖର୍ଚ୍ଚାନ୍ତ ହେବାକୁ ପଡ଼ୁଛି। ତେବେ ବର୍ତ୍ତମାନ ତାତି, ଗ୍ରୀଷ୍ମ ପ୍ରବାହ ବଢ଼ି ଚାଲିଥିବା ବେଳେ ସହର ମଧ୍ୟରେ ରହିଥିବା ସ୍ବାସ୍ଥ୍ୟକେନ୍ଦ୍ରରେ ଏଭଳି ଅବ୍ୟବସ୍ଥା ସ୍ବାସ୍ଥ୍ୟ ବିଭାଗର ଅପାରଗତାକୁ ପଦାରେ ପକାଇ ଦେଇଛି ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।


