ଢାବା ପଛପଟେ ଚାଲିଥିଲା ଜୁଆ କାରବାର: ଅତାବିରା ପୋଲିସର ଅଚାନକ ଚଢ଼ାଉରେ ୨୮ ହଜାରରୁ ଅଧିକ ଟଙ୍କା ଜବତ

ଅତାବିରା/ଗୋଡଭଗା,୧୭।୧୧(ଯୁଧିଷ୍ଠିର ମହାପାତ୍ର/ସୁରେଶ ଦାଶ))-  ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ନିକଟ ଏକ ଢାବା ପଛପଟେ ରୁଟିନ୍ ବାହାରେ ଚାଲିଥିବା ଏକ ଜୁଆ ଆଡ୍ଡା ଉପରେ ପୋଲିସ୍ ଚଢ଼ାଉ କରିଛି। ଏହି ଚଢ଼ାଉରେ ୬ ଜଣ ଜୁଆଡ଼ିଙ୍କୁ ପୋଲିସ୍ ଗିରଫ କରିବା ସହ ସେମାନଙ୍କ ନିକଟରୁ ନଗଦ ଟଙ୍କା ଏବଂ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଛି।

ମିଳିଥିବା ସୂଚନା ଅନୁଯାୟୀ, ଗୋଡ଼ଭଗା ନିକଟସ୍ଥ ଏକ ଢାବା ପଛପଟେ କିଛି ଦିନ ହେବ ବେଆଇନ ଭାବେ ଜୁଆ ଖେଳ ଚାଲିଥିବା ନେଇ ପୋଲିସ୍ ପକ୍ଷରୁ ସୂଚନା ମିଳିଥିଲା। ଏହାକୁ ଆଧାର କରି ମଙ୍ଗଳବାର ପୋଲିସ୍ ସେଠାରେ ହଠାତ୍ ଚଢ଼ାଉ କରିଥିଲା। ପୋଲିସ୍‌ର ଏହି ତୱରିତ କାର୍ଯ୍ୟାନୁଷ୍ଠାନ ଫଳରେ ସେଠାରୁ ୬ ଜଣ ଅଭିଯୁକ୍ତଙ୍କୁ କାବୁ କରାଯାଇଛି।

ଗିରଫ ଅଭିଯୁକ୍ତମାନେ ହେଲେ କୁମେଲସିଂହାର ବିନୋଦ ନାଗ, ଡି. ସୁବ୍ବା ରାଓ, ପଞ୍ଚମ ବେହେରା, ଦୁଲମପୁରର ଭୋଳା ସାହୁ, ଗଡ଼ତିଆପାଲିର ଶ୍ୱେତ କୁମାର ବେସନ୍ ଏବଂ ଗୋଡ଼ଭଗାର ବିଜୟ ପ୍ରଧାନ। ପୋଲିସ୍ ସେମାନଙ୍କ ଠାରୁ ଜୁଆ ଖେଳରେ ବ୍ୟବହୃତ ହେଉଥିବା ନଗଦ ୨୮,୬୫୦ ଟଙ୍କା, ୩ଟି ମୋଟରସାଇକେଲ ଏବଂ ୫ଟି ମୋବାଇଲ୍ ଫୋନ୍ ଜବତ କରିଛି।

ଏହି ଘଟଣା ନେଇ ଅତାବିରା ଥାନାରେ ଏକ ମାମଲା ରୁଜୁ କରାଯିବା ସହ ଗିରଫ ଅଭିଯୁକ୍ତମାନଙ୍କୁ କୋର୍ଟଚାଲାଣ କରାଯାଇଛି। ଏହି ଜୁଆ ଆଡ୍ଡା ସାମ୍ରାଜ୍ଯ ପଛରେ ଆଉ କାହାର ହାତ ଅଛି କି ନାହିଁ, ସେ ନେଇ ପୋଲିସ୍ ପକ୍ଷରୁ ଅଧିକ ତଦନ୍ତ ଜାରି ରହିଛି।

Dharitri – Odisha’s No.1 Odia Daily

Share