ପୁଣି ଖୋଲିବ ବରଗଡ଼ ସମବାୟ ଚିନିକଳ! ପୁନରୁଦ୍ଧାର ପାଇଁ ଅମିତ ଶାହାଙ୍କ ପ୍ରତିଶ୍ରୁତି; ବାୟୋ-ଇଥାନଲ୍ ପ୍ରକଳ୍ପ ଉଦ୍‌ଘାଟନ ପାଇଁ…

ବରଗଡ଼,୧୨।୧୧(ପ୍ରେମାନନ୍ଦ ଖମାରୀ): ବନ୍ଦ ପଡ଼ିଥିବା ବରଗଡ଼ ସମବାୟ ଚିନିକଳର ପୁନରୁଦ୍ଧାର ପାଇଁ କେନ୍ଦ୍ର ଗୃହ ଓ ସମବାୟ ମନ୍ତ୍ରୀ ଅମିତ ଶାହା ପ୍ରତିଶ୍ରୁତି ଦେଇଛନ୍ତି। ବରଗଡ଼ MP ପ୍ରଦୀପ ପୁରୋହିତ ନୂଆଦିଲ୍ଲୀସ୍ଥିତ କର୍ତ୍ତବ୍ୟ ଭବନ-୩ କାର୍ଯ୍ୟାଳୟରେ ଶାହାଙ୍କୁ ଭେଟି ଚିନିକଳ ପୁନଃକାର୍ଯ୍ୟକ୍ଷମ କରିବା ସହ ନବନିର୍ମିତ ବିପିସିଏଲ୍ ଜୈବ-ଇଥାନଲ୍ ପ୍ରକଳ୍ପର ଉଦ୍‌ଘାଟନ ପାଇଁ ବରଗଡ଼ ଆସିବାକୁ ନିମନ୍ତ୍ରଣ ଜଣାଇଛନ୍ତି।

MP ପୁରୋହିତ ଦୁଇଟି ପୃଥକ ଚିଠି ମାଧ୍ୟମରେ ଜିଲାର ଏହି ଦୁଇଟି ପ୍ରମୁଖ ପ୍ରସଙ୍ଗ ଉପସ୍ଥାପନ କରିଥିଲେ। ପ୍ରଥମତଃ, ବିପିସିଏଲ୍ ପକ୍ଷରୁ ପ୍ରାୟ ୧,୭୭୫ କୋଟି ଟଙ୍କା ବ୍ୟୟରେ ବରଗଡ଼ରେ ନିର୍ମିତ ପୂର୍ବ ଭାରତର ପ୍ରଥମ ଦ୍ୱିତୀୟ ପିଢ଼ିର ଏକୀକୃତ ଜୈବ-ଇଥାନଲ୍ କାରଖାନାର ଉଦ୍‌ଘାଟନ କରିବାକୁ ସେ ଶାହଙ୍କୁ ଅନୁରୋଧ କରିଛନ୍ତି। ପ୍ରଧାନମନ୍ତ୍ରୀ ଜୀ-ଭାନ୍ ଯୋଜନା ଅନ୍ତର୍ଗତ ଏହି ପ୍ରକଳ୍ପର ଦୈନିକ ୨୦୦ କିଲୋଲିଟର ଇନ୍ଧନ ଉତ୍ପାଦନ କ୍ଷମତା ରହିଛି। ଧାନନଡ଼ା ଓ କୃଷି ଅବଶେଷର ବ୍ୟବହାର ଦ୍ୱାରା ଏହା ଚାଷୀଙ୍କ ଆୟ ବୃଦ୍ଧି, ପରିବେଶ ସୁରକ୍ଷା ଏବଂ ଗ୍ରାମୀଣ ଅର୍ଥନୀତିର ବିକାଶରେ ସହାୟକ ହେବ। ଏହା ସହିତ ଐତିହାସିକ ଗନ୍ଧମାର୍ଦ୍ଦନ ପର୍ବତ ଓ ଶ୍ରୀ ଶ୍ରୀ ନୃସିଂହନାଥ ମନ୍ଦିର ପରିଦର୍ଶନରେ ଆସିବାକୁ ମଧ୍ୟ MP ନିମନ୍ତ୍ରଣ ଦେଇଛନ୍ତି।

ଅନ୍ୟପକ୍ଷରେ, ତୋରାଠାରେ ୧୦୪ ଏକର ଜମିରେ ଅବସ୍ଥିତ ବରଗଡ଼ ସମବାୟ ଚିନିକଳ ୨୦୧୭ ମସିହା ଏପ୍ରିଲ୍‌ ମାସରୁ ଆର୍ଥିକ ଓ ପରିଚାଳନାଗତ ସମସ୍ୟା ଯୋଗୁ ବନ୍ଦ ହୋଇପଡ଼ିଛି। ପୂର୍ବରୁ ଇଣ୍ଡିଆନ୍ ପୋଟାସ୍ ଲିମିଟେଡ୍ (ଆଇପିଏଲ୍) ଏହାର ପୁନରୁଦ୍ଧାର ପାଇଁ ଆଗ୍ରହ ଦେଖାଇଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ପ୍ରକ୍ରିୟା ବନ୍ଦ ହୋଇଯାଇଥିଲା। ଫଳରେ ଶତାଧିକ କର୍ମଚାରୀ ଓ ଆଖୁଚାଷୀଙ୍କ ଜୀବିକା ପ୍ରଭାବିତ ହୋଇଛି। ଏହି ସ୍ଥାନରେ ଏକ ଆଧୁନିକ ଓ ସମନ୍ୱିତ ଚିନିକଳ ସ୍ଥାପନ ପାଇଁ ଆଇପିଏଲ୍ କିମ୍ବା ଅନ୍ୟ କୌଣସି ସକ୍ଷମ ସମବାୟ ସଂସ୍ଥାକୁ ଦାୟିତ୍ୱ ଦେବାକୁ MP ସମବାୟ ମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଥିଲେ, ଯାହା ଉପରେ ଶାହ ସକାରାତ୍ମକ ପଦକ୍ଷେପ ନେବାକୁ ପ୍ରତିଶ୍ରୁତି ଦେଇଛନ୍ତି।

ଏହି ସାକ୍ଷାତ୍ ସମୟରେ MP ପୁରୋହିତ ପଶ୍ଚିମ ଓଡ଼ିଶାର କଳା ଓ ସଂସ୍କୃତିର ପ୍ରତୀକ ଭାବେ ଏକ ସମ୍ବଲପୁରୀ ଜ୍ୟାକେଟ୍ ଶାହାଙ୍କୁ ଉପହାର ଦେଇଥିଲେ ଏବଂ ରାଜ୍ୟର ସାମ୍ପ୍ରତିକ ରାଜନୈତିକ ସ୍ଥିତି ସମ୍ପର୍କରେ ମଧ୍ୟ ଆଲୋଚନା କରିଥିଲେ।

Dharitri – Odisha’s No.1 Odia Daily

Share