ବରଗଡ଼ ଧନୁଯାତ୍ରା ପୂର୍ବରୁ ଅଘଟଣ: ଆଖି ବୁଜିଲେ ବଳରାମ ଭୂମିକା ଲାଗି ମନୋନୀତ ଶିଶୁ କଳାକାର

ବରଗଡ଼ ଅଫିସ୍‌,୯।୧୨: ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆସନ୍ତା ୨୭ତାରିଖରୁ ଆରମ୍ଭ ହେବ। ଦୀର୍ଘ ୧୧ଦିନ ବ୍ୟାପି ଏହା ଚାଲିବ। ଚଳିତ ବର୍ଷ ଧନୁଯାତ୍ରା ୭୫ବର୍ଷରେ ପଦାର୍ପଣ କରୁଥିବା ଯୋଗୁ ଅଭିନୟକୁ ଗୁରୁତ୍ୱ ଦିଆଯାଇ ଏଥର କଳାକାର ଚୟନ କରାଯାଇଥିଲା । ମନୋନୀତ କଳାକାରଙ୍କ ପୂର୍ବାଭ୍ୟାସ ମଧ୍ୟ ଆରମ୍ଭ କରିଥିଲେ। ମାତ୍ର ଧନୁଯାତ୍ରା ପୂର୍ବରୁ ଶୁକ୍ରବାର ବଳରାମ ଭୂମିକାରେ ଅଭିନୟ ପାଇଁ ମନୋନୀତ ଶିଶୁ କଳାକାର ଶ୍ରେୟସ ପୂଜାରୀ(୧୨)ଙ୍କ ଅକାଳ ବିୟୋଗ ହୋଇଛି । ତାଙ୍କ ବିୟୋଗ ସମସ୍ତ ଧନୁଯାତ୍ରାପ୍ରେମୀଙ୍କୁ ସ୍ତବ୍ଧ ଓ ଶୋକାଭିଭୁତ କରି ପକାଇଛି ।

ସୂଚନା ଅନୁଯାୟୀ, ଅମ୍ବାପାଲି(ଗୋପପୁର)ର ମହେନ୍ଦ୍ର ଓ ଜୟନ୍ତୀ ପୂଜାରୀଙ୍କ ପୁଅ ଶ୍ରେୟସ ବରଗଡ଼ ସରସ୍ବତୀ ଶିଶୁ ମନ୍ଦିର(ଓଡ଼ିଆ ବିଭାଗ)ର ସପ୍ତମ ଶ୍ରେଣୀ ଛାତ୍ର ଥିଲେ । ଗତ ନଭେମ୍ବର ମାସ ୧୪ତାରିଖ ହୋଇଥିବା ଗୋପପୁର କଳାକାର ଚୟନରେ ସେ ବଲରାମ ଚରିତ୍ରରେ ଅଭିନୟ କରିବାକୁ ମନୋନୀତ ହୋଇଥିଲେ । ଗତ କିଛିଦିନ ଧରି ପ୍ରତିଦିନ ସନ୍ଧ୍ୟାରେ ଅମ୍ବାପାଲି ସମଲେଶ୍ୱରୀ ମନ୍ଦିର ନିକଟ ପାର୍ବତୀ ଗିରି ବାଳିକା ହାଇସ୍କୁଲ ପରିସରରେ ଚାଲିଥିବା ଗୋପପୁର କଳାକାରଙ୍କ ପୂର୍ବାଭ୍ୟାସ କାର୍ଯ୍ୟକ୍ରମରେ ମଧ୍ୟ ସାମିଲ ରହି ଅଭିନୟର ପୂର୍ବାଭ୍ୟାସ କରୁଥିଲେ । ସରସରାଠାରେ ଚାଲିଥିବା ସମଲେଶ୍ୱରୀ ମନ୍ଦିର ପ୍ରତିଷ୍ଠା ଉତ୍ସବକୁ ଗ୍ରାମରୁ ଜୁଗାର ଯାଇଥିବା ଯୋଗୁ ଗୁରୁବାର ଶ୍ରେୟସ ପରିବାର ସହିତ ସେଠାକୁ ଯାଇଥିଲେ । କ୍ଲାନ୍ତ ଅନୁଭବ କରିବା ଯୋଗୁ ସେ ଶୁକ୍ରବାର ବିଦ୍ୟାଳୟକୁ ଯାଇ ନଥିଲେ ଏବଂ ନିଜ ଘର ଛାତ ଉପରେ ପଢ଼ୁଥିଲେ । ମାତ୍ର ଦୀର୍ଘ ସମୟ ଧରି ସେ ଛାତ ଉପରୁ ନ ଓହ୍ଲାଇବାରୁ ପରିବାର ଲୋକେ ସେଠାକୁ ଯାଇଥିଲେ ଏବଂ ଏକ ଦଉଡ଼ିରେ ଛନ୍ଦି ହୋଇ ଛାତ ଉପରେ ଗଦା ହୋଇଥିବା ମେଟାଲ୍‌ ଉପରେ ସେ ପଡ଼ି ରହିଥିବା ଦେଖିବାକୁ ପାଇଥିଲେ ବୋଲି ସ୍ଥାନୀୟ ଲୋକେ କହିଛନ୍ତି । ଏହାପରେ ତାଙ୍କୁ ବରଗଡ଼ ଡାକ୍ତରଖାନାକୁ ଅଣାଯାଇଥିଲା । ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ସ୍ଥାନୀୟ ପୋଲିସ ଏ ନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହିତ ଶବ ବ୍ୟବଚ୍ଛେଦ କରାଇଛି ।