OAS ପରୀକ୍ଷାରେ ବରଗଡ଼ ପୁଅଙ୍କ ବାଜିମାତ୍: ଅଧ୍ୟାପକଙ୍କ ପୁଅ ରାଜ୍ୟରେ ୩ୟ, ମନ୍ଦିର ସେବକଙ୍କ ପୁଅ…

ବରଗଡ଼,୨୬।୫(ପ୍ରେମାନନ୍ଦ ଖମାରୀ)- ଓଡ଼ିଶା ଲୋକସେବା ଆୟୋଗ(ଓପିଏସି) ପରିଚାଳିତ ଓଡ଼ିଶା ପ୍ରଶାସନିକ ସେବା(ଓଏଏସ୍‌)ରେ ବରଗଡ଼ ଜିଲାର ୨ ଜଣ ସଫଳତା ଅର୍ଜନ କରିଛନ୍ତି। ବରଗଡ଼ କଲେଜ ରୋଡ୍‌ ବାସିନ୍ଦା ତଥା ଭଟଲି ଦଧିବାମନ କଲେଜର ଅବସରପ୍ରାପ୍ତ ଓଡ଼ିଆ ପ୍ରାଧ୍ୟାପକ ସୁରେଶ କୁମାର ସାହୁଙ୍କ ପୁଅ ଜିତାମିତ୍ର ସାହୁ ଏଥିରେ ତୃତୀୟ ର଼୍ୟାଙ୍କରେ ରହିଥିବାବେଳେ ସୋହେଲା ବ୍ଲକ କୁଚିପାଲି ଜଗନ୍ନାଥ ମନ୍ଦିରର ସେବକ ଶମ୍ଭୁ ପ୍ରସାଦ ଦାଶଙ୍କ ପୁଅ ସୁମନ କଲ୍ୟାଣ ଦାଶ ୩୩ ର଼୍ୟାଙ୍କରେ ରହି ବରଗଡ଼ ଜିଲା ପାଇଁ ଗୌରବ ଆଣିଛନ୍ତି। ଜିତାମିତ୍ର ବରଗଡ଼ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର (ଓଡ଼ିଆ ବିଭାଗ)ରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ିଥିବାବେଳେ ବରଗଡ଼ ସାଇନ୍ସ ଇନଷ୍ଟିଚ୍ୟୁଟ୍‌ରେ ଯୁକ୍ତଦୁଇ ପଢ଼ିଥିଲେ। ଏହାପରେ ସେ ଏନ୍‌ଆଇଟି, ରାଉରକେଲାରେ ଇଣ୍ଡିଗ୍ରେଟେଡ୍‌ ବିଏସ୍‌ସି, ଏମ୍‌ଏସ୍‌ସି ସମାପନ କରି ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିଲେ। ପ୍ରଥମଥର ସେ ଗୋଟିଏ ମାର୍କ ପାଇଁ ଅସଫଳ ହୋଇଥିବାବେଳେ ଏଥର ରାଜ୍ୟରେ ତୃତୀୟ ର଼୍ୟାଙ୍କରେ ଉତ୍ତୀର୍ଣ୍ଣ ହୋଇ ପରିବାର ତଥା ବରଗଡ଼ ଜିଲା ପାଇଁ ଖୁସି ଆଣି ଦେଇଛନ୍ତି। ଜିତାମିତ୍ରଙ୍କ ଭିଣୋଇ ତଥା କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ, କଲିକତାର ସହାୟକ ଆୟୁକ୍ତଭାବେ କାର୍ଯ୍ୟରତ ଦିବାକର ଭୋଇ କହିଛନ୍ତି, ଏଥର ସେ ପରୀକ୍ଷାରେ ସଫଳ ହେବ ବୋଲି ଆଶାବାଦୀ ଥିଲୁ। ଜିତାମିତ୍ର ବହୁତ ପରିଶ୍ରମ କରିଥିଲା ଏବଂ ସେ ତୃତୀୟ ର଼୍ୟାଙ୍କରେ ରହିବା ଜାଣି ବହୁତ ଖୁସି ଅନୁଭବ କରୁଛୁ।

Dharitri – Odisha’s No.1 Odia Daily

Share