ଦାରିଙ୍ଗବାଡ଼ି,୨ା୫(ଅରୁଣ ସାହୁ): ଗ୍ରୀଷ୍ମ ଋତୁରେ ବିଶେଷ କରି ବୈଶାଖ ମାସରେ ବରଡ଼ା ଶାଗର ଚାହିଦା ବୃଦ୍ଧି ପାଇବା ସହ ଅମଳ ବୃଦ୍ଧି ପାଇଥାଏ। ଏହି ପ୍ରରିପ୍ରେକ୍ଷୀରେ ଏହି ଶାଗ କନ୍ଧମାଳ ଜିଲାର ବହୁ ଗ୍ରାମରେ ଅମଳ ହେଉଥିବା ବେଳେ ଅଧିକ ରାଇକିଆ ବ୍ଲକ ଅଞ୍ଚଳରୁ ଶାଗ ସଂଗ୍ରହ କରି ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳର ବିଭିନ୍ନ ଛକ ଓ ବଜାର ଗଳି କନ୍ଦିରେ ଏହି ଶାଗ ବିକ୍ରି କରି ସ୍ବାବଲମ୍ବୀ ହେଉଛନ୍ତି ମହିଳାମାନେ ସେମାନେ ବିଭିନ୍ନ ଗାଁ ମୁଣ୍ଡ, ଜଙ୍ଗଲରେ ବରଡ଼ା ଗଛରୁ କଅଁଳିଆ ପତ୍ର ସଂଗ୍ରହ କରି ଆଣି ବସ ଯୋଗେ ଦାରିଙ୍ଗବାଡ଼ି ସମେତ ସିମନବାଡି ଅଭିମୁଖେ ଆଣି ତାକୁ ବିକ୍ରି କରିଥାନ୍ତି ମହିଳା। ଏହି ବ୍ୟବସାୟ କରିଆସୁଥିବା ବେଳେ ସେ ପୁରୁଣା ନୀତି ବା ପାରମ୍ପରିକ ଭାବେ ଶାଗକୁ ଓଜନ ବଦଳରେ ଭାଗ ଭାଗ କରି ତାକୁ ବିକ୍ରି କରିବା ସହ ଗୋଟିଏ ଭାଗକୁ ୨୦ ଟଙ୍କା ଲେଖାଏ ବିକ୍ରି କରି ଭଲ ରୋଜଗାର କରନ୍ତି। ବୈଶାଖ ଓ ଜୈଷ୍ଠ ମାସ ୨ ମାସ ଧରି ଏହି ଶାଗର ସ୍ବାଦ ଅଧିକ ରହୁଥିବାରୁ ଏହାକୁ ବିକ୍ରି କରି ଜନଜାତି ସମ୍ପ୍ରଦାୟର ମହିଳାମାନେ ଜୀବନଜୀବିକା ନିର୍ବାହ କରିଥାନ୍ତି। ତେବେ ଏହି ବରଡ଼ା ଗଛ ଧିରେ ଧିରେ ଜଙ୍ଗଲ ଉଜୁଡିବା ଫଳରେ ନଷ୍ଟ ହୋଇବାକୁ ବସୁଥିବା ବେଳେ ପୂର୍ବଭଳି ଏହି ଶାଗର ଅମଳ ମଧ୍ୟ କମିବାରେ ଲାଗିଛି। ଏହି ଗଛ ଆମ୍ବ ପିଜୁଳି, ପଣସ ଭଳି ବିରାଟକାୟ ଗଛ ହୋଇଥାଏ। ତେଣୁ ଅନେକ ସମୟରେ ଉକ୍ତ ଗଛକୁ ଦୁର୍ବୃତ୍ତମାନେ ଜାଳେଣି କାଠ ହେଉ କି ଗୃହ ନିର୍ମାଣ ପାଇଁ ଗଛ କାଟି ନେଉଛନ୍ତି। ଏହାକୁ ବନ ବିଭାଗ ଅଧିକ ଚାରା ସୃଷ୍ଟି କରି ଜୁଲାଇ ମାସରେ ଲୋକଙ୍କୁ ଅଧିକରୁ ଅଧିକ ଚାରା ଯୋଗାଇଦେଲେ ନିଶ୍ଚିତ ଏହି ଶାଗ ଚାହିଦା ଅନୁସାରେ ଲୋକଙ୍କୁ ମିଳିପାରିବ ଓ ଜନଜାତି ସମ୍ପ୍ରଦାୟର ମହିଳାଙ୍କୁ ଜୀବନଜୀବିକା ସ୍ବାବଲମ୍ବୀ ହୋଇପାରିବ ବୋଲି କୁହାଯାଉଛି।


