ବରଗଡ଼, ୨୬।୬ (ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଏକ ସାଙ୍ଘାତିକ ଘଟଣା ସାମ୍ନାକୁ ଆସିଛି। ଜଣେ ଜଣାଶୁଣା ଏ-କ୍ଲାସ କଣ୍ଟ୍ରାକ୍ଟର ସୁଜୟ ଶ୍ରୀମନ୍ତ ବିଶିଙ୍କୁ ବନ୍ଧୁକ ମୁନରେ ଜୀବନରୁ ମାରିଦେବାକୁ ଧମକ ଦିଆଯାଇଥିବା ଅଭିଯୋଗ ହୋଇଛି। ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଚାଞ୍ଚଲ୍ୟ ଖେଳାଇ ଦେଇଛି। ଏ ନେଇ ବିଶି ଶୁକ୍ରବାର ବରଗଡ଼ ସଦର ଥାନାରେ ଏକ ଲିଖିତ ଏତଲା ଦେବା ପରେ ପୋଲିସ ମାମଲା ରୁଜୁ କରି ଘଟଣାର ତନାଘନା ଆରମ୍ଭ କରିଛି।
ସୂଚନା ଅନୁଯାୟୀ, କଣ୍ଟ୍ରାକ୍ଟର ସୁଜୟ ଶ୍ରୀମନ୍ତ ବିଶି ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନରେ ସ୍ଥାନୀୟ ମାଲିପାଲି ବ୍ରିଜ୍ରୁ ଲାଉନସରା ରାସ୍ତା ଉନ୍ନତିକରଣ କାର୍ଯ୍ୟ କରୁଛନ୍ତି। ତେବେ କିଛି ମାଫିଆ ଜୀରା ନଦୀରୁ ବେଆଇନ ଭାବେ ବାଲି ଉଠାଇ ବଡ଼ ବଡ଼ ହାଇୱା ଗାଡ଼ି ଯୋଗେ ସେହି ନିର୍ମାଣାଧୀନ ରାସ୍ତାରେ ନେଉଥିଲେ। ଫଳରେ ଚାଲିଥିବା ରାସ୍ତା କାମ ବେଶ୍ ପ୍ରଭାବିତ ହେଉଥିଲା। ତେଣୁ କାମକୁ ସୁରୁଖୁରୁରେ କରିବା ଦୃଷ୍ଟିକୋଣରୁ କଣ୍ଟ୍ରାକ୍ଟର ବିଶି ଉକ୍ତ ରାସ୍ତାର ମୁଣ୍ଡକୁ ବନ୍ଦ କରି ଦେଇଥିଲେ।
ଅଭିଯୋଗ ମୁତାବକ, ଗୁରୁବାର ସନ୍ଧ୍ୟାରେ କିଛି ଅସାମାଜିକ ଯୁବକ ସେଠାରେ ପହଞ୍ଚି ରାସ୍ତା ବନ୍ଦକୁ ନେଇ ବେଶ୍ ପାଟି କରିଥିଲେ। ଏହାପରେ ସେମାନେ କଣ୍ଟ୍ରାକ୍ଟର ବିଶିଙ୍କ ଉପରକୁ ବନ୍ଧୁକ ଦେଖାଇ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ। କେବଳ ସେତିକି ନୁହେଁ, ଅଭିଯୁକ୍ତମାନେ ତାଙ୍କୁ ନିର୍ଧୁମ ମାଡ଼ ମାରିବା ସହ ସେ ପିନ୍ଧିଥିବା ସୁନା ଚେନ୍କୁ ମଧ୍ୟ ଛିଣ୍ଡାଇ ନେଇଥିବା ସେ ଏତଲାରେ ଦର୍ଶାଇଛନ୍ତି।
ଏହି ସଂଘାତିକ ଘଟଣାକୁ ସ୍ଥାନୀୟ କଣ୍ଟ୍ରାକ୍ଟର ଆସୋସିଏସନ୍ ତୀବ୍ର ନିନ୍ଦା କରିଛି। କାର୍ଯ୍ୟରତ ଠିକାଦାରଙ୍କୁ ଏଭଳି ସୁରକ୍ଷାହୀନତା ମଧ୍ୟରେ କାମ କରିବା ଅସମ୍ଭବ ବୋଲି ସଂଘ କହିଛି। ଏହି ପ୍ରସଙ୍ଗରେ ତୁରନ୍ତ ଦୃଢ଼ କାର୍ଯ୍ୟାନୁଷ୍ଠାନ ଏବଂ ଅଭିଯୁକ୍ତମାନଙ୍କ ଗିରଫ ଦାବିରେ ସଂଘର ସଦସ୍ୟମାନେ ବରଗଡ଼ ଏସପିଙ୍କୁ ଭେଟିବା ପାଇଁ ନିଷ୍ପତ୍ତି ନେଇଛନ୍ତି।