ପ୍ରକୃତିର ବରଦାନ ‘ବାରବାଙ୍କ’

ଢେଙ୍କାନାଳ ଅଫିସ, ୭।୧: ସର୍ପିଳ ରାସ୍ତାଟିଏ। ପାହାଡ଼ର ଛାତି ଚିରି ମାଡ଼ି ଯାଇଛି ଆଗକୁ। ଦୁଇ ପାର୍ଶ୍ୱରେ ଘଞ୍ଚ ସବୁଜ ବନାନୀ। ପକ୍ଷୀଙ୍କ କାକଳି। ମେଘମାଳାର କଳେବର ଯାତ୍ରୀଙ୍କୁ ଘଡ଼ିଏ ଅଟକାଇ ଦେବାର ସାମର୍ଥ୍ୟ ରଖେ। ସମୁଦ୍ର ପତ୍ତନଠାରୁ ୨୨୩୯ ଫୁଟ ଉପରେ ଗାଡ଼ିରେ ଯିବା ବେଳେ ପ୍ରକୃତିର ନୈସର୍ଗିକ ଶୋଭା ବିଭୋର କରିଦିଏ ଆଗନ୍ତୁକଙ୍କୁ। ମନାଲି କି ଉତ୍ତରାଖଣ୍ଡର କୌଣସି ହିଲ୍‌ ପଏଣ୍ଟ ନୁହେଁ, ଢେଙ୍କାନାଳରେ ପ୍ରକୃତିରାଣୀ ଲୁଚାଇ ରଖିଛି ଅପରୂପ ସୌନ୍ଦର୍ଯ୍ୟରେ ଭରପୂର ପ୍ରକୃତିର ଏଭଳି ଏକ ବରଦାନ, ଯାହାର ନାଁ ‘ବାରବାଙ୍କ’…

ଢେଙ୍କାନାଳକୁ ବାଦ୍‌ ଦେଇ ଓଡ଼ିଶା ପର୍ଯ୍ୟଟନ ମାନଚିତ୍ରର ପରିକଳ୍ପନା କରିବା ଅସମ୍ଭବ। କେଉଁ ଆବାହମାନ କାଳରୁ ବିଶ୍ୱପ୍ରସିଦ୍ଧ ଶୈବପୀଠ କପିଳାସ ଶ୍ରଦ୍ଧାଳୁ ଏବଂ ପର୍ଯ୍ୟଟକଙ୍କ ପାଇଁ ପାଲଟିଛି ଆକର୍ଷଣ। ଆଧ୍ୟାତ୍ମିକତା ଦୃଷ୍ଟିକୋଣରୁ ଏହାର ଗୁରୁତ୍ୱ ଅନେକ। ସେହିପରି କପିଳାସ କ୍ଷେତ୍ରାଧିପତି ଶ୍ରୀଚନ୍ଦ୍ରଶେଖରଜୀଉଙ୍କ ସହିତ ଐତିହାସିକ ଭାବେ ଜଡ଼ିତ ‘ବାରବାଙ୍କ’।
ସମୁଦ୍ର ପତ୍ତନଠାରୁ ହାରାହାରି ୨୨୩୯ ଫୁଟ ଉଚ୍ଚତାରେ ଅବସ୍ଥିତ ପୀଠକୁ ଯିବା ପାଇଁ ରହିଛି ଦୁଇଟି ପଥ। ମନ୍ଦିର ପାଦଦେଶରୁ ଚାଲି ଚାଲି ଯିବା ପାଇଁ ରହିଛି ୧୩୫୨ ପାହାଚ। ତେବେ ‘ବାରବାଙ୍କ’ ରାସ୍ତା ଦେଇ ଯାନବାହନ ପୀଠ ଯାଏ ପହଞ୍ଚତ୍ଥାଏ। ଗବେଷକ ତଥା ସ୍ତମ୍ଭକାର ପଣ୍ଡିତ ଅନ୍ତର୍ଯ୍ୟାମୀ ମିଶ୍ରଙ୍କ ସୂଚନା ଅନୁଯାୟୀ, ଦ୍ୱାଦଶ ଶତାବ୍ଦୀର ମଧ୍ୟଭାଗ ଅର୍ଥାତ୍‌ ୧୨୪୬ ମସିହାରେ ପ୍ରତିଷ୍ଠିତ ହୋଇଥିଲା କପିଳାସ ମନ୍ଦିର। ସେହି ସମୟରେ ମନ୍ଦିରକୁ ଯିବାକୁ ଜଙ୍ଗଲିଆ ପାଦଚଲା ରାସ୍ତା ଥିଲା ଏକ ମାଧ୍ୟମ। ୧୯୦୯ରେ ତତ୍କାଳୀନ ଢେଙ୍କାନାଳ ରାଜାଙ୍କ ଉଦ୍ୟମରେ ଏହାର ବିକାଶ ହୋଇଥିଲା। ହାତୀପିଠିରେ ବସି ରାଜା ଏବଂ ରାଜପରିବାର ସଦସ୍ୟ ଶ୍ରୀଚନ୍ଦ୍ରଶେଖରଙ୍କ ଦର୍ଶନ କରିବାକୁ ଯାଉଥିଲେ। ୧୯୧୬ରେ ‘ବାରବାଙ୍କ’କୁ ସବୁଦିନିଆ ରାସ୍ତା ଫିଟିଲା। ଜଙ୍ଗଲ ସଫା କରି ମାଟିପଥରରେ ତିଆରି କରାଗଲା ପଥ। ସ୍ବାଧୀନତା ପରବର୍ତ୍ତୀ ସମୟରେ ଏହି ରାସ୍ତାର କଳେବର ବଦଳିବା ସହ ଅଧିକ ପ୍ରଶସ୍ତ ହୋଇଛି। ଏକଦା କଚ୍ଚା ଥିବା ରାସ୍ତା ଏବେ ପକ୍କା ହୋଇଛି। ପିଚୁ ଢଳେଇ କରାଯିବା ସହ ଆନୁଷଙ୍ଗିକ ବିକାଶ କାର୍ଯ୍ୟ କରାଯାଇଛି। ସୁରକ୍ଷିତ ଯାନବାହନ ଚଳାଚଳ ଲାଗି ରାସ୍ତାକୁ ଅଧିକ ଚଉଡ଼ା କରାଯିବା ସହ ଉଭୟ ପାର୍ଶ୍ୱରେ କଂକ୍ରିଟ୍‌ ପାଚେରି ନିର୍ମାଣ କରାଯାଇଛି।
କପିଳାସ ପାଦ ଦେଶରୁ ‘ବାରବାଙ୍କ’ ରାସ୍ତା ଦେଇ ୫ କିମି ଗଲେ ପଡ଼େ ମନ୍ଦିର। ଏଥିଲାଗି ୧୨ଟି ମୋଡ଼ ଅତିକ୍ରମ କରିବାକୁ ହୋଇଥାଏ। ୭ନମ୍ବର ବାଙ୍କରୁ ୯ ନମ୍ବର ବାଙ୍କ ମଧ୍ୟରେ ରାସ୍ତା ଅଧିକ ଚଉଡ଼ା। ଏଠାରେ ଗାଡ଼ି ରଖି ପର୍ଯ୍ୟଟକମାନେ ପ୍ରାକୃତିକ ପରିବେଶକୁ ମନଭରି ଉପଭୋଗ କରିଥାନ୍ତି। ଏବେ ଏହା ପାଲଟିଛି ସେଲ୍‌ଫି ପଏଣ୍ଟ। ସେହିପରି ୨୦୦୦ ଫୁଟ ଉଚ୍ଚ ପାହାଡ଼ ଉପରୁ ଯାତ୍ରାକୁ ସ୍ମୃତିମଧୁର କରିବାକୁ ଦୂରଦୂରାନ୍ତର ସବୁଜ ବନାନୀକୁ କ୍ୟାମେରା ଲେନ୍ସରେ ତୋଳିଧରିଥାନ୍ତି ଅନେକ। ରାସ୍ତାରେ ଯିବା ସମୟରେ ମାଙ୍କଡ଼, ପାହାଡ଼ି ମୂଷା ସମେତ ବିଭିନ୍ନ ପ୍ରଜାତିର ପକ୍ଷୀ ପର୍ଯ୍ୟଟକଙ୍କ ମନୋରଞ୍ଜନ କରିଥାନ୍ତି। ଜାଗରଯାତ୍ରା, ଶିବ ଚତୁର୍ଦ୍ଦଶୀ ସମେତ ବିଭିନ୍ନ ପର୍ବପର୍ବାଣିରେ ‘ବାରବାଙ୍କ’ ରାସ୍ତା ଶ୍ରଦ୍ଧାଳୁଙ୍କ ପାଇଁ ବିକଳ୍ପ ସାଜେ। ଅନେକ ସମୟରେ ଭିଡ଼ ଯୋଗୁ ଟ୍ରାଫିକ ଜାମ୍‌ ଭଳି ସମସ୍ୟା ସୃଷ୍ଟି ହୋଇଥାଏ। ନିକଟରେ ଏହି ରାସ୍ତାକୁ ସମ୍ପୂର୍ଣ୍ଣ ବିଦ୍ୟୁତୀକରଣ କରିବାକୁ ଯୋଜନା କରାଯାଉଛି। ଏ ସଂକ୍ରାନ୍ତରେ ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ନରୋତ୍ତମ ବେହେରା କୁହନ୍ତି, ବାରବାଙ୍କ ରାସ୍ତାକୁ ଆଲୋକୀକରଣ କରିବା ଲାଗି ଦିଆଯାଇଥିବା ପ୍ରସ୍ତାବ ମଞ୍ଜୁର ହୋଇଛି। ନିକଟ ଭବିଷ୍ୟତରେ ଏହି କାର୍ଯ୍ୟ ଆରମ୍ଭ ହେବ।

ଉଟ୍ଟି ଭଳି ଅନୁଭବ ହୁଏ
‘ବାରବାଙ୍କ’ର ଅନୁଭବ ହିଲ୍‌ଷ୍ଟେଶନ ଉଟି ଭଳି। ଘନଜଙ୍ଗଲ ଓ ପର୍ବତମାଳା ମଧ୍ୟରେ ଏହାର ସବୁଜିମା ପରିବେଶ ଦେଖିଲେ ଫେରିବାକୁ ଇଛା ହୁଏନି ା ୧୦ନଂ. ବାଙ୍କରେ ଏକ ବଡ଼ ବରଗଛ ରହିଛି। ସାମୟିକ ବିଶ୍ରାମ ଲାଗି ଏହା କାମରେ ଆସେ। – ଶରତ ବେହେରା
ଶାନ୍ତ ପରିବେଶ ଉପଭୋଗ୍ୟ
ସବୁଜିମା ଭରା ‘ବାରବାଙ୍କ’ ପ୍ରକୃତିର ଦାନ। ଭସା ବାଦଲ ଭିତରେ ଏହାର ଶାନ୍ତ ପରିବେଶ ଉପଭୋଗ୍ୟ। ଭାରାକ୍ରାନ୍ତ ଜୀବନ ମଧ୍ୟରେ ଟିକିଏ ଶାନ୍ତି ପାଇବା ପାଇଁ ଏହା ଏକ ପ୍ରକୃଷ୍ଟ ସ୍ଥାନ। ରାସ୍ତାରେ ମାଙ୍କଡ଼ ପଲ ମଧ୍ୟ ଦେଖିବାକୁ ମିଳେ।
– ସତ୍ୟବ୍ରତ ସାହୁ


Enter your email to get our daily news in your inbox.

All Right Reserved By Dharitri.Com

ଶୀତ ମହୋତ୍ସବରେ ଯୋଗଦେବେ ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର: ଭାଜପା କର୍ମକର୍ତ୍ତଙ୍କୁ ଭେଟି …

ଦାରିଙ୍ଗବାଡି,୨୭।୧୨(ଅରୁଣ ସାହୁ ): ଦାରିଙ୍ଗବାଡିରେ ଆସନ୍ତା ଜାନୁଆରୀ ୮ରୁ୧୧ ପର୍ଯ୍ୟନ୍ତ ଶୀତ ମହୋତ୍ସବ ଅନୁଷ୍ଠିତ ହେବାକୁ ଯାଉଛି। ଗତ ୨୦୧୫ରୁ ପ୍ରଥମଥର ପାଇଁ ତାଜ୍ୟ ସ୍ତରୀୟ...

ପୁରୀ, ଭୁବନେଶ୍ୱରରେ ରେଳ ଚଳାଚଳ ଦୁଇଗୁଣା ବଢ଼ିବ

ଭୁବନେଶ୍ୱର,୨୮ା୧୨(ଅନୁରାଧା ମହାରଣା): ଆସନ୍ତା ୫ ବର୍ଷରେ ଅର୍ଥାତ୍‌ ୨୦୩୦ ସୁଦ୍ଧା ଭୁବନେଶ୍ୱର, ପୁରୀ ଏବଂ ବିଶାଖାପାଟଣାରେ ରେଳ ଚଳାଚଳ କ୍ଷମତା ଦ୍ୱିଗୁଣା କରାଯିବ। ଏଥିପାଇଁ ପ୍ରମୁଖ...

ପ୍ରତିଷ୍ଠା ଦିବସର ଦିନକ ପରେ ବଡ଼ ଘୋଷଣା କଲା ବିଜେଡି

ଭୁବନେଶ୍ୱର,୨୮ା୧୨(ସୁନିତ୍‌ ମିଶ୍ର): ବିଜେଡି ପ୍ରତିଷ୍ଠା ଦିବସ ପାଳନର ଦିନକ ପରେ ୧୧ ସାଙ୍ଗଠନିକ ଜିଲା ପାଇଁ ଦଳ ସଭାପତି ନବୀନ ପଟ୍ଟନାୟକ ଶନିବାର ତାଲିକା ପ୍ରକାଶ...

୭୦% ଚାଷୀଙ୍କୁ ମିଳୁନି କେସିସି ଋଣ

ଭୁବନେଶ୍ୱର,୨୭।୧୨(ରବିନାରାୟଣ ଜେନା): ରାଜ୍ୟରେ ଚାଷୀଙ୍କ ବିକାଶ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ବହୁବିଧ ଯୋଜନା କାର୍ଯ୍ୟକାରୀ କରାଯାଉଛି। ଏହାକୁ ତୃଣମୂଳସ୍ତରରେ କାର୍ଯ୍ୟକାରୀ କରିବା...

୧୦ମ ଶ୍ରେଣୀ ଇତିହାସ, ରାଜନୀତି ବିଜ୍ଞାନ ବହିରେ ଭୁଲ୍‌ ତଥ୍ୟ

ଭଦ୍ରକ,୨୮।୧୨(ସନାତନ ରାଉତ): ୨୦୧୩ ମସିହାରେ ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ମୁଦ୍ରିତ ଓ ପ୍ରକାଶିତ ୧୦ମ ଶ୍ରେଣୀ ଇତିହାସ ଓ ରାଜନୀତି ବିଜ୍ଞାନ ବହିରେ...

ପହିଲାରୁ ୩ ଡିଗ୍ରୀ ବଢ଼ିବ ତାପମାତ୍ରା

ଭୁବନେଶ୍ୱର,୨୮ା୧୨(ଅନୁରାଧା ମହାରଣା): ରାଜ୍ୟରେ ପ୍ରବଳ ଶୀତ ସହ କୁହୁଡ଼ି ପ୍ରଭାବରେ ଜନଜୀବନ ଅସ୍ତବ୍ୟସ୍ତ ହେବାରେ ଲାଗିଛି। ୩୧ ତାରିଖ ପର୍ଯ୍ୟନ୍ତ ଏଭଳି ସ୍ଥିତି ଲାଗି ରହିବ।...

ସରକାରଙ୍କ ବଡ଼ ଘୋଷଣା, ଅନ୍‌ଲାଇନରେ ହେବନି…

କଟକ,୨୮।୧୨(କାର୍ତ୍ତିକ ସାହୁ): ଏଣିକି ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (ଆର୍‌ଟିଓ)ରେ ମୋଟରଯାନ ନିୟମ ଉଲ୍ଲଂଘନରେ ଜାରି ହୋଇଥିବା ଇ-ଚାଲାଣ ବାବଦରେ ନଗଦ ଅର୍ଥ ଅଫ୍‌ଲାଇନରେ ଗ୍ରହଣ କରାଯିବ।...

ନୂଆ ଇତିହାସ ରଚିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ୨୮ ଡିସେମ୍ବରରେ…

ନୂଆଦିଲ୍ଲୀ, ୨୭।୨୫: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ୨୮ ଡିସେମ୍ବରରେ ଭାରତୀୟ ନୌସେନାର ଏକ ପନଡୁବ୍ବୀରେ ସମୁଦ୍ର ଯାତ୍ରା କରିବେ। ଏହି ଯାତ୍ରା କର୍ନାଟକର କାରବାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri