ପାଟନା,୩।୮: ବାଙ୍କିପୁର ବିଧାନସଭା ଉପନିର୍ବାଚନର ବଡ଼ ବିଜୟ ହାସଲ କଲେ ଜନ ସୁରାଜର ପ୍ରତିଷ୍ଠାତା ପ୍ରଶାନ୍ତ କିଶୋର। ବଡ଼ ବ୍ୟବଧାନରେ ସେ ଭାଜପା ପ୍ରାର୍ଥୀ ନୀରଜ ସିହ୍ନାଙ୍କୁ ହରାଇ ଭାଜପାର ୩୫ ବର୍ଷର ଗଡ଼କୁ ଭାଙ୍ଗିଛନ୍ତି। ପୋଷ୍ଟାଲ ବାଲାଟ ଗଣନାରୁ ହିଁ ସେ ଅଗ୍ରଣୀ ରହିଥିଲେ।
ଅନ୍ତିମ ଫଳାଫଳ ଅନୁଯାୟୀ, ପ୍ରଶାନ୍ତ କିଶୋର ୬୩,୨୦୩ ଭୋଟ ପାଇ ବିଜୟୀ ହୋଇଛନ୍ତି। ସେ ଭାଜପା ପ୍ରାର୍ଥୀ ନୀରଜ ସିହ୍ନାଙ୍କୁ ୧୮,୯୫୩ ଭୋଟରେ ପରାସ୍ତ କରିଛନ୍ତି। ନୀରଜ ସିହ୍ନା ୪୪,୨୫୦ ଭୋଟ ପାଇଥିବା ବେଳେ ଆରଜେଡି ପ୍ରାର୍ଥୀ ରେଖା ଗୁପ୍ତା ୧୪,୦୮୫ ଭୋଟ ପାଇ ତୃତୀୟ ସ୍ଥାନରେ ରହିଛନ୍ତି।
ସମସ୍ତ ରାଉଣ୍ଡର ଭୋଟ ଗଣନା ଶେଷ ହେବା ପରେ ପ୍ରଶାନ୍ତ କିଶୋର ବାଙ୍କିପୁର ବିଧାନସଭା ଉପନିର୍ବାଚନରେ ଚମତ୍କାର ବିଜୟ ହାସଲ କରିଛନ୍ତି। ଏହି ବିଜୟକୁ ବିହାର ରାଜନୀତିରେ ଜନ ସୁରାଜ ପାର୍ଟି ପାଇଁ ଏକ ବଡ଼ ସଫଳତା ଭାବେ ଦେଖାଯାଉଛି।
ବାଙ୍କିପୁର ରାଜଧାନୀ ପାଟନାର ଏକ ଗୁରୁତ୍ୱପୂର୍ଣ୍ଣ ବିଧାନସଭା ଆସନ। ଏହା ପୂର୍ବରୁ ଭାଜପାର ଜାତୀୟ ଅଧ୍ୟକ୍ଷ ନିତିନ ନବୀନଙ୍କ ଆସନ ଥିଲା। ସେ ରାଜ୍ୟ ସଭାକୁ ଯିବା ପରେ ଏହି ଆସନରେ ଉପନିର୍ବାଚନ ହୋଇଥିଲା।
ଏହି ଉପନିର୍ବାଚନରେ ଭାଜପା ପକ୍ଷରୁ ନୀରଜ ସିହ୍ନା ପ୍ରାର୍ଥୀ ହୋଇଥିବା ବେଳେ ଜନ ସୁରାଜ ପକ୍ଷରୁ ଏହାର ପ୍ରତିଷ୍ଠାତା ପ୍ରଶାନ୍ତ କିଶୋର ପ୍ରତିଦ୍ୱନ୍ଦ୍ୱିତା କରୁଥିଲେ। ଅନ୍ୟପକ୍ଷରେ ଆରଜେଡି ପକ୍ଷରୁ ରେଖା ଗୁପ୍ତା ନିର୍ବାଚନୀ ମୈଦାନରେ ଥିଲେ।

