ବୈଶିଙ୍ଗା,୧୫।୯(ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମାନଗୋବିନ୍ଦପୁରରେ ଥିବା ୟୂନିୟନ ବ୍ୟାଙ୍କରେ ସୋମବାର ରାତିରେ ଏକ ଡକାୟତି ଯୋଜନାକୁ ପଣ୍ଡ କରିଛି ବ୍ୟାଙ୍କରେ ଲାଗିଥିବା ଅତ୍ୟାଧୁନିକ ଆଣ୍ଟି ଥେପ୍ଟ ସାଇବର ସିକ୍ୟୁରିଟି ବ୍ୟବସ୍ଥା(ସ୍ବତନ୍ତ୍ର ଆଲାରାମ ସିଷ୍ଟମ୍) । ଲଗାତର ୪ ଦିନ ହେଲା ବ୍ୟାଙ୍କ ଛୁଟି ଥିବାର ସୁଯୋଗ ନେଇ ଡ଼କାୟତମାନେ ସୋମବାର ବିଳମ୍ବିତ ରାତିରେ ମାନଗୋବିନ୍ଦପୁରସ୍ଥିତ ୟୁନିୟନ ବ୍ୟାଙ୍କରେ ପଶି ଲୁଟ୍ ଉଦ୍ୟମ କରୁଥିଲେ। ସେତିକିବେଳେ ଅଚାନକ ଏହାର ସାଇରନ ଶାଖା ମ୍ୟାନେଜରଙ୍କ ମୋବାଇଲରେ ବାଜି ଉଠିଥିଲା ଏବଂ ବ୍ୟାଙ୍କର ବେଙ୍ଗାଲୁରୁ ସ୍ଥିତ ମୁଖ୍ୟ କାର୍ଯ୍ୟାଳୟକୁ ମଧ୍ୟ ତ୍ୱରିତ ସୂଚନା ପଠାଇଥିଲା ।
ମୁଖ୍ୟ କାର୍ଯ୍ୟାଳୟର ସୂଚନା ମୁତାବକ ପୋଲିସକୁ ଡ଼କାୟତି ସମ୍ପର୍କରେ ସୂଚନା ଦିଆଯାଇଥିଲା । ସେତେବେଳକୁ ୭ଜଣ ଦୁର୍ବୃତ୍ତ ବ୍ୟାଙ୍କର ମୁଖ୍ୟ ଦ୍ବାର ଗ୍ରିଲ ଭାଙ୍ଗି ଭିତରକୁ ପଶି ସାରିଥିଲେ।
ସୂଚନା ପାଇବା ପରେ ତୁରନ୍ତ ବୈଶିଙ୍ଗା ଥାନା ଅଧିକାରୀ ବାବାଶଙ୍କର ସରାଫ ପୋଲିସ ଟିମ୍ ସହ ଘଟଣାସ୍ଥଳରେ ପହଞ୍ଚି ଥିଲେ। ପୋଲିସ ଆସିବା ଦେଖି ଅଭିଯୁକ୍ତମାନେ କାରରେ ଖସି ଯିବାକୁ ଉଦ୍ୟମ କରିଥିଲେ। ହେଲେ ମାଣତ୍ରୀ-ବୈଶିଙ୍ଗା ରାସ୍ତାରେ ପୋଲିସ କାରକୁ ପିଛା କରି ବୈଶିଙ୍ଗା ଛକ ନିକଟରେ ଡ଼କାୟତମାନଙ୍କୁ ଧରିଥିବାରେ ସକ୍ଷମ ହୋଇଥିଲା। ପୋଲିସ ଘଟଣାସ୍ଥଳରୁ ପଶ୍ଚିମବଙ୍ଗ ନମ୍ବର ଥିବା ଏକ କାରକୁ ଜବତ କରିଛି। ଏପରିକି ପୋଲିସ ୭ଜଣଙ୍କୁ ଗିରଫ କରି ପଚରାଉଚରା ଆରମ୍ଭ କରିଛି।
ବ୍ୟାଙ୍କ ଭିତରୁ ଚୋରି କରିଥିବା ଏକ ମୋବାଇଲ ଫୋନ୍ ସହ ବିଭିନ୍ନ ଯନ୍ତ୍ରପାତିକୁ ପୋଲିସ ଅଭିଯୁକ୍ତଙ୍କଠାରୁ ଜବତ କରିଛି। ବ୍ୟାଙ୍କର ସୁରକ୍ଷା ଅଧିକାରୀ ଉତ୍ତମ କୁମାର ପୃଷ୍ଟିଙ୍କ ଲିଖିତ ଅଭିଯୋଗ କ୍ରମେ ପୋଲିସ ଏକ ମାମଲା(ନଂ.୪୭୪/୨୬) ରୁଜୁ କରି ଅଧିକ ତଦନ୍ତ ଆରମ୍ଭ କରଛି। ଅନ୍ୟପକ୍ଷେ ରାତିରେ ବ୍ୟାଙ୍କ ପରିସରରେ କୌଣସି ସୁରକ୍ଷା କର୍ମଚାରୀ ଉପସ୍ଥିତ ରହୁ ନ ଥିବା ଘଟଣା ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଛି।