ଗ୍ରାହକଙ୍କୁ ଲୁହାରଡ୍‌ରେ ପିଟିଲେ ବ୍ୟାଙ୍କ କ୍ୟାଶିୟର, ଟଙ୍କା କାହିଁକି ମିଳୁନି ପଚାରିବାରୁ…

ଧୂଷୁରୀ,୨୩ା୪(ଦୀପ୍ତିରଞ୍ଜନ ନାୟକ): ଭଦ୍ରକ ଜିଲା ଧୂଷୁରୀ ଥାନା ଓ ଆରଡ଼ି ଫାଣ୍ଡି ଅଧୀନରେ ଥିବା ଏସ୍‌ବିଆଇ ଆରଡ଼ି ଶାଖାର କ୍ୟାଶିୟର ଜଣେ ଗ୍ରାହକ(ଛାତ୍ର)ଙ୍କୁ ବୁଧବାର ପୂର୍ବାହ୍ନରେ ଲୁହାରଡ୍‌ରେ ପିଟିଥିବା ଆରଡ଼ି ଫାଣ୍ଡିରେ ଅଭିଯୋଗ ହୋଇଛି।

ଅଭିଯୋଗ ଅନୁସାରେ, ଶୁଭଙ୍କର ନାୟକ (୨୦) ପୀରହାଟ ଥାନା ଅଧୀନ ତଳଦୁମୁକା ଗ୍ରାମର ଛାତ୍ରଟି ତା’ର ଭଉଣୀକୁ ନେଇ ବ୍ୟାଙ୍କରୁ ଅର୍ଥ ଉଠାଣ କରିବାକୁ ଆସିଥିଲେ। ମାତ୍ର କ୍ୟାଶିୟର ଜିତେନ୍ଦ୍ର ପ୍ରସାଦ ଦାସ ତାଙ୍କୁ ହଇରାଣ କରିବା ସହ ଅର୍ଥରାଶି ଦେଇ ନ ଥିଲେ। ଛାତ୍ର ଜଣକ ଟଙ୍କା ନ ଦେବା କାରଣ ପଚାରିବାରୁ କ୍ୟାଶିୟର ଜଣକ ଉତ୍‌କ୍ଷିପ୍ତ ହୋଇ ଏକ ଲୁହାରଡ୍‌ରେ ମୁଣ୍ଡକୁ ବାଡ଼େଇଥିଲେ। ଛାତ୍ର ଜଣକ ଲୁହାରଡ୍‌କୁ ଧରି ନେବାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଉକ୍ତ କ୍ୟାଶିୟରଙ୍କୁ ଗିରଫ କରିବାକୁ ଶୁଭଙ୍କରଙ୍କ ପରିବାର ପକ୍ଷରୁ ଦାବି କରାଯାଇଛି। ଗିରଫ ନ ହେଲେ ଆସନ୍ତାକାଲି ଆରଡ଼ି ଫାଣ୍ଡି ଆଗରେ ପରିବାର ଧାରଣା ଦେବେ ବୋଲି ଚେତାବନୀ ଦିଆଯାଇଛି । କ୍ୟାଶିୟରଙ୍କ ଏପରି କାଣ୍ଡରେ ଆରଡ଼ି ଅଞ୍ଚଳବାସୀ କ୍ଷୁବ୍ଧ ହେବା ସହ ତାଙ୍କର ଗିରଫ ଦାବି ମଧ୍ୟ କରିଛନ୍ତି।

Dharitri – Odisha’s No.1 Odia Daily