ନୂଆଦିଲ୍ଲୀ,୨୪ା୮: ସାଉଦି ଆରବ, ପାକିସ୍ତାନ ଏବଂ ତୁର୍କୀ ମଧ୍ୟରେ ନିକଟରେ ପ୍ରତିରକ୍ଷା ମେଣ୍ଟ ହୋଇଥିବାବେଳେ ସେଥିରେ ସାମିଲ ହେବା ଲାଗି ବାଂଲାଦେଶ ଆଗ୍ରହୀ ଥିବା ଏହାର ୨ ଜଣ ମନ୍ତ୍ରୀ କହିଛନ୍ତି। ଦେଶର ଜାତୀୟ ସ୍ବାର୍ଥ ଦୃଷ୍ଟିରୁ ଏଭଳି ନିଷ୍ପତ୍ତି ନିଆଯିବା ଉପରେ ସେମାନେ ଗୁରୁତ୍ୱ ଦେଇଛନ୍ତି।
ଗତ ୭ ତାରିଖରେ ମକ୍କାଠାରେ ସାଉଦି ଆରବ, ପାକିସ୍ତାନ ଏବଂ ତୁର୍କୀ ମଧ୍ୟରେ ପ୍ରତିରକ୍ଷା ସହଯୋଗ ଚୁକ୍ତି ସ୍ବାକ୍ଷର ହୋଇଥିଲା। ଉକ୍ତ ୩ ଦେଶ ମଧ୍ୟରୁ ଗୋଟିଏ ଦେଶ ଉପରେ ସଶସ୍ତ୍ର ଆକ୍ରମଣ ହେଲେ, ଏହା ସମସ୍ତଙ୍କ ଉପରେ ଆକ୍ରମଣ ଭାବେ ବିବେଚନା କରାଯିବ ଏବଂ ତଦନୁଯାୟୀ ମିଳିତ ଜବାବ ଦିଆଯିବ ବୋଲି ଚୁକ୍ତିନାମାରେ ଉଲ୍ଲେଖ ରହିଛି। ଉପରୋକ୍ତ ୩ ଦେଶ ସାମିଲ ଥିବା ଅର୍ଥନୈତିକ କିମ୍ବା ପ୍ରତିରକ୍ଷା ବ୍ୟବସ୍ଥାରେ ସାମିଲ ହେବା ସମ୍ଭାବନା ଉପରେ ବାଂଲାଦେଶ ସକାରାତ୍ମକ ଦୃଷ୍ଟିକୋଣ ରଖିଛି। ଢାକା ନିଜର ସ୍ବାର୍ଥ ଏବଂ ବୈଶ୍ୱିକ ଅର୍ଥନୀତି ଓ ବାଣିଜ୍ୟର ବଦଳୁଥିବା ଗତିଶୀଳତାକୁ ନେଇ ଏଭଳି ଆଭିମୁଖ୍ୟ ପ୍ରକାଶ କରିଥିବା ଏହାର ବହିର୍ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ହୁମାୟୁନ୍ କବୀର କହିଛନ୍ତି। ବାଂଲାଦେଶ ଯଦି ପାକ୍-ସାଉଦି-ତୁର୍କୀ ପ୍ରତିରକ୍ଷା ମେଣ୍ଟରେ ସାମିଲ ହୁଏ, ତେବେ ଭାରତ ପାଇଁ ସମସ୍ୟା ସୃଷ୍ଟି ହୋଇପାରେ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି।
ଏକ ଗଣମାଧ୍ୟମକୁ ସାକ୍ଷାତ୍କାର ଦେଇ କବୀର କହିଛନ୍ତି, ସରକାର ‘ବାଂଲାଦେଶ ଫାଷ୍ଟ ନୀତି ଉପରେ ଗୁରୁତ୍ୱ ଦେବା ସହ ଜାତୀୟ ସ୍ବାର୍ଥକୁ ଦୃଷ୍ଟିରେ ରଖି ସନ୍ତୁଳିତ ବିଦେଶ ନୀତି ଗ୍ରହଣ କରୁଛନ୍ତି। ଉକ୍ତ ନୀତି ଢାକାକୁ ପ୍ରତିରକ୍ଷା ଚୁକ୍ତିରେ ସାମିଲ ହେବା ଲାଗି ପ୍ରେରିତ କରିପାରେ । ନିକଟରେ ବାଂଲାଦେଶ ପାକିସ୍ତାନ ସହ ଦ୍ୱିପାକ୍ଷିକ ସମ୍ପର୍କକୁ ସୁଦୃଢ଼ କରିଛି। ବାଣିଜ୍ୟ ଏବଂ ଉଭୟ ଦେଶର ଲୋକମାନଙ୍କ ସହ ସମ୍ପର୍କ ବଢ଼ାଇବା ଉପରେ ଢାକା ଗୁରୁତ୍ୱ ଦେଉଛି। ସାଉଦି କ୍ରାଉନ୍ ପ୍ରିନ୍ସ ମହମ୍ମଦ ବିନ୍ ସଲମାନଙ୍କ ନିମନ୍ତ୍ରଣକ୍ରମେ ବାଂଲାଦେଶ ପ୍ରଧାନମନ୍ତ୍ରୀ ତାରିକ୍ ରହମାନ ରିୟାଧ ଗସ୍ତରେ ଯାଇପାରନ୍ତି ବୋଲି ଆଶା କରାଯାଉଛି। ଏନେଇ ଖୁବ୍ଶୀଘ୍ର କାର୍ଯ୍ୟସୂଚୀ ସ୍ଥିର ହେବ ବୋଲି କବୀର କହିଛନ୍ତି। ସେହିପରି ଅନ୍ୟତମ ବହିର୍ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଶାମା ଓବାଏଦ୍ ଇସ୍ଲାମ ଏକ ଗଣମାଧ୍ୟମକୁ ସାକ୍ଷାତକାରରେ କହିଛନ୍ତି, କୌଣସି ଦେଶ ସହ ଚୁକ୍ତିରେ ଯୋଗ ଦେବା ଲାଗି ବାଂଲାଦେଶ ସରକାର କିଭଳି ଆଭିମୁଖ୍ୟ ଗ୍ରହଣ କରିବେ, ତାହା ସେହି ଦେଶର ଲୋକଙ୍କ ସ୍ବାର୍ଥ ଏବଂ ଜାତୀୟ ସ୍ବାର୍ଥ ଉପରେ ନିର୍ଭର କରିଥାଏ।