ଲଗାଣ ବର୍ଷାରେ ଭୁଶୁଡ଼ିଲା ବାଞ୍ଛା ପୋଲ, ଯୋଗାଯୋଗ ବିଚ୍ଛିନ୍ନ

ହାଟଡିହୀ/ଛେନାପଦୀ,୨୨ା୭(ଶୁଭକାନ୍ତ ନାୟକ/ନିରାକାର ପରିଡା): ଲଗାଣ ବର୍ଷାରେ କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଅଞ୍ଚଳରେ ପରିସ୍ଥିତି ସଙ୍ଗୀନ ହୋଇ ପଡିଛି । ଲୋକେ ଘରୁ ବାହାରିବା ମୁସ୍କିଲ ହୋଇପଡିଛି । ଲଗାଣ ବର୍ଷା ପାଇଁ ବାଲିବରେଇ ଗାଁ ନିକଟରେ ଥିବା ବାଞ୍ଛା ପୋଲଟି ଭୁଶୁଡି ଯାଇଛି । ଫଳରେ ପଡୋଶୀ ଚାରି ଜିଲାକୁ ସଂଯୋଗ କରୁଥିବା ବିଦ୍ୟାଧରପୁର – ମହୁଲପଙ୍ଖା ରାସ୍ତା ବିଛିନ୍ନ ହୋଇଯାଇଛି ।

ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ ୧୯୭୦ ମସିହାର ଏହି ପୋଲଟି ନିର୍ମାଣ ହୋଇଥିଲା  । ୧୯୯୯ ମହାବାତ୍ୟା ଠାରୁ ଏହା ବିପଦ ସଂକୁଳ ଅବସ୍ଥାରେ ଥିଲା। ଏହି ପୋଲ ଉପର ଦୈନିକ ଯାତ୍ରୀବାହୀ ବସ, ଟ୍ରକ ଓ ଭାରୀଯାନ ଚଳାଚଳ କରିଥାଏ । ଏହି ରାସ୍ତାଟି ବାଲେଶ୍ୱର, ଭଦ୍ରକ ଓ ମୟୁରଭଞ୍ଜ ଜିଲାକୁ ସଂଯୋଗ କରୁଛି । ଏତଦ ବ୍ୟତୀତ ଏହି ରାସ୍ତା ଉପରେ ହାଟଡିହୀ ବ୍ଲକର ପଢିଆରିପଲ୍ଲୀ, ବାଲିବରେଇ, ସୋସୋ, ଧନୁର୍ଜୟପୁର, ବାଙ୍ଗୋର ପ୍ରମୁଖ ୫ଟି ପଞ୍ଚାୟତର ଲୋକମାନେ ଯାତାୟାତ କରିଥାନ୍ତି।

ପୋଲଟି ଦୀର୍ଘଦିନ ହେଲା ରକ୍ଷଣା ବେକ୍ଷଣା ଅଭାବରୁ ଦୁର୍ବଳ ହୋଇଯାଇଥିଲା l ଏନେଇ ସ୍ଥାନୀୟ ବାସିନ୍ଦା ବାରମ୍ବାର ଦାବି କରିଥିଲେ । ଜିଲା ପରିଷଦ ଉପାଧ୍ୟକ୍ଷ ସୋମନାଥ ଦାସ କହିଛନ୍ତି ଯେ ଜିଲା ପରିଷଦ ବୈଠକରେ ଏବଂ ପଞ୍ଚାୟତ ସମିତି ବୈଠକରେ ପୋଲର ଦୁର୍ବଳ ସ୍ଥିତି ନେଇ ଦାବି ଉପସ୍ଥାପିତ କରି ଗ୍ରାମ୍ୟ ଉନ୍ନୟନ ବିଭାଗର ଦୃଷ୍ଟି ଆକର୍ଷଣ କରିଥିଲେ। କିନ୍ତୁ ବିଭାଗୀୟ କର୍ତ୍ତୃପକ୍ଷ ଏହାକୁ ଗୁରୁତ୍ୱ ଦେଇନଥିଲେ । ଫଳରେ ଲଗାଣ ବର୍ଷାରେ ପୋଲଟି ଭୁଶୁଡି ପଡିଛି। ଏପରିକି ସ୍କୁଲ,କଲେଜ ଛାତ୍ରୀଛାତ୍ରମାନଙ୍କ ଠାରୁ ଆରମ୍ଭ କରି ସାଧାରଣ ଲୋକମାନେ ଯାତାୟାତରେ ନାହିଁ ନଥିବା ଅସୁବିଧା ଭୋଗିଛନ୍ତି । ଖବର ପାଇ ଗ୍ରାମ୍ୟ ଉନ୍ନୟନ ବିଭାଗର କନିଷ୍ଠ ଯନ୍ତ୍ରୀ ରଜତ କୁମାର ସେଠୀ ଘଟଣା ସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହିତ ତୁରନ୍ତ ପୋଲ ନିର୍ମାଣ ପାଇଁ ପଦକ୍ଷେପ ନିଆଯାଉଛି ବୋଲି କହିଛନ୍ତି । ତୁରନ୍ତ ପୋଲ ନିର୍ମାଣ ନହେଲେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି ଜଳଧର ଦିଅ, ବିଶେଶ୍ୱର ପହି, ରଙ୍ଗାଧର ସାହୁ, ରକ୍ଷାକର ଜେନା, ତନ୍ମୟ କୁମାର ପହି, ଗୋପାଳ କୃଷ୍ଣ ମହାନ୍ତି ପ୍ରମୁଖଙ୍କ ସମେତ ଅଞ୍ଚଳବାସୀ ଚେତାବନୀ ଦେଇଛନ୍ତି।

ସୂଚନା ଯୋଗ୍ୟ, ହାଟଡିହୀ ଅଞ୍ଚଳରେ ବୁଧବାର ସକାଳ ସୁଦ୍ଧା ୧୯୦.୨ ମିମି ବର୍ଷା ହୋଇଥିବା ରେକର୍ଡ କରାଯାଇଛି ବୋଲି ବ୍ଲକ ତରଫରୁ ସୂଚନା ମିଳିଛି ।  ଅନବରତ ପ୍ରବଳ ବର୍ଷା ଯୋଗୁ ଅନେକ ସ୍ଥାନରେ ରାସ୍ତା ଏବଂ ପୋଲ ଉପରେ ପାଣି ପ୍ରବାହିତ ହେଉଛି । ଜନଜୀବନ ବେହାଲ ହୋଇପଡ଼ିଥିବା ବେଳେ କେତେକ ଶିକ୍ଷାନୁଷ୍ଠାନ ଭିତରେ ବର୍ଷା ପାଣି ଜମି ରହିଥିବା ଦେଖାଯାଇଛି ।

Dharitri – Odisha’s No.1 Odia Daily

Share