୨ ମାସ ହେବ ବଲକି ଗାଁ ଅନ୍ଧାର: ବିଦ୍ୟୁତ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ତୁମୁଡ଼ିବନ୍ଧ, ୨୪।୮ (ଦୀପକ କୁମାର ପରାସେଠ): ଦୁଇ ମାସ ହେବ ବଲକି ଗାଁ ଅନ୍ଧାରରେ। ଟ୍ରାନ୍ସଫର୍ମର ଖରାପ ହୋଇଯିବା ପରେ ଆଜି ପର୍ଯ୍ୟନ୍ତ ବିଦ୍ୟୁତ ସେବା ସ୍ୱାଭାବିକ ହୋଇ ନ ଥିବାରୁ ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏହାର ପ୍ରତିବାଦରେ ସୋମବାର ପୂର୍ବାହ୍ନରେ ଗ୍ରାମବାସୀ ତୁମୁଡ଼ିବନ୍ଧ ବ୍ଲକ ଆମ୍ବେଦକର ଛକସ୍ଥିତ ବିଦ୍ୟୁତ କାର୍ଯ୍ୟାଳୟ ଘେରାଉ କରିଥିଲେ।

ସୂଚନା ଅନୁସାରେ, ବଲକି ଗ୍ରାମରେ ପ୍ରାୟ ୩୦ଟି ଆଦିବାସୀ ପରିବାର ବସବାସ କରୁଛନ୍ତି। ପ୍ରାୟ ଦୁଇ ମାସ ପୂର୍ବେ ଗାଁର ଟ୍ରାନ୍ସଫର୍ମର ଖରାପ ହୋଇଯାଇଥିଲା। ସେହିଦିନଠାରୁ ଗ୍ରାମବାସୀ ବିଦ୍ୟୁତ ସେବାରୁ ବଞ୍ଚିତ ହୋଇ ଅନ୍ଧାରରେ ରହୁଛନ୍ତି। ବର୍ତ୍ତମାନ କାଠ ଚୁଲିର ନିଆଁ ହିଁ ଗ୍ରାମବାସୀଙ୍କ ପାଇଁ ଆଲୋକର ଏକମାତ୍ର ଭରସା ପାଲଟିଛି।

ବିଦ୍ୟୁତ ନଥିବାରୁ ଛାତ୍ରଛାତ୍ରୀଙ୍କ ପାଠପଢ଼ା ବାଧାପ୍ରାପ୍ତ ହେଉଛି। ରାତିରେ ଖାଇସାରି ଶୋଇଯିବାକୁ ପଡ଼ୁଥିବା ବେଳେ ବର୍ଷାଦିନର ଅନ୍ଧାର ରାତିରେ ବିଷଧର ସାପ ଓ ବିଛାର ଭୟ ମଧ୍ୟ ରହୁଛି। ଏହାସହ ମୋବାଇଲ ଚାର୍ଜ କରି ନ ପାରିବାରୁ ଯୋଗାଯୋଗ ବ୍ୟବସ୍ଥା ମଧ୍ୟ ପ୍ରଭାବିତ ହୋଇଛି। ଗାଁରେ କେହି ଅସୁସ୍ଥ ହେଲେ ୧୦୮ ଆମ୍ବୁଲାନ୍ସ ସହ ଯୋଗାଯୋଗ କରିବାରେ ମଧ୍ୟ ସମସ୍ୟା ହେଉଥିବା ଗ୍ରାମବାସୀ କହିଛନ୍ତି।

ଗ୍ରାମବାସୀ ସୁବାଷ ମାଝୀ କହିଛନ୍ତି, ଟ୍ରାନ୍ସଫର୍ମର ଖରାପ ହେବା ପରେ ବିଭାଗୀୟ ଅଧିକାରୀଙ୍କୁ ଲିଖିତ ଭାବେ ଅଭିଯୋଗ କରାଯାଇଛି। ଏହାସହ ବାରମ୍ବାର କାର୍ଯ୍ୟାଳୟକୁ ଆସି ମୌଖିକ ଭାବେ ମଧ୍ୟ ଜଣାଇଛୁ। ତଥାପି କୌଣସି ପଦକ୍ଷେପ ନିଆ ନ ଯିବାରୁ ବାଧ୍ୟ ହୋଇ ଗ୍ରାମବାସୀ  ସୋମବାର ବିଦ୍ୟୁତ କାର୍ଯ୍ୟାଳୟ ଘେରାଉ କରିଥିବା ସେ କହିଛନ୍ତି।

ଏ ସମ୍ପର୍କରେ ତୁମୁଡ଼ିବନ୍ଧ ବିଦ୍ୟୁତ ବିଭାଗର ଯନ୍ତ୍ରୀ ପ୍ରଭୁଦତ୍ତ ସାହୁଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ବର୍ଷା ଯୋଗୁଁ ଟ୍ରାନ୍ସଫର୍ମର ସ୍ଥାପନ କରାଯାଇପାରୁନାହିଁ। ପାଗ ଶୁଖିଲା ହେଲେ ଶୀଘ୍ର ଟ୍ରାନ୍ସଫର୍ମର ସ୍ଥାପନ କରାଯାଇ ଗାଁରେ ବିଦ୍ୟୁତ ସେବା ସ୍ୱାଭାବିକ କରାଯିବ ବୋଲି ସେ ସୂଚନା ଦେଇଛନ୍ତି।

Dharitri – Odisha’s No.1 Odia Daily

Share