ପାନୀୟ ଜଳ ପାଇଁ ବାଲିଚୁଆ ଭରସା

କୋକସରା, ୨୨।୧୨ (ଡି.ଏନ.ଏ.): କଳାହାଣ୍ଡି ଜିଲା କୋକସରା ବ୍ଲକ ସଦର ମହକୁମା ପଞ୍ଚାୟତ ନୂଆପଡା ଗାଁର ନଳକୂପ ପାଣି ବ୍ୟବହାର ଉପଯୋଗୀ ହେଉ ନ ଥିବାରୁ ଏବେ ଜଳକଷ୍ଟ ଭୋଗୁଛନ୍ତି ଗ୍ରାମବାସୀ। ଗାଁରେ ୫୦ରୁ ଊର୍ଦ୍ଧ୍ୱ ପରିବାର ରହୁଥିବା ବେଳେ ଜନସଂଖ୍ୟା ପ୍ରାୟ ୨ ଶହରୁ ଅଧିକ। ଏମାନଙ୍କ ପାଇଁ ୨ଟି ନଳକୂପ ରହିଛି। ସେହି ନଳକୂପ ପାଣି ପିଇବା ପାଇଁ ଉପଯୁକ୍ତ ହୋଇ ନ ଥିବା ଯୋଗୁ ଗାଁ ପାଖରେ ପ୍ରବାହିତ ମୁଟୁରା ନଦୀରୁ ମହିଳାମାନେ ପ୍ରତିଦିନ ସକାଳୁ ବାଲିଚୁଆ କରି ପାନୀୟ ଜଳ ସଂଗ୍ରହ କରୁଛନ୍ତି। ନଦୀର ପାଣିକୁ ପାନୀୟ ଜଳ ଓ ଗାଧୋଇବା ସହ ନିତ୍ୟ ବ୍ୟବହାର ମଧ୍ୟ କରୁଛନ୍ତି ଗ୍ରାମବାସୀ। ଗାଁକୁ ପାନୀୟ ଜଳ ଯୋଗାଣ ପାଇଁ ବିଭିନ୍ନ ସମୟରେ ବ୍ଲକ ପ୍ରଶାସନ ନିକଟରେ ଫେରାଦ ହୋଇଛନ୍ତି ଗ୍ରାମବାସୀ। ହେଲେ ଗ୍ରାମବାସୀଙ୍କ ଦାବିକୁ ବ୍ଲକ ପ୍ରଶାସନ ଉପେକ୍ଷିତ କରୁଥିବା କହିଛନ୍ତି। ଏବେ କୌଣସି ଉପାୟ ନ ପାଇ ନଦୀରେ ବାଲିଚୁଆ କରି ପାନୀୟ ଜଳ ସଂଗ୍ରହ କରି ପିଉଥିବା ନେଇ ଅଭିଯୋଗ କରିଛନ୍ତି ନୂଆପଡ଼ା ଗାଁର ୱାର୍ଡ଼ ମେମ୍ବର ଗୋଲବଦନ ନାଏକ, ପୀତାମ୍ବର ନାଏକ, ବୈକୁଣ୍ଠ ପାଣିଗ୍ରାହୀ, ହରଦୁ ନାଏକ, ତ୍ରିନାଥ ନାଗ, ପୁଷ୍ପାଞ୍ଜଳି ନାଏକ, ରୁକ୍ମଣୀ ପାଣିଗ୍ରାହୀ, ଜନେକ ନାଗ, ପ୍ରମିଳା ନାଗ ପ୍ରମୁଖ । ବର୍ଷା ଦିନରେ ନଦୀରେ ପାଣିର ମାତ୍ରା ଅଧିକ ଥିବା ଯୋଗୁ ପ୍ରାୟ ୨ କି.ମି. ଗଡରାମାଲକୁ ପାନୀୟ ଜଳ ପାଇଁ ନିର୍ଭର କରୁଥିବା ମହିଳାମାନେ ଅଭିଯୋଗ କରିଛନ୍ତି । ଏ ନେଇ କୋକସରା ଗୋଷ୍ଠୀ ଉନ୍ନୟନ ଅଧିକାରୀ ମନୀଷା ଦାସଙ୍କୁ ପଚାରିବାରୁ ଗାଁରେ ଥିବା ଦୁଇ ନଳକୂପକୁ ସଫା କରିବା ସହ ଗ୍ରାମ୍ୟ ଜଳ ଯୋଗାଣ ଅଧିକାରୀଙ୍କ ସହ ଆଲୋଚନା କରି ବସୁଧା ଯୋଜନାରେ ନୂଆପଡ଼ା ଗାଁକୁ ଆଗକୁ ପାନୀୟ ଜଳ ଯୋଗାଣ
ପାଇଁ ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ।