ବାଲେଶ୍ୱର, ୭।୧୧(ବାଞ୍ଛାନିଧି ଦେ): ‘ବାଜ୍ୟାପ୍ତି ସ୍ଥିତିବାନ’ ଜମିର ଦଲିଲ ପଞ୍ଜୀକରଣ ପାଇଁ ଲାଞ୍ଚ ନେବା ମାମଲାରେ ବାଲେଶ୍ୱର ଜିଲା ଅନ୍ତର୍ଗତ ବାଲିଆପାଳ ସବ୍ ରେଜିଷ୍ଟ୍ରାର୍ ମନୀଷା ମିଶ୍ରଙ୍କୁ ଶନିବାର କୋର୍ଟଚାଲାଣ କରାଯାଇଛି। ଏନେଇ ଭିଜିଲାନ୍ସ ବିଭାଗ ପକ୍ଷରୁ ଏକ ମାମଲା (ନଂ. ୨୬/୨୦୨୬) ରୁଜୁ ହୋଇ ଅଧିକ ତଦନ୍ତ ଜାରି ରହିଛି ବୋଲି ବାଲେଶ୍ୱର ଭିଜିଲାନ୍ସ ଏସ୍ପିଙ୍କ କାର୍ଯ୍ୟାଳୟରେ ଶନିବାର ଆୟୋଜିତ ଖବରଦାତା ସମ୍ମିଳନୀରେ ଏସ୍ପି ଅରୁଣ କୁମାର ନାୟକ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଜାମିନ ନାମଞ୍ଜୁର ହେବାରୁ ସବ୍ରେଜିଷ୍ଟ୍ରାରଙ୍କୁ ଜେଲ ହାଜତକୁ ପଠାଯାଇଛି।
ସୂଚନା ଯେ, ଦଲିଲ କରାଇଦେବା ପାଇଁ ଜଣେ ମୋହରିରଙ୍କଠାରୁ ଶୁକ୍ରବାର ସେ ନିଜ କାର୍ଯ୍ୟାଳୟରେ ୭ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଦ୍ୱାରା ଧରାପଡ଼ିଥିଲେ। ‘ବାଜ୍ୟାପ୍ତି ସ୍ଥିତିବାନ୍’ ଭାବେ ରେକର୍ଡ ହୋଇଥିବା ୦.୧୪ ଡେସିମିଲ ଜମିର ବିକ୍ରୟ ଦଲିଲ୍ ପଞ୍ଜୀକରଣ କରାଇଦେବା ପାଇଁ ସେ କ୍ରେତାଙ୍କ ଠାରୁ ୧୦ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ। ଅଭିଯୋଗକାରୀ ଅକ୍ଷମତା ପ୍ରକାଶ କରିବାରୁ ସବ୍ ରେଜିଷ୍ଟ୍ରାର ମିଶ୍ର ୭ହଜାର ଟଙ୍କା ଦେବାକୁ କହିଥିଲେ। ଏନେଇ ଅଭିଯୋଗକାରୀ ଭିଜିଲାନ୍ସ କର୍ତ୍ତୃପକ୍ଷଙ୍କ ଦ୍ୱାରସ୍ଥ ହୋଇଥିଲେ। ଏହାପରେ ଓଡ଼ିଶା ଭିଜିଲାନ୍ସର ଏକ ଟିମ୍ ଅଭିଯୋଗକାରୀଙ୍କଠାରୁ ଟଙ୍କା ଲାଞ୍ଚ ନେଉଥିବା ବେଳେ ସବ୍ରେଜିଷ୍ଟ୍ରାର ମିଶ୍ରଙ୍କୁ ଗିରଫ କିରିଥିଲା। ତାଙ୍କଠାରୁ ୭ହଜାର ଟଙ୍କା ଜବତ ହୋଇଥିଲା। ଅଭିଯୁକ୍ତ ସବରେଜିଷ୍ଟ୍ରାର ୨୦୨୪ ମସିହାରେ ଚାକିରିରେ ଯୋଗ ଦେଇଥିଲେ ଏବଂ ବାଲିଆପାଳଠାରେ ସବରେଜିଷ୍ଟ୍ରାର୍ ଭାବରେ ନିଯୁକ୍ତ ହୋଇ ପ୍ରୋବେଶନ ଅବଧିରେ ଥିଲେ।
Dharitri – Odisha’s No.1 Odia Daily