ଭୁବନେଶ୍ୱରକୁ ବିମାନ ଚଳାଚଳ ନେଇ ନିର୍ଦ୍ଦେଶନାମା ଜାରି

ନୂଆଦିଲ୍ଲୀ,୪।୬: ବାଲେଶ୍ୱର ବାହାନଗାରେ ଟ୍ରେନ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୨୮୮କୁ ବୃଦ୍ଧି ପାଇଥିବାବେଳେ ୧୦୦୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ଦୁର୍ଘଟଣାସ୍ଥଳରେ ମରାମତି କାମ ଜୋରସୋରରେ ଚାଲିଛି। କ୍ଷତିଗ୍ରସ୍ତ କୋଚ୍‌ଗୁଡ଼ିକୁ ହଟାଇବା ସହ ଦୁର୍ଘଟଣାସ୍ଥଳରେ ଟ୍ରାକ୍‌ଗୁଡିକର ମରାମତି କାର୍ଯ୍ୟ ଜାରି ରହିଛି। ତେବେ ଏମଧ୍ୟରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ସମସ୍ତ ଏୟାରଲାଇନ୍ସକୁ ବିମାନ ଭଡା ବୃଦ୍ଧି ନ କରିବାକୁ ନିର୍ଦ୍ଦେଶନାମା ଜାରି କରାଯାଇଛି।

ମନ୍ତ୍ରଣାଳୟ ପକ୍ଷରୁ ଭୁନେଶ୍ୱରରୁ ଏବଂ ସେଠାକୁ ଚଳାଚଳ ହେଉଥିବା ବିମାନକୁ ଭଡା ବୃଦ୍ଧି ନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ମନ୍ତ୍ରଳାୟ କହିଛି, ବାହାନଗା ଟ୍ରେନ୍‌ ଦୁର୍ଘଟଣାର ମୃତକଙ୍କ ମୃତଦେହକୁ ସେମାନଙ୍କ ରାଜ୍ୟରେ ପଠାଯିବା ନେଇ ସହଯୋଗ କରନ୍ତୁ। ଏଥିସହ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ସମସ୍ତ ଏୟାରଲାଇନ୍ସକୁ ଭୁବନେଶ୍ୱରକୁ ବାତିଲ ଏବଂ ରିରେଜିଷ୍ଟ୍ରେଶନ ପାଇଁ ଯାତ୍ରୀଙ୍କ ଠାରୁ କୌଣସି ଶୁଳ୍କ ଆଦାୟ ନ କରିବାକୁ ନିଦ୍ଦେର୍ଶ ଦିଆଯାଇଛି।

ସୂଚନାଯୋଗ୍ୟ, ଟ୍ରେନ ଦୁର୍ଘଟଣାରେ ପ୍ରାୟ ୯୦ଟି ଟ୍ରେନ ବାତିଲ କରାଯାଇଥିବାବେଳେ ୪୬ଟି ଟ୍ରେନର ମାର୍ଗ ପରିବର୍ତ୍ତନ କରାଯାଇଛି। ଏଥିସହ ୧୧ଟି ଟ୍ରେନ ଗନ୍ତବ୍ୟ ସ୍ଥଳ ପୂର୍ବରୁ ଅଟକି ରହିଛି। ଦୁର୍ଘଟଣା ଯୋଗୁ ଅଧିକାଂଶ ଦକ୍ଷିଣ ଏବଂ ଦକ୍ଷିଣ-ପୂର୍ବ ରେଲୱେ ଜୋନର ଟ୍ରେନ୍‌ ପ୍ରଭାବିତ ହୋଇଛି।

Share