ରୋଚକ ହେଉଛି ବାଲେଶ୍ୱର ପଲଟିକ୍ସ,ଶ୍ରୀକାନ୍ତ ଫାଇନାଲ, ବିଜେଡି ଖୋଜୁଛି ପ୍ରାର୍ଥୀ

ବାଲେଶ୍ୱର,୩।୪: ବିଜେଡି ଓ ଭାଜପା ପରେ କଂଗ୍ରେସ ଗତକାଲି ୪୭ ବିଧାନସଭା ୮ ଲୋକ ସଭା ପ୍ରାର୍ଥୀ ଘୋଷଣା କରିଛି। ଅର୍ଥାତ୍‌ ରାଜ୍ୟରେ ୩ଟି ଦଳ ଅଧାରୁ ଅଧିକ ବିଧାନସଭା ଓ ଲୋକ ସଭା ପାଇଁ ପ୍ରାର୍ଥୀ ଘୋଷଣା କରିସାରିଲେଣି। ହେଲେ ବାଲେଶ୍ୱର ଜିଲାରେ ଉଭୟ ଲୋକ ସଭା ଓ ବିଧାସସଭା ପ୍ରାର୍ଥୀକୁ ନେଇ ବିଜେଡି, ଭାଜପା ଓ କଂଗ୍ରେସ ଦ୍ୱନ୍ଦ୍ୱରେ ଥିବା ସ୍ପଷ୍ଟ ହୋଇଛି। ଯଦିଓ ଭାଜପା ବାଲେଶ୍ୱର ଲୋକ ସଭା ପ୍ରାର୍ଥୀ ଘୋଷଣା କରି ସାରିଛି କିନ୍ତୁ ବିଜେଡି ଓ କଂଗ୍ରେସ ବର୍ତ୍ତମାନ ଯାଏଁ କାହାକୁ ପ୍ରାର୍ଥୀ କରିବ ଜାଣିପାରୁ ନାହାନ୍ତି।
କଂଗ୍ରେସରୁ ଲୋକ ସଭା ପ୍ରାର୍ଥୀ ଆଶାୟୀ ଥିବା ନବଜ୍ୟୋତି ପଟ୍ଟନାୟକ ତୃଣମୂଳ ସ୍ତରରୁ ସଂଗଠନ ପାଇଁ କାମ କରି ଆସୁଥିବାବେଳେ ଏବେ କଂଗ୍ରେସ ଶ୍ରୀକାନ୍ତ ଜେନାଙ୍କୁ ପୁଣି ପ୍ରାର୍ଥୀ କରିବା ନେଇ ଚର୍ଚ୍ଚା ହେଉଛି। କହିବାକୁ ଗଲେ ବର୍ତ୍ତମାନ କଂଗ୍ରେସ ଆଶାୟୀଙ୍କ ମଧ୍ୟରେ ଛକାପଞ୍ଝା ଚାଲିଛି। ସେହିପରି ବିଜେଡିରେ ପୂର୍ବତନ ଏମପି ରବୀନ୍ଦ୍ର ଜେନାଙ୍କ ସ୍ତ୍ରୀ ସୁବାସୀନ ଜେନାଙ୍କୁ ବସ୍ତା ଟିକେଟ୍‌ ମିଳିବା ପରେ ଏବେ ବିଜେଡି ବାଲେଶ୍ୱର ସଂସଦୀୟ କ୍ଷେତ୍ର ପାଇଁ ପ୍ରାର୍ଥୀ କାହାକୁ କରିବ ଚିନ୍ତାରେ ପଡିଛି। କୁହାଯାଉଛି ସୁବାସୀନଙ୍କୁ ବସ୍ତାରୁ ଟିକେଟ୍‌ ମିଳିବା ପରେ ସ୍ବାମୀ ରବୀନ୍ଦ୍ରଙ୍କୁ ଆଉ ଏମପି ପ୍ରାର୍ଥୀ କରା ନ ଯାଇପାରେ। ଏଭଳି ସ୍ଥିତିରେ ବିଜେଡି କାହାକୁ ଏମପି ପ୍ରାର୍ଥୀ କରିବ ଏହି ଦ୍ୱନ୍ଦ୍ୱରେ ପଡିଛି।
ଚର୍ଚ୍ଚା ହେଉଛି ବାଲେଶ୍ୱର ଏମପି ପ୍ରାର୍ଥୀ ପାଇଁ ବିଜେଡି ଶିମୂଳିଆ ବିଧାୟକ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ, ନୀଳଗିରି ବିଧାୟକ ସୁକାନ୍ତ ନାୟକ, ଜିଲା ପରିଷଦ ସଭାପତି ନାରାୟଣ ଜେନା, ନୀଳଗିରି ପୂର୍ବତନ ବିଧାୟକ ସନ୍ତୋଷ ଖଟୁଆ ଭଳି ନେତାଙ୍କ ଉପରେ ବିଜେଡି ଏବେ ବିଚାର କରୁଛି। ତେବେ ଦେଖିବାକୁ ବାକି ରହିଲା ବିଜେଡି ଓ କଂଗ୍ରେସ କାହାକୁ ପ୍ରାର୍ଥୀ କରୁଛି।