ଆଖି ସଂକ୍ରମଣରେ ପୀଡ଼ିତ ମାଖନା ହାତୀ: ବନ ବିଭାଗ ପକ୍ଷରୁ ମାଖନା ହାତୀର ସ୍ୱାସ୍ଥ୍ୟ ନିରୀକ୍ଷଣ

ବାଲେଶ୍ୱର,୧୫।୮( ବାଞ୍ଛାନିଧି ଦେ): ବାଲେଶ୍ୱର ବନ ବିଭାଗ ପକ୍ଷରୁ ଦୀର୍ଘ ୧୫ରୁ ୨୦ ଦିନ ଧରି କୁଲଡ଼ିହା ବନ୍ୟପ୍ରାଣୀ ରେଞ୍ଜ ପଞ୍ଚଲିଙ୍ଗେଶ୍ୱର ଅଞ୍ଚଳରେ ଏକ ମାଖନା (ଦାନ୍ତହୀନ ଅଣ୍ଡିରା) ହାତୀର ଗତିବିଧି ଏବଂ ସ୍ୱାସ୍ଥ୍ୟ ନିରୀକ୍ଷଣ କରାଯାଇଛି। ବନ ବିଭାଗ ନିୟମିତ କ୍ଷେତ୍ର ନିରୀକ୍ଷଣ ସମୟରେ ଏହି ହାତୀଟିର ଗତିବିଧି ଏବଂ ବ୍ୟବହାର ଉପରେ ତୀକ୍ଷ୍ଣ ନଜର ରଖିଆସୁଛି।

ହାତୀଟିର ଶରୀରରେ ସମ୍ଭାବ୍ୟ ସ୍ୱାସ୍ଥ୍ୟ ସମସ୍ୟାର ଲକ୍ଷଣ ଦେଖାଯିବା ପରେ ବନ ବିଭାଗ ତୁରନ୍ତ ଏକ ପ୍ରାଣୀଚିକିତ୍ସକ ଦଳ ଦ୍ୱାରା ଏହାର ପରୀକ୍ଷା ନିରୀକ୍ଷା ପାଇଁ ବ୍ୟବସ୍ଥା କରିଥିଲା। ପରୀକ୍ଷା ପରେ ପ୍ରାଣୀଚିକିତ୍ସକ ଦଳ ହାତୀଟିର ଆଖିରେ ସଂକ୍ରମଣର ଲକ୍ଷଣ ଥିବା ଲକ୍ଷ୍ୟ କରିଥିଲେ ଏବଂ ଏହାକୁ କ୍ରମାଗତ ନିରୀକ୍ଷଣରେ ରଖିବା ପାଇଁ ପରାମର୍ଶ ଦେଇଥିଲେ।

ବର୍ତ୍ତମାନ ହାତୀଟି କଡ଼ା ନଜରବନ୍ଦୀରେ ରହିଥିବାବେଳେ ଫିଲ୍ଡ ଷ୍ଟାଫ୍‌ମାନେ ନିୟମିତ ଭାବରେ ଏହାର ଗତିବିଧି, ବ୍ୟବହାର ଓ ସ୍ୱାସ୍ଥ୍ୟ ଅବସ୍ଥାର ଆକଳନ କରୁଛନ୍ତି। ହାତୀଟିର ସ୍ୱାସ୍ଥ୍ୟାବସ୍ଥା ଏବଂ ନିର୍ଦ୍ଧାରିତ ନିୟମାବଳୀ (ପ୍ରୋଟୋକଲ୍) ଆଧାରରେ ଆଗାମୀ ଦିନରେ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯିବ ବୋଲି ବନ ବିଭାଗ ପକ୍ଷରୁ ଏକ ପ୍ରେସ୍ ବିବୃତ୍ତି ମାଧ୍ୟମରେ ସୂଚନା ଦିଆଯାଇଛି।

Dharitri – Odisha’s No.1 Odia Daily

Share