ବାଲେଶ୍ୱର-ଭଦ୍ରକ ଲୋକାଲ ଟ୍ରେନ ଭଡ଼ା କମିବ

ଭଦ୍ରକ,୨୧ା୧୨(ସନାତନ ରାଉତ): କୋଭିଡ୍‌ ସମୟରୁ ଓଡ଼ିଶାରେ ସମସ୍ତ ଲୋକାଲ ଟ୍ରେନ୍‌ରେ ଏକ୍ସପ୍ରେସ୍‌ ଭଡ଼ା ଲାଗୁ କରାଯାଇଥିଲା। ବାଲେଶ୍ୱରରୁ ଭଦ୍ରକ ଆସୁଥିବା ଲୋକାଲ ଟ୍ରେନ୍‌ରେ ୨୦ ଟଙ୍କା ଭଡ଼ା ନିଆଯାଉଥିବା ବେଳେ ଭଦ୍ରକରୁ ବାଲେଶ୍ୱର ଯାଉଥିବା ଯାତ୍ରୀଙ୍କଠାରୁ ୪୦ ଟଙ୍କା ଭଡ଼ା ନିଆଯାଉଥିଲା।

ଏହାର ପ୍ରତିବାଦରେ ଭଦ୍ରକ ଜିଲା ସର୍ବୋଦୟ ମଣ୍ଡଳ ପକ୍ଷରୁ ସଭାପତି ଅମର କୁମାର ପାଣିଗ୍ରାହୀଙ୍କ ନେତୃତ୍ୱରେ ଇଷ୍ଟକୋଷ୍ଟ ରେଲୱେ ଡିଭିଜନ ମ୍ୟାନେଜରଙ୍କ ନିକଟରେ ବାରମ୍ବାର ଅଭିଯୋଗ କରାଯାଇଥିଲା। ଏହା ଉପରେ ରେଳ ବିଭାଗ ବିଚାର କରି ଶୁକ୍ରବାରଠାରୁ ଭଦ୍ରକରୁ ବାଲେଶ୍ୱର ଲୋକାଲ ଭଡ଼ା ୨୦ ଟଙ୍କା ନିଆଯିବାକୁ ସ୍ଥିର କରାଯାଇଛି।

ଇଷ୍ଟକୋଷ୍ଟ ରେଲୱେ ପ୍ରିନ୍ସିପାଲ ଚିଫ୍‌ କମର୍ସିଆଲ ମ୍ୟାନେଜର ଅଶ୍ୱିନୀ କୁମାର ଗୁରୁବାର ଖୋର୍ଦ୍ଧା ଡିଭିଜନାଲ କମର୍ସିଆଲ ମ୍ୟାନେଜରଙ୍କୁ ଚିଠି ମାଧ୍ୟମରେ ଜଣାଇଛନ୍ତି। ଏହି ଚିଠିର ଏକ ନକଲ ସର୍ବୋଦୟ ମଣ୍ଡଳ ଭଦ୍ରକ ସଭାପତିଙ୍କୁ ମଧ୍ୟ ପ୍ରେରଣ କରାଯାଇଛି। ଏହି ନିଷ୍ପତ୍ତି ପରେ ସର୍ବୋଦୟ ମଣ୍ଡଳ ପାଣିଗ୍ରାହୀ ଇଷ୍ଟକୋଷ୍ଟ ରେଲୱେ ଜେନେରାଲ ମ୍ୟାନେଜର ଓ ଡିଆର୍‌ଏମ୍‌ଙ୍କୁ କୃତଜ୍ଞତା ଜଣାଇଛନ୍ତି।