ମହିଳା କର୍ମଚାରୀଙ୍କୁ ଅସଦାଚରଣ ଅଭିଯୋଗ: ବଲାଙ୍ଗୀର ଉପଜିଲାପାଳ ନିଲମ୍ବିତ

ବଲାଙ୍ଗୀର ଅଫିସ, ୪ା୯-ବଲାଙ୍ଗୀର ଉପଜିଲାପାଳ ସଞ୍ଜୟ କୁମାର ମିଶ୍ରଙ୍କ ବିରୋଧରେ ତାଙ୍କ ଅଫିସ୍‌ର ଜଣେ ମହିଳା କର୍ମଚାରୀ ସଙ୍ଗିନ ଅଭିଯୋଗ ଆଣିଛନ୍ତି। ଉପଜିଲାପାଳ ମିଶ୍ର ନିଜ ଅଫିସ ଚ୍ୟାମ୍ବର ଭିତରେ ସମ୍ପୃକ୍ତ ମହିଳା କର୍ମଚାରୀଙ୍କୁ ଅସଦାଚରଣ କରିଥିବା ସେ ଅଭିଯୋଗ କରିଛନ୍ତି ା ଏ ନେଇ ପୀଡିତା ମହିଳା ଜଣକ ଜିଲାପାଳଙ୍କୁ ଲିଖିତ ଭାବେ ଜଣାଇ ସୁରକ୍ଷା ଲୋଡିଥିବା ଜଣାପଡିଛି। ନ୍ୟାୟ ନ ମିଳିଲେ ଆତ୍ମହତ୍ୟା କରିବେ ବୋଲି ସମ୍ପୃକ୍ତ ବିଧବା ମହିଳା କର୍ମଚାରୀ ଜଣକ ଅଭିଯୋଗ ପତ୍ରରେ ଉଲ୍ଲେଖ କରିଛନ୍ତି । ଏଭଳି ଅଭିଯୋଗ ପାଇବା ପରେ ସମ୍ପୃକ୍ତ ମହିଳା କର୍ମଚାରୀଙ୍କୁ ଉପଜିଲାପାଳଙ୍କ ଅଫିସରୁ ଅନ୍ୟ ଅଫିସକୁ ବଦଳି କରାଯାଇଛି। ଅଭିଯୋଗ ସଙ୍ଗିନ ହୋଇଥିବାରୁ ଏକ ତିନିଜଣିଆ ଜିଲାସ୍ତରୀୟ କମିଟିକୁ ଘଟଣାର ତଦନ୍ତ କରିବାକୁ ଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଏହି ଅଭିଯୋଗ ସମ୍ପର୍କରେ ଉପଜିଲାପାଳ ମିଶ୍ରଙ୍କୁ ଶୁକ୍ରବାର ଗଣମାଧ୍ୟମ ପ୍ରତିନିଧିମାନେ ପ୍ରଶ୍ନ କରିବା ପରେ ଏହା ଏକ ବିବାଦୀୟ ପ୍ରସଙ୍ଗ। ଏଣୁ ଏହା ଉପରେ ସେ କିଛି କହିପାରିବେ ନାହିଁ ବୋଲି ମନ୍ତବ୍ୟ ଦେଇଛନ୍ତି। ଅନ୍ୟପକ୍ଷେ ଏହି ଘଟଣାରେ ଉପଜିଲାପାଳ ମିଶ୍ରଙ୍କୁ ରାଜ୍ୟ ସରକାର ନିଲମ୍ବିତ କରିଛନ୍ତି ।
ବଲାଙ୍ଗୀର ଉପଜିଲାପାଳଙ୍କ ଅଫିସରେ ଜୁନିୟର ରେଭିନ୍ୟୁ ଆସିଷ୍ଟାଣ୍ଟ ଭାବେ କାମ କରୁଥିବା ଜଣେ ବିଧବା ମହିଳାଙ୍କୁ କିଛିଦିନ ତଳେ ଉପଜିଲାପାଳ ମିଶ୍ର ତାଙ୍କ ଅଫିସ ଚ୍ୟାମ୍ବରକୁ ଡାକିଥିଲେ । ସେଠାକୁ ଯିବା ପରେ ସମ୍ପୃକ୍ତ ମହିଳା କର୍ମଚାରୀଙ୍କୁ ଉପଜିଲାପାଳ ମିଶ୍ର କୁଆଡେ ଅସଦାଚରଣ କରିଥିଲେ। ଏହାପରେ ମହିଳା ଜଣକ ସେଠାରୁ ପଳାଇ ଯାଇଥିଲେ । ଏହି ଘଟଣାକୁ ନେଇ ମହିଳା କର୍ମଚାରୀ ଜଣକ ଜିଲାପାଳ ଅରିନ୍ଦମ ଡାକୁଆଙ୍କୁ ଲିଖିତ ଭାବେ ଜଣାଇଥିଲେ ଏବଂ ସେହି ଅଫିସରେ ସେ ଆଉ କାମ କରିବେ ନାହିଁ ବୋଲି ଜଣାଇ ସୁରକ୍ଷା ଲୋଡିଥିଲେ। ଏହାପରେ ଜିଲାପାଳ ସମ୍ପୃକ୍ତ ମହିଳା କର୍ମଚାରୀଙ୍କୁ ଉପଜିଲାପାଳଙ୍କ ଅଫିସରୁ ଅନ୍ୟ ଏକ ଅଫିସକୁ ବଦଳି କରିବା ସହ ତଦନ୍ତ ପାଇଁ ଜିଲାସ୍ତରୀୟ ଲୋକାଲ କମ୍ପ୍ଲେନ କମିଟିକୁ ନିର୍ଦ୍ଦେଶ ଦେଇଛନ୍ତି । ଏହି କମିଟିର ତିନିଜଣିଆ ସଦସ୍ୟା ସମ୍ପୃକ୍ତା ମହିଳା କର୍ମଚାରୀଙ୍କୁ ଡାକି କାଉନ୍‌ସେଲିଂ କରିବା ସହ ପ୍ରାରମ୍ଭିକ ତଦନ୍ତ ରିପୋର୍ଟ ସରକାରଙ୍କୁ ପଠାଇଥିବା କମିଟି ସଦସ୍ୟା ସୁଚିତା ପୁଷ୍ପା ସୂଚନା ଦେଇଛନ୍ତି। ଆଗକୁ ଉଭୟ ପକ୍ଷଙ୍କୁ ନୋଟିସ କରି ତଦନ୍ତ ପାଇଁ ଡକାଯିବ ବୋଲି ସେ ସୂଚନା ଦେଇଛନ୍ତି।