ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଜଳିଗଲେ ଓଡ଼ିଆ ଶ୍ରମିକ, ଗାଁକୁ ଫେରୁଛି ମୃତଦେହ

ବଲାଙ୍ଗୀର,୧୪ା୫(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲାରୁ ଶ୍ରମିକମାନେ ନିଜ ପରିବାର ପୋଷଣ କରିବା ପାଇଁ ରାଜ୍ୟ ବାହାରକୁ ଦାଦନ ଖଟିବାକୁ ଯାଉଛନ୍ତି । ହେଲେ ଅନେକ ଶ୍ରମିକଙ୍କ ଜୀବନ ଯାଉଥିବା ମଧ୍ୟ ଖବର ସାମ୍ନାକୁ ଆସୁଛି । ବଲାଙ୍ଗିର ଜିଲା ତୁଷୁରା ଅଞ୍ଚଳର ଜଣେ ଓଡ଼ିଆ ଶ୍ରମିକ ବାହାର ରାଜ୍ୟ ଗୁଜୁରାଟକୁ କାମ କରିବାକୁ ଯାଇଥିଲେ । ଡୁଙ୍ଗୁରୀପାଲି ଗାଁର ବୀରେନ୍ଦ୍ର ଛତ୍ରିଆ ଗୁଜୁରାଟର ଲିଜୁରା ସ୍ଥିତ ଏକ ମାର୍ବଲ କାରଖାନା ପରିସରରେ କାମ କରୁଥିବା ବେଳେ ହଠାତ୍ ମେସିନର ବିଦ୍ୟୁତ୍ ସ୍ପର୍ଶରେ ଆସି ଶ୍ରମିକ ଜଣକ ଜଳିଯାଇଥିବା ଜଣାଯାଇଛି।

ଶ୍ରମିକଙ୍କୁ କାରଖାନା କର୍ତ୍ତୃପକ୍ଷ ସ୍ଥାନୀୟ ଏକ ଡାକ୍ତରଖାନାକୁ ନେଇଥିଲେ। ହେଲେ ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଏନେଇ ସେଠାକାର ପୋଲିସ ଏକ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ କରାଇବା ପରେ ଶ୍ରମିକଙ୍କ ପରିବାର ରହୁଥିବା ଡୁଙ୍ଗୁରୀପାଲି ଗ୍ରାମକୁ ଏକ ଆମ୍ବୁଲାନ୍ସ ଯୋଗେ ଶବକୁ ପଠାଉଥିବା ସୂଚନା ମିଳିଛି । ଶ୍ରମିକଙ୍କ ମୃତଦେହ ଏପର୍ୟ୍ଯନ୍ତ ପହଞ୍ଚି ନଥିବା ବେଳେ ଶ୍ରମିକଙ୍କ ଘରେ ସ୍ତ୍ରୀ ସହ ନାବାଳକ ଦୁଇଟି ପୁଅ ଓ ଜଣେ ଝିଅ ରହିଛନ୍ତି । ଗରୀବ ଦାଦନ ଶ୍ରମିକ ପାରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ସ୍ଥାନୀୟ ଅଞ୍ଚଳବାସୀ ଦାବି କରିଛନ୍ତି ।

 

Dharitri – Odisha’s No.1 Odia Daily

Share