୧.୧୫ ଲକ୍ଷ ଲାଞ୍ଚ ମାଗି ଫସିଗଲେ ବଲାଙ୍ଗିର ସରକାରୀ ITI ପ୍ରିନ୍ସିପାଲ୍: ରେଡ୍‌ହାଣ୍ଡେଡ୍ ଧରାପଡ଼ିଲେ, ୩ ସ୍ଥାନରେ ଭିଜିଲାନ୍ସର…

ବଲାଙ୍ଗୀର,୬।୧୧(ସୁନିଲ କୁମାର ମହାନ୍ତି): ୩୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଓଡ଼ିଶା ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ବଲାଙ୍ଗିର ସରକାରୀ ଆଇଟିଆଇ (ITI) ପ୍ରିନ୍ସିପାଲ୍ ସୁରେଶ କୁମାର ଦଳବେହେରା। ଆଇଟିଆଇରେ କାର୍ଯ୍ୟରତ ଗେଷ୍ଟ ଇନଷ୍ଟ୍ରକ୍ଟରମାନଙ୍କ ଚାକିରି ଜାରି ରଖିବା ସହ ନିୟମିତ ଦରମା ପ୍ରଦାନ ପାଇଁ ସେ ଲାଞ୍ଚ ଦାବି କରିଥିବା ଅଭିଯୋଗ ହୋଇଥିଲା।

ସୂଚନା ଅନୁଯାୟୀ, ଅଭିଯୁକ୍ତ ପ୍ରିନ୍ସିପାଲ୍ ୯ ଜଣ ଗେଷ୍ଟ ଇନଷ୍ଟ୍ରକ୍ଟରଙ୍କଠାରୁ ମୋଟ ୧ ଲକ୍ଷ ୧୫ ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ। ଟଙ୍କା ନଦେଲେ ଚାକିରିରୁ ବାହାର କରିଦେବା ସହ ଦରମା ବନ୍ଦ କରିଦେବାକୁ ସେ ଧମକ ଦେଇଥିଲେ। ଏଥିରେ ଅତିଷ୍ଠ ହୋଇ ଗେଷ୍ଟ ଇନଷ୍ଟ୍ରକ୍ଟରମାନେ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ।

ପୂର୍ବ ଯୋଜନା ଅନୁଯାୟୀ, ବଲାଙ୍ଗିର ରେଳ ଷ୍ଟେଶନ ନିକଟରେ ଅଭିଯୋଗକାରୀଙ୍କଠାରୁ ଲାଞ୍ଚ ଅର୍ଥର ପ୍ରଥମ କିସ୍ତି ବାବଦକୁ ୩୦ ହଜାର ଟଙ୍କା ଗ୍ରହଣ କରୁଥିବା ସମୟରେ ଭିଜିଲାନ୍ସ ଟିମ୍ ପ୍ରିନ୍ସିପାଲ୍‌ଙ୍କୁ ରେଡ୍‌ହାଣ୍ଡେଡ୍ କାବୁ କରିଥିଲା। ଜବତ ହୋଇଛି ସମ୍ପୂର୍ଣ୍ଣ ଲାଞ୍ଚ ଟଙ୍କା।

ଏହି ଘଟଣା ପରେ ଆୟବହିର୍ଭୂତ ସମ୍ପତ୍ତି ଠୁଳ ସନ୍ଦେହରେ ଅଭିଯୁକ୍ତଙ୍କ ସହ ସମ୍ପୃକ୍ତ ୩ଟି ସ୍ଥାନରେ ଏକକାଳୀନ ଚଢ଼ାଉ ଜାରି ରହିଛି। ଏନେଇ ସମ୍ବଲପୁର ଭିଜିଲାନ୍ସ ଥାନାରେ ଦୁର୍ନୀତି ନିବାରଣ ଆଇନ ଅନୁଯାୟୀ ମାମଲା ରୁଜୁ କରାଯାଇ ତଦନ୍ତ ପ୍ରକ୍ରିୟା ଆଗେଇ ଚାଲିଛି।

Dharitri – Odisha’s No.1 Odia Daily

Share