ବଲାଙ୍ଗୀର, ୭।୧୧ (ସୁନିଲ କୁମାର ମହାନ୍ତି): ସହକାରୀ ଗେଷ୍ଟ ଇନ୍ଷ୍ଟ୍ରକ୍ଟରମାନଙ୍କୁ ନିୟମିତ ଦରମା ପ୍ରଦାନ କରିବା ପାଇଁ ସେମାନଙ୍କଠାରୁ ଲାଞ୍ଚ ନେବାବେଳେ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ବଲାଙ୍ଗୀର ସରକାରୀ ଆଇଟିଆଇର ପ୍ରିନ୍ସିପାଲ ସୁରେଶ କୁମାର ଦଳବେହେରା। ଶୁକ୍ରବାର ଅପରାହ୍ନରେ ୩୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ବଲାଙ୍ଗୀର ରେଳ ଷ୍ଟେଶନରେ ତାଙ୍କୁ ଭିଜିଲାନ୍ସ ଟିମ୍ କାବୁ କରିଥିଲା। ତାଙ୍କଠାରୁ ଲାଞ୍ଚ ଟଙ୍କା ଜବତ କରାଯିବା ସହ ଗିରଫ କରାଯାଇଛି। ଶନିବାର ତାଙ୍କୁ ଭିଜିଲାନ୍ସ କୋର୍ଟରେ ହାଜର କରାଯିବା ପରେ ଜାମିନ ନାମଞ୍ଜୁର ହେବାରୁ ଜେଲ ପଠାଯାଇଛି।
ମିଳିଥିବା ସୂଚନା ଅନୁଯାୟୀ, ବଲାଙ୍ଗୀର ସରକାରୀ ଆଇଟିଆଇରେ କାର୍ଯ୍ୟରତ ୯ ଜଣ ଇନ୍ଷ୍ଟ୍ରକ୍ଟରଙ୍କୁ ନିୟମିତ ଦରମା ପ୍ରଦାନ କରିବା ପାଇଁ ପ୍ରିନ୍ସିପାଲ ଦଳବେହେରା ୧ ଲକ୍ଷ ୧୫ ହଜାର ଟଙ୍କା ଲାଞ୍ଚ ଦାବି କରିଥିବା ଅଭିଯୋଗ ହୋଇଥିଲା। ଲାଞ୍ଚ ଟଙ୍କା ନ ଦେଲେ କାର୍ଯ୍ୟରୁ ବାହାର କରିଦେବାକୁ ସେ ଧମକ ଦେଇଥିବା ମଧ୍ୟ ଅଭିଯୋଗ ହୋଇଥିଲା। ଏନେଇ ଇନ୍ଷ୍ଟ୍ରକ୍ଟରମାନେ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ।
ଯୋଜନା ଅନୁଯାୟୀ, ଶୁକ୍ରବାର ଅପରାହ୍ନରେ ଦାବି କରାଯାଇଥିବା ମୋଟ ଲାଞ୍ଚ ଟଙ୍କାର ପ୍ରଥମ କିସ୍ତି ବାବଦକୁ ୩୦ ହଜାର ଟଙ୍କା ଅଭିଯୋଗକାରୀଙ୍କଠାରୁ ନେଉଥିବାବେଳେ ଭିଜିଲାନ୍ସ ଟିମ୍ ତାଙ୍କୁ ବଲାଙ୍ଗୀର ରେଳ ଷ୍ଟେଶନରେ ଧରିଥିଲା। ପରେ ତାଙ୍କୁ ପଚରାଉଚରା ପାଇଁ ଏକ ଗୋପନୀୟ ସ୍ଥାନକୁ ନିଆଯାଇଥିଲା। ଏଥିସହ ଭିଜିଲାନ୍ସ ଟିମ୍ ପକ୍ଷରୁ ତାଙ୍କ ସହ ସମ୍ପୃକ୍ତ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଥିଲା।
ପ୍ରିନ୍ସିପାଲଙ୍କ ସରକାରୀ କ୍ୱାର୍ଟର, କେନ୍ଦ୍ରାପଡ଼ା ଜିଲାର ମହାକାଳପଡ଼ା ଥାନା ଅନ୍ତର୍ଗତ ପଲ୍ଲୀଗଡ଼ ଗ୍ରାମରେ ଥିବା ପୈତୃକ ଘର ଏବଂ ରାଉରକେଲାର ହମିରପୁରଠାରେ ଥିବା ଏକ ଫ୍ଲାଟ୍ରେ ଚଢ଼ାଉ କରାଯାଇଥିଲା। ଏହି ଚଢ଼ାଉ ସମୟରେ ମୋଟ ୫ ଲକ୍ଷ ୧୬ ହଜାର ଟଙ୍କା ମିଳିଥିବା ବେଳେ ପ୍ରାୟ ୧୧ କୋଟି ଟଙ୍କା ମୂଲ୍ୟର ପ୍ଲଟ୍ ଠାବ କରାଯାଇଥିବା ଭିଜିଲାନ୍ସ ଏସ୍ପି ପ୍ରଦ୍ୟୁମ୍ନ କୁମାର ଦ୍ୱିବେଦୀ ସୂଚନା ଦେଇଛନ୍ତି।
ଏହି ଘଟଣାରେ ପ୍ରିନ୍ସିପାଲଙ୍କୁ ଗିରଫ କରାଯାଇ ଶନିବାର ବଲାଙ୍ଗୀର ଭିଜିଲାନ୍ସ କୋର୍ଟରେ ହାଜର କରାଯାଇଥିଲା। କୋର୍ଟରେ ଜାମିନ ଆବେଦନ ନାମଞ୍ଜୁର ହେବା ପରେ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଯାଇଛି।