ବଲାଙ୍ଗୀର,୧୩ା୮(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହର ଇନ୍ଦିରାନଗରପଡ଼ାର ଉଦୟୀମାନ କ୍ରୀଡାବିତ୍ ସୌରଭ ପୁଟେଲ ଏବେ ଚର୍ଚ୍ଚାରେ ରହିଛନ୍ତି। ସେ ବଲାଙ୍ଗୀର ପତିତପାବନ ହାଇସ୍କୁଲ ଛାତ୍ର ଭାବେ ରାଜସ୍ଥାନର ଜୟପୁରଠାରେ ଅନୁଷ୍ଠିତ ଜାତୀୟ ସୁଇମିଂ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ତିନୋଟି ଗୋଲଡ ମେଡାଲ ବା ସ୍ବର୍ଣ୍ଣପଦକ ହାସଲ କରିଛନ୍ତି। ଓଡ଼ିଶାର ଏକମାତ୍ର ପ୍ରତିଯୋଗୀ ଭାବେ ସେ ଗୋଲଡ ମେଡାଲ ହାସଲ କରିବାରେ ସକ୍ଷମ ହୋଇଛନ୍ତି।
ବଲାଙ୍ଗୀରରେ ଆର୍ଏନ୍ ସିଂଦେଓ ସ୍ପୋର୍ଟସ କମ୍ପ୍ଲେକ୍ସଠାରେ ଥିବା ଛୋଟ ସୁଇମିଂ ପୁଲରେ ଅଭ୍ୟାସ କରି ସେ ଆଜି ସଫଳତା ହାସଲ କରିଛନ୍ତି। ତେଣୁ ଗୁରୁବାର ଜିଲା ପ୍ରଶାସନ ତରଫରୁ ଜିଲାପାଳ ଗୌରବ ଶିବାଜୀ ଇସଲଓ୍ବାର ତାଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି। ସମ୍ବର୍ଦ୍ଧିତ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲାପାଳ ବିଜୟାନନ୍ଦ ସେଠୀ ଓ ସ୍ପୋର୍ଟସ ଅଫିସର ହରିଓଁ ଶମ୍ଭୁ ନାରାୟଣ ଦାସ, କ୍ରୀଡ଼ା ସଙ୍ଗଠକ ସୁମିତ ରଂଜନ ପୁରୋହିତ ଉପସ୍ଥିତ ଥିଲେ। ସୌରଭ ଆଗକୁ ଅଲିମ୍ପିକ୍ସରେ ଗୋଲଡ ମେଡାଲ ହାସଲ କରିବାର ଲକ୍ଷ୍ୟ ରଖିଛନ୍ତି ବୋଲି କହିଛନ୍ତି। ଜିଲାପାଳ ଇସଲଓ୍ବାର ସୌରଭଙ୍କୁ ଅଭିନନ୍ଦନ ଜଣାଇଛନ୍ତି।