ଶିକ୍ଷକ କଲ୍ୟାଣ ପାଇଁ ବଜ୍ର ଯୋଜନା

ଭୁବନେଶ୍ୱର,୨୦ା୯(ବ୍ୟୁରୋ):ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ସାରେ ସ୍ଥାନୀୟ ସାମନ୍ତ ବିହାରଠାରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନର ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମରେ ଯୋଗଦେଇ ଶିକ୍ଷକ ପ୍ରଶିକ୍ଷଣ କେନ୍ଦ୍ର ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏହି ପ୍ରଶିକ୍ଷଣ କେନ୍ଦ୍ର ପାଇଁ ୨୫ କୋଟି ଟଙ୍କା ବିନିଯୋଗ ହେବ। ଏଥିରେ ୩୦୦ ଶିକ୍ଷକଙ୍କ ତାଲିମ ପାଇଁ ଅଡିଟୋରିୟମ, ୧୦୦ ଞ୍‌ଶିକ୍ଷକ ରହିବା ପାଇଁ ବ୍ୟବସ୍ଥା ସହିତ ୧୦ଟି କର୍ମଶାଳା କେନ୍ଦ୍ର ନିର୍ମାଣ କରାଯିବ। ଶିକ୍ଷକମାନଙ୍କ କଲ୍ୟାଣ ପାଇଁ ମୁଖ୍ୟମନ୍ତ୍ରୀ ‘ବଜ୍ର’ ଯୋଜନାର ଶୁଭାରମ୍ଭ ମଧ୍ୟ କରିଛନ୍ତି। ଏହି ଯୋଜନାରେ ଶିକ୍ଷକମାନେ ସେମାନଙ୍କ ଦିନକର ଦରମା ଏହି କଲ୍ୟାଣ ପାଣ୍ଠିକୁ ଦାନ କରିବେ ଏବଂ ଏହି ପାଣ୍ଠିରୁ ସେମାନଙ୍କ ବିଭିନ୍ନ ଆର୍ଥିକ ସମସ୍ୟା ସମୟରେ ସହାୟତା ଯୋଗାଇ ଦିଆଯିବ।
ଏହି ଅବସରରେ ୫ଟି ଶ୍ରେଷ୍ଠ ଆଦର୍ଶ ବିଦ୍ୟାଳୟ ଓ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ହାସଲ କରିଥିବା ପାଞ୍ଚ ଛାତ୍ରୀଛାତ୍ରଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ, ମୁଖ୍ୟମନ୍ତ୍ରୀଙ୍କ ଉପଦେଷ୍ଟା (ଶିକ୍ଷା) ଉପେନ୍ଦ୍ର ତ୍ରିପାଠୀ, ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ. ପାଣ୍ଡିଆନ, ବିଭାଗୀୟ ସଚିବ ଅଶ୍ୱଥି ଏସ୍‌., ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପ୍ରକଳ୍ପ ନିର୍ଦ୍ଦେଶକ ସଂଗ୍ରାମ ମହାପାତ୍ର ପ୍ରମୁଖ ଯୋଗଦେଇଥିଲେ।