ମଞ୍ଚରେ ଭାଜପା-ବିଜେଡି ନେତା ମୁହାଁମୁହିଁ

କାମାକ୍ଷାନଗର,୧୯।୫(ଡି.ଏନ୍‌.ଏ.): ବହୁ ପ୍ରତୀକ୍ଷିତ ଅନୁଗୋଳ-ସୁକିନ୍ଦା ରେଳ ପ୍ରକଳ୍ପ ଉଦ୍‌ଘାଟନୀ ସମାରୋହରେ ରାଜନୀତି ପଶିଛି। ଆମନ୍ତ୍ରିତ ହୋଇ ଆସିଥିବା ଭାଜପା ଓ ବିଜେଡି ନେତା ମଞ୍ଚ ଉପରେ ପରସ୍ପରକୁ ଆକ୍ଷେପ-ପ୍ରତିଆକ୍ଷେପ କରିବା ରାଜନୈତିକ ମାହୋଲକୁ ସରଗରମ କରିଛି। କେବଳ ଏତିକି ନୁହେଁ, କହିବାକୁ ସୁଯୋଗ ନ ମିଳିବାରୁ ବରିଷ୍ଠ ଭାଜପା ନେତା ରୁଦ୍ରନାରାୟଣ ପାଣି ମାଇକ୍‌ ଛଡ଼ାଇନେବା ଏବଂ ସଭା ଅଧାରୁ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ, ଏମ୍‌ପି ମହେଶ ସାହୁ ଉଠି ଚାଲିଯିବା ଚର୍ଚ୍ଚାର ବିଷୟ ପାଲଟିଛି।
ଅନୁଗୋଳ-ସୁକିନ୍ଦା ରେଳ ଲାଇନ୍‌କୁ ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭର୍ଚୁଆଲ୍‌ ମୋଡ୍‌ରେ ଲୋକାର୍ପଣ କରିଛନ୍ତି। ଏହି ପରିପ୍ରେକ୍ଷୀରେ କାମାକ୍ଷାନଗର ରେଳଷ୍ଟେଶନରେ ରେଳ ମନ୍ତ୍ରଣାଳୟ ଦ୍ୱାରା ଅନୁଷ୍ଠିତ ସମାରୋହକୁ ଆମନ୍ତ୍ରିତ ହୋଇ ଆସିଥିଲେ ରାଜ୍ୟ ସରକାରଙ୍କ ଖଣି, ଇସ୍ପାତ ଓ ପୂର୍ତ୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ, ଢେଙ୍କାନାଳ ଏମ୍‌ପି ମହେଶ ସାହୁ। ରେଳ ମନ୍ତ୍ରଣାଳୟ ପକ୍ଷରୁ କାମାକ୍ଷାନଗର ନଗରପାଳ ଧର୍ମାନନ୍ଦ ପରିଡ଼ା, ପୂର୍ବତନ ରାଜ୍ୟ ସଭା ସଦସ୍ୟ ତଥା ବରିଷ୍ଠ ଭାଜପା ନେତା ରୁଦ୍ରନାରାୟଣ ପାଣି, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶତ୍ରୁଘ୍ନ ଜେନା, ମଣ୍ଡଳ ସଭାପତି ସନ୍ଦୀପ ପଟ୍ଟନାୟକଙ୍କୁ ଆମନ୍ତ୍ରଣ କରାଯାଇଥିଲା। ତେବେ କେବଳ ମନ୍ତ୍ରୀ ଓ ଏମ୍‌ପିଙ୍କୁ ଭାଷଣ ଦେବାକୁ ସୁଯୋଗ ମିଳିଥିଲା। ଏମ୍‌ପି ସାହୁ କହିଲେ, ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଏମ୍‌ପି ଏବଂ ମନ୍ତ୍ରୀଙ୍କୁ କାର୍ଯ୍ୟକ୍ରମରେ ଉପସ୍ଥିତ ରହିବା ପାଇଁ ସ୍ବତନ୍ତ୍ର ଭାବେ ଚିଠି ହୋଇଥିଲା। ତଦନୁଯାୟୀ ନିର୍ଦ୍ଧାରିତ ସମୟରେ ଉଭୟ କାମାକ୍ଷାନଗର ଷ୍ଟେଶନରେ ପହଞ୍ଚତ୍ଥିଲେ। ହେଲେ ସ୍ବାଗତ କରିବା ତ ଦୂରର କଥା କୌଣସି ରେଳ କର୍ମଚାରୀ ମଧ୍ୟ ଉପସ୍ଥିତ ନ ଥିଲେ। କେବଳ ମନ୍ତ୍ରୀ ଏବଂ ଏମ୍‌ପି ନିମନ୍ତ୍ରିତ ହୋଇଥିବାବେଳେ ପୂର୍ବତନ ରାଜ୍ୟ ସଭା ସଦସ୍ୟ ଏବଂ ଅନ୍ୟମାନଙ୍କୁ ମଞ୍ଚରେ ବସାଇବା ରେଳ ମନ୍ତ୍ରଣାଳୟର ମହାନତା ବୋଲି କହି ସେ ଭାଜପା ନେତାଙ୍କୁ ତେର୍‌ଛା ବାଣ ମାରିଥିଲେ। ନିଜ ଅଭିଭାଷଣରେ ମନ୍ତ୍ରୀ ମଲ୍ଲିକ କହିଥିଲେ, ଅଞ୍ଚଳର ବିକାଶରେ କେନ୍ଦ୍ର ସରକାରଙ୍କୁ ଯଥାସାଧ୍ୟ ସହାୟତା କରାଯିବ।
ଶେଷ ପର୍ଯ୍ୟାୟରେ ରେଳ ବିଭାଗ କର୍ମଚାରୀ ଧନ୍ୟବାଦ ଦେବା ସମୟରେ ରୁଦ୍ରନାରାୟଣ ମାଇକ୍‌ ଛଡ଼ାଇ ଆଣି ବକ୍ତବ୍ୟ ପ୍ରଦାନ କରିଥିଲେ। ତାଙ୍କୁ କହିବାକୁ ସୁଯୋଗ ଦେଇ ନ ଥିବାରୁ ସେ ବିଷୋଦ୍‌ଗାର କରିଥିଲେ। ଏଥିସହ ଉକ୍ତ ପ୍ରକଳ୍ପ ଭାଜପା ସରକାରର ଅବଦାନ ବୋଲି କହିଥିଲେ। ଏହି ସମୟରେ ମହେଶ ତାଙ୍କଠାରୁ ମାଇକ୍‌ ଛଡ଼ାଇ ନେଇ କହିଲେ, ରେଳ ବିଭାଗ ହୁଇସିଲ୍‌ ମାରି କୀଳାକୁ ଡାକିଛି। ଏବେ ନିଜେ ସମ୍ଭାଳୁ। ଏହାପରେ ଏମ୍‌ପି, ମନ୍ତ୍ରୀ ଏବଂ ନଗରପାଳ ମଞ୍ଚ ଛାଡ଼ି ପଳାଇଥିଲେ। ଏହାପରେ ମଧ୍ୟ ରୁଦ୍ରନାରାୟଣ ଶାସକ ଦଳର ନେତାଙ୍କୁ ନିଜ ଭାଷଣରେ ଆକ୍ରମଣ ଜାରି ରଖିଥିଲେ। କାର୍ଯ୍ୟକ୍ରମରେ ତାଳଚେରର ସହକାରୀ ସିଗ୍‌ନାଲ ଟେକ୍ନିସିଆନ ଦଣ୍ଡପାଣି ବେହେରା ସ୍ବାଗତ ଭାଷଣ ଓ ଚିଫ୍‌ ରିଜର୍ଭେଶନ ସୁପରଭାଇଜର ବଂଶୀଧର ପଣ୍ଡା ଧନ୍ୟବାଦ ଦେଇଥିଲେ। ଏମ୍‌ପିଙ୍କ ବ୍ୟକ୍ତିଗତ ସଚିବ ପଣ୍ଡିତ ମାତୃପ୍ରସାଦ ମିଶ୍ର, କଙ୍କଡ଼ାହାଡ଼ର ପୂର୍ବତନ ବ୍ଲକ ଅଧ୍ୟକ୍ଷ କାର୍ତ୍ତିକ ସାହୁ ଉପସ୍ଥିତ ଥିଲେ।
ଏଭଳି ଆରୋପ-ପ୍ରତ୍ୟାରୋପ ରାଜନୀତି ସମ୍ପର୍କରେ ଏମ୍‌ପି ନିଜ ପ୍ରତିକ୍ରିୟାରେ କୁହନ୍ତି, ଅତିଥି ତାଲିକାରେ ନ ଥିବା ବ୍ୟକ୍ତି ମଞ୍ଚରେ ବସିଥିଲେ। ମାଇକ୍‌ ଛଡ଼ାଇ ନେଇ ଦଳୀୟ ପ୍ରଚାର କଲେ। ତେଣୁ ସେମାନେ ମଞ୍ଚ ଛାଡ଼ି ଚାଲି ଆସିଥିଲେ। ସେ ଅନୁଗୋଳ-ସୁକିନ୍ଦା ରୁଟ୍‌ରେ ପାସେଞ୍ଜର ଟ୍ରେନ୍‌ ଚଳାଚଳ, ତାଳଚେର ରେଳଷ୍ଟେଶନକୁ ପାସେଞ୍ଜର ଷ୍ଟେଶନରେ ପରିଣତ କରିବା, ତାଳଚେର-ବିମଳାଗଡ଼ ରେଳ ପ୍ରକଳ୍ପ କାର୍ଯ୍ୟ ତ୍ୱରାନ୍ବିତ କରିବା ଲାଗି ଦାବି କରିଛନ୍ତି। ରୁଦ୍ରନାରାୟଣ କୁହନ୍ତି, ମଞ୍ଚକୁ ଡାକି ତାଙ୍କୁ କହିବାର ସୁଯୋଗ ଦିଆଗଲାନାହିଁ। ଏଥିଲାଗି ସେ ଶାସକ ଦଳ ଉପରେ ଦୋଷ ଲଦିଛନ୍ତି।