ବିପଦ ସଙ୍କେତ ଟପିଲା ବୈତରଣୀ, ତଳିଆ ଅଞ୍ଚଳରେ ବନ୍ୟା ଆଶଙ୍କା

ପାଟଣା,୧୩।୮(ବୀର କିଶୋର ଦାଶ): ଲଘୁଚାପ ଜନିତ ଲଗାଣ ବର୍ଷାରେ କେନ୍ଦୁଝର ଜିଲା ପାଟଣା ଅଞ୍ଚଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଗୁରୁବାର ଅପରାହ୍ନରେ ପାଟଣା ଅଞ୍ଚଳରେ ବୈତରଣୀ ନଦୀ ବିପଦ ସଙ୍କେତ ଟପିଥିବାରୁ ତଳିଆ ଅଞ୍ଚଳରେ ବନ୍ୟା ଆଶଙ୍କା ସୃଷ୍ଟି ହୋଇଛି।

ବୈତରଣୀ ନଦୀର ବିପଦ ସଙ୍କେତ ୩୧୧.୧୦ ମିଟର ଥିବାବେଳେ ଗୁରୁବାର ଅପରାହ୍ନ ୫ଟାରେ ଜଳସ୍ତର ୩୧୧.୩୭ ମିଟରରେ ପହଞ୍ଚିଛି। ଫଳରେ ନଦୀର ତଳିଆ ଅଞ୍ଚଳ ସମେତ ଆନନ୍ଦପୁର ଓ ପଡ଼ୋଶୀ ଭଦ୍ରକ ଜିଲାରେ ବନ୍ୟା ଆଶଙ୍କା ଉପୁଜିଛି।

ସୂଚନା ଅନୁସାରେ, ଗତ ୨୪ ଘଣ୍ଟା ମଧ୍ୟରେ ବୈତରଣୀ ନଦୀର ଉପରମୁଣ୍ଡ ଚମ୍ପୁଆରେ ୧୧୯ ମିଲିମିଟର ବର୍ଷା ରେକର୍ଡ ହୋଇଛି। ଉପରମୁଣ୍ଡରେ ଲଗାଣ ବର୍ଷା ଜାରି ରହିଥିବାରୁ ନଦୀର ଜଳସ୍ତର ଆହୁରି ବଢ଼ିବା ଆଶଙ୍କା ରହିଛି। ଏହାକୁ ନେଇ ତଳିଆ ଅଞ୍ଚଳବାସୀଙ୍କ ମଧ୍ୟରେ ଭୟ ଓ ଆଶଙ୍କା ପ୍ରକାଶ ପାଇଛି। ପ୍ରଶାସନ ପକ୍ଷରୁ ସ୍ଥିତି ଉପରେ ନଜର ରଖିବା ସହ ଆବଶ୍ୟକ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହୋଇଛି।

Share