Categories: ଗଞ୍ଜାମ

ମା’ ଖମ୍ବେଶ୍ୱରୀଙ୍କ ବୈଶାଖୀ ଯାତ୍ରା

ଆସିକା,୯।୫(ଡି.ଏନ.ଏ.): କରୋନା କଟକଣା ଯୋଗୁ ୨ ବର୍ଷ ଧରି ହୋଇପାରିନଥିବା ଆସିକାର ଆରାଧ୍ୟ ଦେବୀ ମା’ ଖମ୍ବେଶ୍ୱରୀଙ୍କ ବୈଶାଖୀ ଯାତ୍ରା ରବିବାର ସ୍ଥାନୀୟ ଖମ୍ବେଶ୍ୱରୀପାଟଣା ଓ କୁମ୍ଭାର ସାହିରେ ବିପୁଳ ଆଡମ୍ବର ସହକାରେ ଅନୁଷ୍ଠିତ ହୋଇଛି ା ଶନିବାର ରାତିରେ ଠାକୁରାଣୀଙ୍କ ବିଜେ ପ୍ରତିମାକୁ ବାଦ୍ୟ ବାଜଣା ପଟୁଆର ସହ ମନ୍ଦିରରୁ ବାହାରି ଏନ୍‌ଏସି ଅଫିସ ସମ୍ମୁଖରେ ଥିବା ଅସ୍ଥାୟୀ ପୀଠରେ ରବିବାର ଭୋର୍‌ରୁ ବିଜେ କରାଯାଇଛି ା ଦିନ ତମାମ ଅସ୍ଥାୟୀ ପୀଠରେ ପୂଜାର୍ଚ୍ଚନା ଓ ଭକ୍ତଙ୍କ ଦର୍ଶନ ଲାଗି ରହିଛି ା ସନ୍ଧ୍ୟାରୁ ଖମ୍ବେଶ୍ୱରୀପାଟଣୀ ଓ କୁମ୍ଭାର ସାହିରେ ରାମାୟଣ, ମହାଭାରତ, ଭାରତଲୀଳା ଓ ସାମାଜିକ ନାଟକ ମାନ ପ୍ରଦର୍ଶିତ ହୋଇଥିଲା ବେଳେ ସମ୍ପୃକ୍ତ ଅଞ୍ଚଳ ଉତ୍ସବ ମୁଖରୀତ ହୋଇଛି। ସୋମବାର ସକାଳେ ପୁଣି ଠାକୁରାଣୀଙ୍କ ବିଜେ ପ୍ରତିମାକୁ ମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରାଯିବ ବୋଲି ଜଣାଯାଇଛି। ପୂର୍ବ ବିଧି ମୁତାବକ ଗତ ଚୈତ୍ର ପୂର୍ଣ୍ଣିମାଠାରୁ ପ୍ରାୟ ୨୫ ଦିନ ଧରି ଠାକୁରାଣୀଙ୍କ ବିଜେ ପ୍ରତିମାକୁ ବାଦ୍ୟବଜାଣା ପଟୁଆର ସହ ଖମ୍ବେଶ୍ୱରୀପାଟଣା, କୁମ୍ଭାର ସାହି, ରଘୁନାଥ ନଗର, ବାଣୀବିହାର, ବିନାୟକ ବଜାର, ବସଷ୍ଟାଣ୍ଡ ଆଦି ଅଞ୍ଚଳରେ ପରିକ୍ରମା ଲାଗି ରହିଥିଲା। ମନ୍ଦିର ପରିଚାଳନା କମିଟି ସଭାପତି ସତ୍ୟନାରାୟଣ ସ୍ବାଇଁଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏହି ଯାତ୍ରା ଉତ୍ସବ ପରିଚାଳିତ ହୋଇଛି।