କର୍ଲାମୁଣ୍ଡା,୨୮ା୯(ପ୍ରଦୀପ କୁମାର ସାହୁ): ଦେଶୀ ବିହନର ସୁରକ୍ଷା ସହ ପ୍ରାକୃତିକ ଚାଷକୁ ପ୍ରୋତ୍ସାହନ, ମାଟି ଓ ଜୈବବିବିଧତାର ସୁରକ୍ଷା ତଥା ବିଷମୁକ୍ତ ଓ ପୁଷ୍ଟିକର ଖାଦ୍ୟ ଉତ୍ପାଦନ ଲକ୍ଷ୍ୟରେ ନିଆରା ପ୍ରୟାସ ଆରମ୍ଭ କରିଛନ୍ତି କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ କଂଶିଲ ଗ୍ରାମର ଚାଷୀ ବୈଦ୍ୟନାଥ ମାଝୀ। ଶହେ ବିକଳ୍ପଜୀବନ ଜୀବିକା ଫାଉଣ୍ଡେଶନର ପରିବେଶ ଆଧାରିତ କୃଷି ପ୍ରକଳ୍ପରୁ ପ୍ରେରଣା ପାଇ ସେ ନିଜ ଚାଷଜମିରେ ‘ଜୀବନଧାରା କୃଷକ ପାଠଶାଳା’ ଆରମ୍ଭ କରିଛନ୍ତି। ଏହି କୃଷକ ପାଠଶାଳାରେ ଏକାଥରେ ୨୨ କିସମର ଦେଶୀ ଧାନ ଚାଷ କରାଯାଇଛି। ଦେଶୀ ବିହନର ସଂରକ୍ଷଣ, ଗୁଣମାନ ବଜାୟ ରଖିବା ଓ ଆଗାମୀ ପିଢ଼ି ପାଇଁ ଏହାକୁ ସୁରକ୍ଷିତ ରଖିବା ଏହି ପ୍ରୟାସର ମୁଖ୍ୟ ଉଦ୍ଦେଶ୍ୟ ବୋଲି କୁହନ୍ତି ବୈଦ୍ୟନାଥ ମାଝୀ। ବୈଦ୍ୟନାଥଙ୍କ କହିବା ଅନୁସାରେ, ପୂର୍ବରୁ ଅଞ୍ଚଳରେ ବହୁ କିସମର ଦେଶୀ ଧାନ ଚାଷ ହେଉଥିଲା। ମାତ୍ର ସମୟକ୍ରମେ ଏହି ବିହନଗୁଡ଼ିକ ହଜିଯିବାରେ ଲାଗିଛି। ଦେଶୀ ଧାନ ସ୍ଥାନୀୟ ମାଟି ଓ ପାଣିପାଗ ସହ ଖାପ ଖୁଆଇ ଚାଷ ହୋଇପାରୁଥିବା ବେଳେ ଅନେକ କିସମରେ କମ ପାଣି ଓ କମ ବାହ୍ୟ ଉପାଦାନରେ ଚାଷ କରାଯାଇପାରେ। ଏହାର ଚାଉଳ ପାରମ୍ପରିକ ଖାଦ୍ୟ, ପିଠାପଣା, ମୁଢ଼ି ଓ ଚୁଡ଼ା ଆଦି ପ୍ରସ୍ତୁତିରେ ବ୍ୟବହୃତ ହେଉଥିଲା।ଅଞ୍ଚଳରୁ ଦେଶୀ ବିହନ ହଜିଯିବା ରୋକିବା ପାଇଁ ବୈଦ୍ୟନାଥ ‘ବିହନ ପୋଷ୍ୟ’ ଅଭିଯାନକୁ ଆଗେଇ ନେଇଛନ୍ତି। ତାଙ୍କ ନେତୃତ୍ୱରେ ୭୪ ଜଣ ଚାଷୀ ୭୦ ଏକର ଜମିରେ ଗୋବିନ୍ଦଭୋଗ, ଝୁଲି, ସରିଆଁ, କର୍ଣ୍ଣି ଓ କୁସୁମାକଲି ଭଳି ୫ କିସମର ଦେଶୀ ଧାନ ଚାଷ କରିଛନ୍ତି।
ପ୍ରାକୃତିକ ଚାଷ ପଦ୍ଧତିରେ ଉତ୍ପାଦିତ ଧାନରୁ ଉତ୍ତମ ଗୁଣମାନର ବିହନ ସଂଗ୍ରହ କରାଯିବ। ପରବର୍ତ୍ତୀ ସମୟରେ ଏହି ବିହନକୁ ଆଗ୍ରହୀ ଚାଷୀଙ୍କ ମଧ୍ୟରେ ଅଦଳବଦଳ କରାଯାଇ ଦେଶୀ ବିହନର ପ୍ରସାର କରାଯିବ। ‘ଜୀବନଧାରା କୃଷକ ପାଠଶାଳା’ରେ ଚାଷୀମାନେ କେବଳ ଦେଶୀ ଧାନ ଚାଷ କରୁନାହାନ୍ତି, ବରଂ ବିଭିନ୍ନ ଧାନ କିସମର ଚରିତ୍ର, ଫସଲର ବୃଦ୍ଧି ଅବସ୍ଥା, ରୋଗପୋକ ପରିଚାଳନା, ଅମଳ କ୍ଷମତା ଓ ବିହନ ସଂରକ୍ଷଣ ପ୍ରକ୍ରିୟା ମଧ୍ୟ ହାତେକଳମେ ଶିଖୁଛନ୍ତି। ‘କରି ଶିଖିବା ଓ ଶିଖି ଅନ୍ୟକୁ ଶିଖାଇବା’ ଏହି ପାଠଶାଳାର ମୁଖ୍ୟ ବିଶେଷତା ରହିଥିବା ଜଣା ପଡ଼ିଛି।
ଚାଷୀଙ୍କ ଅନୁଭବ ଓ ପ୍ରୟୋଗକୁ ଆଧାର କରି ଏହି କାର୍ଯ୍ୟକ୍ରମକୁ ଶହେ ବିକଳ୍ପଜୀବନ ଜୀବିକା ଫାଉଣ୍ଡେଶନ ପକ୍ଷରୁ ଅମର କୁମାର ଗୌଡ଼ ଓ ସୁଦର୍ଶନ ସାହୁ ପରିଚାଳନା ଓ ସହଯୋଗ କରୁଛନ୍ତି।
ଦେଶୀ ବିହନ ସଂରକ୍ଷଣ ସହ ପ୍ରାକୃତିକ ଚାଷ, ଜୈବବିବିଧତା, ପୁଷ୍ଟିକର ଖାଦ୍ୟ ଓ ଚାଷୀଙ୍କ ପାରମ୍ପରିକ ଜ୍ଞାନକୁ ସୁରକ୍ଷିତ ରଖିବା ଦିଗରେ ବୈଦ୍ୟନାଥଙ୍କ ଏହି ପ୍ରୟାସ ଅଞ୍ଚଳର ଅନ୍ୟ ଚାଷୀଙ୍କ ପାଇଁ ଏକ ଉଦାହରଣ ପାଲଟିଛି।