କଟକ ଅଫିସ,୧୧। ୧୦: ପୁରୀ ବଗଲା ଧର୍ମଶାଳା ଜମି ବିକ୍ରି ବିବାଦକୁ ନେଇ ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା ରୁଜୁ ହୋଇଥିଲା। ଉକ୍ତ ମାମଲା ବିଚାରାଧୀନ ଥିବାବେଳେ ଏଥିରେ ସଂଶୋଧନ ଦର୍ଶାଇ ଆବେଦନକାରୀ ତଥା ସାମାଜିକ କର୍ମୀ ଜଗନ୍ନାଥ ବସ୍ତିଆ ଶନିବାର ଏକ ମିସ୍କେସ୍ ଦାଖଲ କରିଛନ୍ତି। ବଗଲା ଧର୍ମଶାଳା ଜମି ସାବକ ରେକର୍ଡ ଅନୁଯାୟୀ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର ଅଟେ। ଅମୃତ ମଣୋହୀ ସମ୍ପତ୍ତିକୁ ବିକ୍ରି କରିବାର କ୍ଷମତା ଜିଲାପାଳଙ୍କର ନାହିଁ। ଏହି ବେଆଇନ ବିକ୍ରି ଯୋଗୁ ମହାପ୍ରଭୁଙ୍କର ୫କୋଟି ଟଙ୍କାର ଭୂରାଜସ୍ବ କ୍ଷତି ହୋଇଛି ବୋଲି ଆବେଦନକାରୀ ଦର୍ଶାଇଛନ୍ତି। ପୁରୀ ତହସିଲଦାରଙ୍କ ଦ୍ୱାରା ଜମି ମାଲିକାନା ରେକର୍ଡ ସଂଶୋଧନ, ମ୍ୟୁଟେଶନ ଏବଂ ୬ଜଣ ଲଜିଂ ମାଲିକଙ୍କୁ ଜମିପଟ୍ଟା ପ୍ରଦାନ ସମ୍ପୂର୍ଣ୍ଣ ବେଆଇନ ବୋଲି ସେ ଏଥିରେ ଉଲ୍ଲେଖ କରିଛନ୍ତି। ମାଟିତୋଟା ମୌଜାରେ ପ୍ରସାଦ ଯୋଜନାରେ ଧର୍ମଶାଳା ନିର୍ମାଣ ନିମନ୍ତେ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ଆବଣ୍ଟନ କରିଥିବା ୨ ଏକର ଜମି ପର୍ଯ୍ୟଟକ ଓ ତୀର୍ଥଯାତ୍ରୀଙ୍କ ପାଇଁ ଆଦୌ ଉପଯୁକ୍ତ ନୁହେଁ ବୋଲି ଦର୍ଶାଇ ଆବେଦନକାରୀ ବସ୍ତିଆ କୋର୍ଟଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଆବଶ୍ୟକ ଥିବା ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ କୋର୍ଟରେ ଦାଖଲ କରାଯାଇଛି ବୋଲି ଆବେଦନକାରୀ କହିଛନ୍ତି।


