ବାଗ୍‌ଦାଦ ଓ ବୌଦ୍ଧଧର୍ମ

ଆମେ ଇସ୍‌ଲାମ ଖଲିଫା ବିଷୟରେ ଶୁଣିଛୁ। ଅଷ୍ଟମ ଶତାବ୍ଦୀରେ ବାଗ୍‌ଦାଦରେ ଆବ୍ବାସିଦ ସାମ୍ରାଜ୍ୟ ଦ୍ୱାରା ଏହା ପ୍ରତିଷ୍ଠା ହୋଇଥିଲା। ତ୍ରୟୋଦ୍ଦଶ ଶତାବ୍ଦୀରେ ଏହି ସାମ୍ରାଜ୍ୟ ପତନର କାରଣ ହୋଇଥିଲେ ମଙ୍ଗୋଲୀୟମାନେ। କିନ୍ତୁ ଇସ୍‌ଲାମ ସାମ୍ରାଜ୍ୟର କେନ୍ଦ୍ର ବାଗ୍‌ଦାଦରେ ଉଭୟ ଉତ୍ଥାନ କିମ୍ବା ପତନରେ ବୌଦ୍ଧଧର୍ମ କିଭଳି ପ୍ରମୁଖ ଭୂମିକା ନିଭାଇଥିଲା ତାହା ସମ୍ପର୍କରେ କମ୍‌ ଆଲୋଚନା ହୁଏ। ଏହି ବିଷୟକୁ ଏଡ଼ାଇ ଯିବାର କାରଣ ହେଉଛି, ଅନେକ ଐତିହାସିକ ଏହାକୁ ଗ୍ରହଣ କରିବାକୁ ଅନିଚ୍ଛୁକ । ସେମାନଙ୍କ ମତରେ ଇସ୍‌ଲାମ ଶାସନର ପ୍ରାରମ୍ଭିକ ସମୟରେ ସମସ୍ତେ ମୁସଲମାନ ଧର୍ମାନ୍ତରିତ ହୋଇନାହାନ୍ତି । ଧର୍ମାନ୍ତରୀକରଣ ଧୀରେ ଧୀରେ ହୋଇଥିଲା ଓ ଏହା ଅନେକ ଶତାବ୍ଦୀ ଧରି ଚାଲିଥିଲା। ପରେ ଲେଖାଯାଇଥିବା ଅଧିକ ଇତିହାସ ଗ୍ରହଣ କରେ ଯେ, ୭ମ ଶତାବ୍ଦୀରେ ପ୍ରୋଫେଟ ମହମ୍ମଦଙ୍କ ଆଗମନ ହେବା ପରେ ଆରବ ମିଲିଟାରି ଅଭିଯାନ ବିସ୍ତାର ଲାଭ କରିଥିଲା। ଏହି ସମୟରେ ବିଜୟ ଲାଭ କରିଥିବା ସବୁ ଅଞ୍ଚଳକୁ ତତ୍‌କ୍ଷଣାତ ଇସ୍‌ଲାମରେ ପରିବର୍ତ୍ତନ କରାଯାଇଥିଲା। ତେବେ ଏହା ସମ୍ପୂର୍ଣ୍ଣ ଅସତ୍ୟ ମନେହୁଏ।
ଇସ୍‌ଲାମ ସାମ୍ରାଜ୍ୟ ବିସ୍ତାର ହେବାରୁ ଆରବର ମକ୍କାରୁ ପ୍ରଥମେ ଭୂମଧ୍ୟସାଗର ନିକଟସ୍ଥ ଡାମାସ୍କସକୁ ସ୍ଥାନାନ୍ତର ହୋଇଥିଲା। ତାହା ପରେ ଏବକାର ଇରାକର ରାଜଧାନୀ ବାଗ୍‌ଦାଦକୁ ଆସିଥିଲା। ଇସ୍‌ଲାମ ସାମ୍ରାଜ୍ୟର ପ୍ରାରମ୍ଭରେ ଏହାକୁ ପଶ୍ଚିମରେ ଖ୍ରୀଷ୍ଟିଆନ ଓ ପୂର୍ବରେ ବିଶେଷକରି ପାରସ୍ୟ(ଏବକାର ଇରାନ) ରେ ଜୋରାଷ୍ଟ୍ରିଆନ୍‌ ସହ ସଂଘର୍ଷ କରିବାକୁ ପଡ଼ିଥିଲା। ସାମ୍ରାଜ୍ୟ ପ୍ରତିଷ୍ଠା କରିବାର ଦୀର୍ଘ ଇତିହାସ ଥିବା ପର୍ସିଆନ ବା ଇରାନୀୟଙ୍କଠାରେ ଶାସନର ଗଭୀର ଜ୍ଞାନ ରହିଥିଲା ଏବଂ ବାଗ୍‌ଦାଦର ଉତ୍ଥାନରେ ସେମାନଙ୍କର ପ୍ରମୁଖ ଭୂମିକା ଥିଲା। ତେବେ ସେମାନେ ମଧ୍ୟ ସେମାନଙ୍କର ପ୍ରାଚୀନ ପାର୍ସୀ ପରମ୍ପରାଗୁଡ଼ିକୁ ପରିବର୍ତ୍ତନ କରି ନୂଆ ଆରବୀୟ ପରମ୍ପରାକୁ ଗ୍ରହଣ କରିବାକୁ ରାଜି ନ ଥିଲେ। ବାଗ୍‌ଦାଦ ଶିକ୍ଷାର କେନ୍ଦ୍ର ପାଲଟିଥିଲା, ଯେଉଁଠାରେ ଗଣିତ, ବିଜ୍ଞାନ ଏବଂ ଭାଷାର ବିକାଶ ହୋଇଥିଲା। ଭାରତରୁ ୟୁରୋପକୁ ଜ୍ଞାନ ବିତରଣ କରିବାରେ ଏହି ସହର ପ୍ରମୁଖ ଭୂମିକା ନିଭାଇଥିଲା। ବାଗ୍‌ଦାଦରେ ଥିବା ପ୍ରତିଷ୍ଠିତ ହାଉସ ଅଫ୍‌ ଓ୍ବିସ୍‌ଡମ୍‌ ବା ଗ୍ରାଣ୍ଡ ଲାଇବ୍ରେରି ସଂସ୍କୃତ ବହିକୁ ଆରବୀୟ ଭାଷାରେ ଅନୁବାଦ କରି ପାଶ୍ଚାତ୍ୟକୁ ଜ୍ଞାନ ବିତରଣ କରିବାରେ ସକ୍ଷମ ହୋଇ ଶେଷରେ ବିଜ୍ଞାନ ବିପ୍ଳବରେ ସହାୟକ ହୋଇଥିଲା।
ବାଗ୍‌ଦାଦର ଉତ୍ଥାନରେ ବାରମାକିଡ ପରିବାରର ଭୂମିକାକୁ ପ୍ରାୟତଃ ଆମେ ଅଣଦେଖା କରିଛୁ। ଇସ୍‌ଲାମ ଧର୍ମକୁ ଗ୍ରହଣ କରିଥିବା ବାରମାକିଡମାନେ ମୂଳରୁ ବୌଦ୍ଧ ଥିଲେ । ସେମାନେ ହେଉଛନ୍ତି କେନ୍ଦ୍ର ଏସିଆର ନବ ବିହାର ମଠର ପୂର୍ବତନ ମୁଖ୍ୟ। ସେମାନେ ଇସ୍‌ଲାମ ଧର୍ମ ଗ୍ରହଣ କରିଥିଲେ ମଧ୍ୟ ସେମାନେ ସେମାନଙ୍କ ସନ୍ନ୍ୟାସ ପୃଷ୍ଠଭୂମିରୁ ବ୍ୟାପକ ଜ୍ଞାନ ହାସଲ କରିଥିଲେ। ଏହାସହ ଔଷଧ, ଗଣିତ, ପ୍ରାଚୀନ ରସାୟନ ଶାସ୍ତ୍ର, ଜ୍ୟୋତିର୍ବିଜ୍ଞାନ ସମ୍ପର୍କିତ ଜ୍ଞାନର ଅଧିକାରୀ ବି ଥିଲେ। ସେମାନଙ୍କର ଜ୍ଞାନ ପ୍ରତି ଯେଉଁ ନିରନ୍ତର ଉତ୍ସାହ ରହିଥିଲା ତାହା ଇସ୍‌ଲାମ ଧର୍ମ ଶାସ୍ତ୍ର ତୁଳନାରେ ଯଥେଷ୍ଟ ଆଗରେ ରହିଥିଲା। ଏହିି ଜ୍ଞାନର ଧାରା ଏକ ସୁବର୍ଣ୍ଣ ଯୁଗକୁ ବାଟ କଢ଼ାଇ ନେଇଥିଲା, ଯାହା ବାଗ୍‌ଦାଦକୁ ଶିକ୍ଷା ଏବଂ ସଂସ୍କୃତିର ଏକ ବୈଶ୍ୱିକ କେନ୍ଦ୍ର ଭାବେ ଗଢ଼ି ତୋଳିଥିଲା। ଆମେ ଏହି ସୁବର୍ଣ୍ଣଯୁଗର କଥା ଆରବିଆନ୍‌ ନାଇଟ୍ସ ଲୋକକଥାରେ ଶୁଣିବାକୁ ପାଉ। ଡିସ୍‌ନେର ଆଲାଦ୍ଦିନ କାହାଣୀରେ ଖଳ ଚରିତ୍ର ଜାଫର୍‌ଙ୍କୁ ଅନେକେ ଜାଣିଥିବେ। କିନ୍ତୁ ଜାଫର୍‌ ମୂଳତଃ ଜଣେ ବୌଦ୍ଧ ପରିବାରର ସଦସ୍ୟ ବୋଲି ଖୁବ୍‌ କମ୍‌ ଜାଣନ୍ତି। ବାରମାକିଡ ପରିବାର ବାଗ୍‌ଦାଦକୁ ଏକ ଗୋଲାକାର ଶୈଳୀରେ ଗଢ଼ିବାକୁ ଶାସକମାନଙ୍କୁ ଉତ୍ସାହିତ କରିଥିଲେ। ଏହିି ଡିଜାଇନ ବିଶେଷକରି କେନ୍ଦ୍ରରେ ଆଦି ବୁଦ୍ଧ ଓ ତାଙ୍କ ଚାରିପାଖରେ ଧ୍ୟାନୀ ବୁଦ୍ଧ ଏବଂ ବୋଧିସତ୍ତ୍ୱମାନେ ରହିଥିବା ବୌଦ୍ଧ ତାନ୍ତ୍ରିକ ମଣ୍ଡଳକୁ ଦୃଷ୍ଟିରେ ରଖି କରାଯାଇଥିଲା। ତେବେ ବାରମାକିଡ ପରିବାର ବା ବଂଶର ବୌଦ୍ଧଧର୍ମ ସହ ସମ୍ପର୍କ ଥିବା ଯୋଗୁ ସେମାନେ ହଠାତ ଏବଂ ନାଟକୀୟ ଭାବେ ରାଜକୀୟ କୃପାରୁ ବଞ୍ଚିତ ହୋଇଥିବା ଅନୁମାନ କରାଯାଏ।
ତ୍ରୟୋଦଶ ଶତାବ୍ଦୀରେ ଯେଉଁ ମଙ୍ଗୋଲୀୟମାନେ ବାଗଦାଦ୍‌କୁ ନଷ୍ଟ କରିଦେଇଥିଲେ ସେମାନେ ଥିଲେ ବଜ୍ରଯାନ ବୌଦ୍ଧ ଧର୍ମର ଅନୁଗାମୀ। ସେମାନେ ଅବଲୋକିତେଶ୍ୱରଙ୍କ ଭୟଙ୍କର ରୂପ ମହାକାଳ ଭୈରବଙ୍କ ଉପାସକ ଥିଲେ ଏବଂ ସେମାନେ ଏହି ଯୁଦ୍ଧ ଦେବୀଙ୍କ ଅଲୌକିକ ଶକ୍ତିକୁ ସେମାନଙ୍କ ଯୁଦ୍ଧ ଅଭିଯାନରେ ବ୍ୟବହାର କରୁଥିଲେ। ଏହା ଥିଲା ମହାକାଳଙ୍କ ଭୟ ସୃଷ୍ଟିକାରୀ ପ୍ରଭାବ, ଯାହା ବାଗଦାଦ୍‌କୁ ଅଧିକ ନଷ୍ଟ କରିଥିଲା ବୋଲି ସେମାନେ ବିଶ୍ୱାସ କରନ୍ତି। ତିବ୍ବତୀୟ ବୌଦ୍ଧଧର୍ମର ଯୁଦ୍ଧ ଅଲୌକିକତା ବା ଯାଦୁ ମଙ୍ଗୋଲୀୟଙ୍କୁ ବୌଦ୍ଧଧର୍ମ ପ୍ରତି ଆକର୍ଷିତ କରିଥିଲା। ସେମାନଙ୍କର ନିଜସ୍ବ ଈଶ୍ୱର ଥିଲେ, କିନ୍ତୁ ଏହି ଅଲୌକିକ ଶକ୍ତି ସେମାନଙ୍କୁ ଆକୃଷ୍ଟ କରିଥିଲା। ଶେଷରେ ବୌଦ୍ଧଧର୍ମର ଦୟାଭାବକୁ ବ୍ୟବହାର କରି ମଞ୍ଚୁ ଶାସନ କାଳରେ ଚାଇନାର ସମ୍ରାଟମାନେ ହିଂସ୍ର ମଙ୍ଗୋଲୀୟଙ୍କୁ ନିୟନ୍ତ୍ରଣ କରିବାକୁ ସକ୍ଷମ ହୋଇଥିଲେ।
ତ୍ରୟୋଦଶ ଶତାବ୍ଦୀରେ ଇରାନର ମଙ୍ଗୋଲ ଶାସକ ହୁଲଗୁ ଖାନ୍‌ଙ୍କ ଶାସନ ସମୟରେ ବୌଦ୍ଧ ଓ ଜୋରୋଷ୍ଟ୍ରିଆନ ସାଙ୍କେତିକ ତତ୍ତ୍ୱଗୁଡ଼ିକ ଇସ୍‌ଲାମିକ କଳାକୁ ପ୍ରଭାବିତ କରିବାକୁ ଲାଗିଲା। ଉଦାହରଣ ସ୍ବରୂପ, ଏହି ଶାସନ ସମୟର କେତେକ ପୁରାତନ ଇସ୍‌ଲାମିକ ପେଣ୍ଟିଂରେ ତାନ୍ତ୍ରିକ ବୌଦ୍ଧଧର୍ମ ଓ ଜୋରୋଷ୍ଟ୍ରିଆନ ଧର୍ମର ସଙ୍କେତ ଦେଖିବାକୁ ମିଳେ। ଏହି ସମୟରେ ଚାଇନାରେ ମୁଦ୍ରଣ ଛାପାଖାନା ଥିବାରୁ ସେଠାରୁ ପ୍ରଥମେ କାଗଜ ଇରାନକୁ ଆସିଥିଲା। ବାଗ୍‌ଦାଦ ଚାଇନାରୁ କାଗଜ ଆଣିବାକୁ ଚାହିଁଥିଲା କିନ୍ତୁ ପ୍ରିଣ୍ଟିଂ ପ୍ରେସ ନୁହେଁ । ଚମତ୍କାର ଭାବରେ ମନ୍ତ୍ରଗୁଡ଼ିକର ମୁଦ୍ରିତ ସିଟ୍‌( ଯନ୍ତ୍ର) ବ୍ୟବହାର କରିବାର ତିବ୍ବତୀୟ ପରମ୍ପରାରୁ ଇସ୍‌ଲାମର ତାବିଜ ସୃଷ୍ଟି ହୋଇଥିଲା।
ତେବେ ବୌଦ୍ଧଧର୍ମାବଲମ୍ବୀଙ୍କ ପୁନର୍ଜନ୍ମ ସିଦ୍ଧାନ୍ତ ବା ବିଚାର ବାଗ୍‌ଦାଦର ଖଲିଫାଙ୍କ ଉପରେ ମଙ୍ଗୋଲୀୟଙ୍କ ବିଜୟକୁ ଦର୍ଶାଇବାରେ ବ୍ୟବହାର କରାଯାଇଥିଲା। ଏଥିରେ କୁହାଯାଇଥିଲା ଯେ, ବୁଦ୍ଧ ଏବଂ ଆଦି ପ୍ରୋଫେଟଙ୍କ ପୁନର୍ଜନ୍ମ ଲାଭ କରିଥିଲେ ମଙ୍ଗୋଲୀୟମାନେ। ଏହି କାହାଣୀ ଇସଲାମ ପଥରୁ ଦୂରେଇ ଯାଇଥିବା ଏକ ଦୁର୍ନୀତିଗ୍ରସ୍ତ ଶାସନକୁ ତଡ଼ି ଦେବା ପାଇଁ ନୈତିକ ଅଧିକାର ଦେଇଥିଲା। ଯେତେବେଳେ ମଙ୍ଗୋଲଙ୍କ ସହ ତାନ୍ତ୍ରିକ ବୌଦ୍ଧ ଧର୍ମ ବାଗଦାଦ ପତନର କାରଣ ହୋଇଥିଲା, ସେତେବେଳେ ଖିଲିଜମାନେ ଭାରତକୁ ଶାସନ କରୁଥିଲେ। ଏକ କିମ୍ବଦନ୍ତୀ ଅନୁଯାୟୀ, ସେହି ସମୟରେ ହୁଲଗୁ ଖାନ୍‌ଙ୍କ ଜେଜ ଚେଙ୍ଗିଜ ଖାନ୍‌ ଏକ ଗଣ୍ଡା (ବୌଦ୍ଧ ସନ୍ନ୍ୟାସୀଙ୍କ ଏକାନ୍ତତାର ସଙ୍କେତ)କୁ ଦେଖିବା ପରେ ସେ ଭାରତରେ ପ୍ରବେଶ କରିବାକୁ ମନା କରିଦେଇଥିଲେ। ସମ୍ଭବତଃ ଏହା ବୌଦ୍ଧମାନଙ୍କ ଯୁଦ୍ଧ-ଯାଦୁ, ଯାହା ତାଙ୍କୁ ଫେରାଇଦେଇ ପଶ୍ଚିମ ଏସିଆରେ ତାଙ୍କ ଶକ୍ତି ଖଟାଇବାକୁ ବାଧ୍ୟ କରିଥିଲା। କିନ୍ତୁ ତାଙ୍କ ନାତି ଏହି ଯୁଦ୍ଧ ଯାଦୁ ବା ଅଲୌକିକତାକୁ ବ୍ୟବହାର କରି ପ୍ରତିଷ୍ଠା କରିଥିବା ଏକ ବିଶାଳ ସାମ୍ରାଜ୍ୟକୁ ବିଶ୍ୱ ସବୁବେଳେ ମନେରଖିଛି। କୁବ୍‌ଲାଇ ଖାନ୍‌ ଚାଇନାରେ ତାନ୍ତ୍ରିକ ବୌଦ୍ଧ ଧର୍ମକୁ ବ୍ୟବହାର କରିଥିବାବେଳେ ହୁଲଗୁ ପାରସ୍ୟରେ ସମାନ କାର୍ଯ୍ୟ କରିଥିଲେ । କିନ୍ତୁ ଅଧିକାଂଶ ଲୋକ କୁବଲାଇଙ୍କୁ ଜାଣନ୍ତି , ଅଳ୍ପ କିଛି ହୁଲଗୁ ସମ୍ପର୍କରେ ଆଲୋଚନା କରିଥାନ୍ତି। ଏହିପରି ବୌଦ୍ଧ ଧର୍ମକୁ ଅନେକ ସମୟରେ ସହନଶୀଳ ଓ ଅହିଂସକ ଧର୍ମ ଭାବେ ପ୍ରତିଫଳନ କରାଯାଉଥିବାବେଳେ ବିଶାଳ ମୁସଲିମ ସହର ବାଗ୍‌ଦାଦର ଉତ୍ଥାନ ଓ ପତନରେ ଏହାର ପ୍ରଭାବ ସହାୟକ ହୋଇଥିଲା।
-devduttofficial@gmail.com


Enter your email to get our daily news in your inbox.

All Right Reserved By Dharitri.Com

ତିନି ଚିରଞ୍ଜୀବୀଙ୍କ ବିଚାର

ଶହୀଦ ଭଗତ ସିଂ, ସୁଖଦେବ ଓ ଶିବରାମ ରାଜଗୁରୁଙ୍କ ଅପରାଧଜନିତ ବିଚାରକୁ କଦାପି ବିଚାର କୁହାଯାଇ ପାରିବ ନାହିଁ। ତାହା ଅନ୍ୟାୟ, ଅବିବେକିତା ଓ ଅସଭ୍ୟତାର ଏକ…

ପରମାଣୁ ଅସ୍ତ୍ର ଛାୟାରୁ ମୁକ୍ତି

ବର୍ତ୍ତମାନର ବିଶ୍ୱରେ ଲାଗିରହିଛି ତିନୋଟି ମହାସମର। ତନ୍ମଧ୍ୟରୁ ରୁଷିଆ-ୟୁକ୍ରେନ୍‌ ଏବଂ ଇସ୍ରାଏଲ-ପାଲେଷ୍ଟାଇନ୍‌ ଯୁଦ୍ଧ ବର୍ଷ ବର୍ଷ ଧରି ଚାଲିଥିଲା ବେଳେ ନିକଟରେ ଆରମ୍ଭ ହୋଇଛି ଅତୀବ ଭୟଙ୍କର…

ଭାରତ ଦେବ ୟୁଆନ୍‌

ଇରାନ୍‌ ସହିତ ଆମେରିକା ଓ ଇସ୍ରାଏଲ ଯୁଦ୍ଧ ଚତୁର୍ଥ ସପ୍ତାହରେ ପହଞ୍ଚିଛି। ସଦ୍ୟ ଘଟଣା ଦେଖିଲେ ଗୋଟିଏ ପଟେ ନତାଞ୍ଜ ଆଣବିକ କେନ୍ଦ୍ର ଉପରେ ଆମେରିକା ଓ…

ଜଳ ନୋବେଲ ବିଜେତା

ବର୍ତ୍ତମାନର ଭୂରାଜନୈତିକ ଓ ଅର୍ଥନୈତିକ ସ୍ଥିତି ଇରାନ୍‌ ଓ ଆମେରିକା-ଇସ୍ରାଏଲ ଯୁଦ୍ଧ ଯୋଗୁ ଘୋର ପ୍ରଭାବିତ। ଏହାକୁ ନେଇ ପୃଥିବୀ ସନ୍ତ୍ରସ୍ତ। ଏଭଳି ସ୍ଥଳେ ୨୨ ମାର୍ଚ୍ଚରେ…

ପ୍ରକୃତ ଖଳନାୟକ

ଚାହେଁ ଇରାନ ବିଜୟୀ ହେଉ। ବିଜୟର ଅର୍ଥକୁ ଇରାନ ଏହିପରି ପରିଭାଷିତ କରେ: ଇରାନ ଉପରେ ଅନେକ ଦଶନ୍ଧି ଧରି ଆମେରିକା ଲାଗୁକରିଥିବା କଟକଣାକୁ ହଟାଇବା ଦରକାର;…

ପରୀକ୍ଷା ଋତୁ ଓ କୁତୁକୁତୁ

ମଣିଷ ଜୀବନଟା ଗୋଟେ ପରୀକ୍ଷା। ସେ ପରୀକ୍ଷାରେ କିଏ ବହୁତ ପଢିଲା ପରେ ବାରମ୍ବାର ଫେଲ୍‌ ହେଉଥାଏ ତ ଆଉ କିଏ ଆଦୌ ନ ପଢି କପିକୁପା…

ଆକାଶ ଛାତ

ଘର ତିଆରି କରିବାବେଳେ ଆମେ ଖରା, ବର୍ଷା, ଶୀତ ଓ ଅନ୍ୟାନ୍ୟ ଆପଦ ବିପଦରୁ ରକ୍ଷା ପାଇବା ପାଇଁ ଛାତଟିଏ ନିର୍ମାଣ କରୁ। ଘର ପାଇଁ ଛାତ…

ପ୍ରସ୍ତାବ ପ୍ରତ୍ୟାହାର

ବେଳେବେଳେ ସରକାରୀ ନୀତିର ରହସ୍ୟମୟ ତଥା ବାଧାସୃଷ୍ଟିକାରୀ ନିଷ୍ପତ୍ତି ସମ୍ପର୍କିତ ଖବର ଦେଖିବାକୁ ମିଳେ। ତିନି ମାସ ମଧ୍ୟରେ ଭାରତର ସଂଶୋଧିତ ଭୂମିକମ୍ପ ଅଞ୍ଚଳ ନିର୍ଦ୍ଧାରଣ ବ୍ୟବସ୍ଥା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri