ବାଗ୍‌ଦେବୀ

ଡ. ଅରୁନ୍ଧତୀ ଦେବୀ

 

ସରସ୍ବତୀ ପୂଜାକୁ ଶିକ୍ଷାର୍ଥୀମାନେ ଆଗ୍ରହ, ଭକ୍ତି ସହକାରେ ପାଳନ କରିଥାନ୍ତି। ମା’ ସରସ୍ବତୀଙ୍କ ଅନ୍ୟ ନାମ ବାଗ୍‌ଦେବୀ। ଧ୍ୱନି, ଶବ୍ଦ ବା ବାକ୍ୟ କହିବାର ମହାନ୍‌ ଶକ୍ତିଟି ଆମ ପାଖରେ ଯାହା ରହିଛି, ତା’ର ନିୟନ୍ତା ହେଉଛନ୍ତି ମା’ ସରସ୍ବତୀ। ସେ କଣ୍ଠଦେଶରେ ବିରାଜମାନ କରି ଆମକୁ ବାଣୀ ବା ବାକ୍ୟ କହିବାର ଶକ୍ତି ପ୍ରଦାନ କରିଥାନ୍ତି। ଏଣୁ ମା’ଙ୍କର ଆରାଧନା କଲାବେଳେ ପିଲାମାନେ ଗାଇଉଠିଥାନ୍ତି ‘ସରସ୍ବତୀ ମା’ କଣ୍ଠରେ ଥା, ବିଦ୍ୟା ନ ଆସିଲେ କହିଦେଉଥା।’ ସବୁ ପ୍ରାଣୀଙ୍କ ମଧ୍ୟରେ ଶ୍ରେଷ୍ଠ ପ୍ରାଣୀ ମନୁଷ୍ୟ ପ୍ରତି ବାଗ୍‌ଦେବୀଙ୍କର ଅସୀମ କରୁଣା ରହିଛି । ତେବେ ଏହି କରୁଣାର ଉପଯୋଗ ଆମେ କିପରି କରୁଛେ ତାହା ଚିନ୍ତା କରିବା ଜରୁରୀ। ପଦିଏ ମଧୁର କଥା ଅନ୍ୟର କ୍ଳେଶ ହରଣ କରିଦେଉଥିବାବେଳେ ସେହି ପଦିଏ କଥା ଅନ୍ୟ ମନକୁ ବିଷାଦ୍‌ମୟ କରିପାରେ। ଏହି କଥାରୁ ହିଁ ସୃଷ୍ଟିହେଉଛି ଯାବତୀୟ କଳି ତକରାଳ। ଏଣୁ ସନ୍ଥମାନେ କହିଯାଇଛନ୍ତି, ‘ବିନୟ ମଧୁର ବଚନ, କହି ତୋଷିବ ପ୍ରାଣୀମନ।’ ତେବେ ମଧୁର କଥା ସତ୍ୟ ଉପରେ ଆଧାରିତ ହୋଇଥିଲେ ତାହା ପ୍ରଭାବଶାଳୀ ହୋଇଥାଏ। ଏଣୁ ବିଜ୍ଞ, ସାଧୁସନ୍ଥମାନେ କଥାର ଅପବ୍ୟବହାର କରି ନ ଥାନ୍ତି, ଯାହା କହିଥାଆନ୍ତି ସତ୍ୟ ଉପରେ ଆଧାରିତ ହୋଇଥାଏ। ନିଜର ଶବ୍ଦ ଉପରେ ଏମାନେ ଏପରି ସିଦ୍ଧିପ୍ରାପ୍ତ କରିଥାନ୍ତି ଯେ, ଯାହା କହନ୍ତି ତାହା ଫଳବତୀ ହୋଇଯାଏ, ଯାହାକୁ କୁହାଯାଏ ଆଶୀର୍ବଚନ। ଶାସ୍ତ୍ରରେ ଶବ୍ଦକୁ ବ୍ରହ୍ମ ସହ ତୁଳନା କରାଯାଇଛି, ଯାହାର ଅଧିଷ୍ଠାତ୍ରୀ ହେଉଛନ୍ତି ମା’ ସରସ୍ବତୀ। ଏଣୁ ମା’ କଳାନିପୁଣା। ସବୁ କଳାକାର ମା’ଙ୍କୁ ଆରାଧନା କରି କଳା ସାଧନା କରିଥାନ୍ତି। ମା’ ସନ୍ତୁଷ୍ଟ ହେଲେ କଳାକାରର ସାଧନା ସିଦ୍ଧ ହୋଇଥାଏ। ଏହି କ୍ରମରେ ଆମ ଓଡ଼ିଶାର ଝଙ୍କଡ଼ ଶାରଳା ପୀଠ କଳାକାରଙ୍କ ତୀର୍ଥକ୍ଷେତ୍ର ଭାବେ ପରିଚିତ।
ମା’ସରସ୍ବତୀ ସକଳ ବିଦ୍ୟାର ଅଧିଷ୍ଠାତ୍ରୀ ଦେବୀ। ଗାୟତ୍ରୀ ରହସ୍ୟୋପନିଷଦରେ ବର୍ଣ୍ଣିତ ଅଛି – ସରସ୍ବତ୍ୟାଃ ସର୍ବେ ବେଦା ଅଭବନ୍‌ -ସରସ୍ବତୀଙ୍କ ପାଖରୁ ସମସ୍ତ ବେଦ ସୃଷ୍ଟି। ମା’ ସରସ୍ବତୀଙ୍କର ବହୁ ନାମ ରହିଛି- ବାକ୍‌, ବାକ୍ୟେଶ୍ୱରୀ, ଭାରତୀ, ବାଣୀ ଇତ୍ୟାଦି। ମା’ ଶୁକ୍ଳବର୍ଣ୍ଣା, ଶ୍ୱେତବସନା, କମଳବାସିନୀ, ହଂସବିହାରିଣୀ, ହସ୍ତରେ ବୀଣା, ଗଳାରେ ମୁକ୍ତାର ମାଳ ଓ କୋଳରେ ପୁସ୍ତକ ଶୋଭିତ। ଏହାର ତାତ୍ପର୍ଯ୍ୟ କ’ଣ? ସରସ୍ବତୀ ଶବ୍ଦର ଅର୍ଥ- ସରସ୍‌ + ବତୀ, ସରସ ମାନେ ଜଳ, ତେଣୁ ମା’ ସରସ୍ବତୀ ହେଲେ ଜଳବତୀ। ସୃ ଧାତୁର ଅନ୍ୟ ଏକ ଅର୍ଥ ହେଉଛି ବିକଶିତ ହେବା। ତେଣୁ ସରସ୍ବତୀ ଶବ୍ଦରେ ବିକାଶର ବ୍ୟାକୁଳତା ରହିଛି। ମା’ ସରସ୍ବତୀଙ୍କର ଅନ୍ୟ ଏକ ନାମ ବାଗ୍‌ଦେବୀ। ବାକ୍‌ ମାନେ ଶବ୍ଦ। ମା’ ସରସ୍ବତୀ ଶବ୍ଦର ଦେବୀ। ସରସ୍ବତୀ ପ୍ରତିମା ମଧ୍ୟରେ ସୃଜନ ପ୍ରଗତିକୁ ଲକ୍ଷ୍ୟ କରାଯାଏ। ଶ୍ରୀମଦ୍‌ ଭାଗବତରେ ଅଛି- ଆଦିରେ ପରମ୍‌ବ୍ରହ୍ମ ଶବ୍ଦରୂପୀ। ତାଙ୍କୁ ଉପଲବ୍ଧି କରିବାକୁ ହେଲେ ଶବ୍ଦର ଉପାସନା କରିବାକୁ ହେବ। ମା’ ସରସ୍ବତୀ ପୂଜା ସେହି ଶବ୍ଦ ଉପାସନାର ବ୍ୟାପାର।
ମା’ ସରସ୍ବତୀଙ୍କର ଚରଣଯୁଗଳ ପଦ୍ମ ଉପରେ ନ୍ୟସ୍ତ ଓ ପଦ୍ମ ପାଣିରେ ଫୁଟିଛି। ମନୁ ସଂହିତାରେ ଅଛି – ଅବ୍ୟକ୍ତ ଈଶ୍ୱର ଯେତେବେଳେ ଜୀବଜଗତ ସୃଷ୍ଟି କରିବାକୁ ଇଚ୍ଛା କଲେ ସେ ପ୍ରଥମେ ପାଣି ବା ଜଳ ସୃଷ୍ଟିକଲେ, ପୁଣି ପଞ୍ଚମହାଭୂତ ଅର୍ଥାତ୍‌ କ୍ଷିତି, ଆପ୍‌, ତେଜ, ମରୁତ୍‌ ଓ ବ୍ୟୋମ ଭିତରେ ପ୍ରଥମ ଘନୀଭୂତ ରୂପ ହେଉଛି ଜଳ। ଅନ୍ୟସବୁ ହେଉଛି ବାୟବୀୟ ବା ବାଷ୍ପୀୟ ଅବସ୍ଥା। ଘନୀଭୂତର ପ୍ରଥମ ଭୂତ ହିଁ ହେଲା ପାଣି। ଏହାକୁ ଆଶ୍ରୟ କରି ହିଁ ସୃଷ୍ଟି ବିକଶିତ ବା ବିବର୍ଦ୍ଧିତ। ଏହି ଗତି ଓ ସ୍ଥିତି ସୃଷ୍ଟିର ସବୁକିଛି ମଧ୍ୟରେ ଅନ୍ତଃସୂତ୍ୟ ଓ ଏହା ଆଗେଇଚାଲିଛି ପ୍ରାପ୍ତିର ଦିଗରେ। ମା’ ସରସ୍ବତୀ ହଂସାସୀନା, ହଂସ ଅର୍ଥ- ଅହଂ ସଃ ଅର୍ଥାତ୍‌ ମୁଁ ହିଁ ସିଏ, ଯିଏ ସର୍ବଜ୍ଞାନର ଅଧିଶ୍ୱରୀ। ପ୍ରତିଟି ମନୁଷ୍ୟ ତାଙ୍କୁ ବହନକରି ଚାଲନ୍ତୁ, ଏହା ହଂସରୂଢ଼ା ଦେବୀଙ୍କର ତାତ୍ପର୍ଯ୍ୟ। ବିଦ୍ୟାଚର୍ଚ୍ଚା, ମନକୁ ଉଦାର ଓ ପରାର୍ଥପର କରିବା, ସହନ-ଧାରଣ ଓ ବହନ ଶକ୍ତିର ବୃଦ୍ଧି ଏବଂ ହୀନତା-ସଂକୀର୍ଣ୍ଣତା-ସ୍ବାର୍ଥପରତା ଓ ଅଶ୍ଳୀଳତାର ବିଲୋପ- ଏହା ହିଁ ହେଉଛି ଦେବୀଙ୍କର ହଂସବିହାରିଣୀର ତାତ୍ପର୍ଯ୍ୟ।
ହଂସ ହେଲା କଳନାଦୀ ବା କଳକଣ୍ଠ। କଲ୍‌ ଧାତୁ ଅର୍ଥ ଗତି ଓ ଶବ୍ଦ। ହଂସରୂପୀ ପ୍ରତିଟି ବ୍ୟକ୍ତିସା ହିଁ ଶବ୍ଦବ୍ରହ୍ମରୁ ଉଦ୍‌ଭୂତ, ଆଉ ସୃଷ୍ଟିର ପ୍ରତିଟି ଅଣୁ ପରମାଣୁ ମଧ୍ୟରେ ରହିଛି ଏହି ଗତି ବା ଚଳମାନତା। ଗତି ଓ ଶବ୍ଦ ହଂସ ମଧ୍ୟରେ ନିତ୍ୟ ଅବସ୍ଥିତ। ମା’ଙ୍କ କୋଳରେ ପୂଜା ପାଏ ବହି। ମା’ ହେଉଛନ୍ତି ବିଦ୍ୟାଦେବୀ, ତାଙ୍କ ପାଖରେ ଅଛି ସୃଜନ ପ୍ରଗତି ଓ ଏହି ସୃଷ୍ଟି ହିଁ ଆଦିବ୍ରହ୍ମ। ବିଦ୍ୟା ଆସିଛି ବିଦ୍‌ ଧାତୁରୁ- ଅର୍ଥ ଜ୍ଞାନ, ବିଚାର, ଅସ୍ତିତ୍ୱ ଓ ପ୍ରାପ୍ତି। ପ୍ରକୃତ ବିଦ୍ୟାଲାଭ ହେଲେ ଜ୍ଞାନ, ଅସ୍ତିତ୍ୱ, ବିଚାରଶକ୍ତି ଓ ପ୍ରାପ୍ତି ଲାଭହୁଏ।
ମୋ:୯୯୩୭୧୭୨୮୧୦


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଭାରତୀୟ ସ୍ଥଳସେନାରେ ୨୧ ବର୍ଷ ସେବା କରି କଲୋନେଲ ସୁବାସ ଦେଶଓ୍ବାଲ ଅବସର ନେବା ପରେ ଜଣେ ଚାଷୀ ଭାବେ ଜୀବନ କାଟୁଛନ୍ତି। ସେ ଗାଜର ଚାଷ…

ଆର୍ଟେମିସ୍‌-୨ ମିଶନ ସ୍ପେଶାଲିଷ୍ଟ

ମେରିକାର ନ୍ୟାଶନାଲ ଏରୋନଟିକ୍ସ ଆଣ୍ଡ୍‌ ସ୍ପେସ୍‌ ଆଡ୍‌ମିନିଷ୍ଟ୍ରେଶନ (ନାସା)ର ଆର୍ଟେମିସ୍‌-୨ ମିଶନରେ ଚନ୍ଦ୍ର ଅଭିଯାନରେ ଯାଇଥିବା ୪ ମହାକାଶଚାରୀ ୧୦ ଏପ୍ରିଲରେ ପ୍ରତ୍ୟାବର୍ତ୍ତନ କରିଛନ୍ତି। ପୃଥବୀର ଏକମାତ୍ର…

ସୃଷ୍ଟି-ସୂତ୍ରଧର ହିଁ ‘ଭଗବାନ’

ବାଇବେଲ ଗ୍ରନ୍ଥ ଅନ୍ତର୍ଗତ ‘ଜେନେସିସ୍‌ ୧’ର ଶ୍ଲୋକ ୨୬ରେ ଅଛି ”ଭଗବାନ ତାଙ୍କ ରୂପରେ ମଣିଷ ସୃଷ୍ଟି କରିଛନ୍ତି“, ଶ୍ଲୋକ ୨୭ ପୁନରାବୃତ୍ତି କରି କହିଛି, ”ଭଗବାନ…

ଏତେ ପ୍ରୀତି କାହିଁକି

ଆମେ ଅନ୍ତର୍ଜାତୀୟ ମଧ୍ୟସ୍ଥତା ଧାରଣାକୁ ଘୃଣାଜନକ ମନେକରୁ। ଏହା କାହିଁକି କରୁଛୁ ସେ ବିଷୟରେ ମୋ ପାଖରେ ତଥ୍ୟ ନାହିଁ। ତେବେ ଆମେ ଜାଣୁ ଯେ ଯେଉଁମାନଙ୍କ…

ମୃତ୍ୟୁର ମିତ୍ର ଓ ଶାନ୍ତିର ସନ୍‌ମାର୍ଗ

ଆଧୁନିକ ଆମେରିକାର ଜନକ ବୋଲି କୁହାଯାଉଥିବା ବିଶିଷ୍ଟ ଲେଖକ, ଦାର୍ଶନିକ, ବୈଜ୍ଞାନିକ ତଥା ରାଷ୍ଟ୍ରନୀତିଜ୍ଞ ବେଞ୍ଜାମିନ ଫ୍ରାଙ୍କ୍‌ଲିନ କହୁଥିଲେ- ”ଦୁନିଆରେ କିଏ କେଉଁଠି କେବେ ଗୋଟେ ଭଲ…

ମହାତ୍ମା ଜ୍ୟୋତିରାଓ ଫୁଲେ: ଭାରତର ମାର୍ଗଦର୍ଶନ କରୁଥିବା ଏକ ଆଲୋକବର୍ତ୍ତିକା

ଆଜି ୧୧ ଏପ୍ରିଲ। ଆମ ସମସ୍ତଙ୍କ ପାଇଁ ଅତି ସ୍ବତନ୍ତ୍ର ଦିନ। ଆଜି ହେଉଛି ଭାରତର ମହାନ୍‌ ସମାଜ ସଂସ୍କାରକ ତଥା ଅନେକ ପିଢ଼ି ପାଇଁ ମାର୍ଗଦର୍ଶକ…

ଅଧିକାରୀ ଅଭାବ

ମଧ୍ୟପ୍ରଦେଶରେ ଅନୁମୋଦିତ ସଂଖ୍ୟା ତୁଳନାରେ ୧୫୦ରୁ ଅଧିକ ଆଇଏଏସ୍‌ ଅଧିକାରୀଙ୍କ ଅଭାବ ରହିଛି। ଏହା ଏକ ସାମାନ୍ୟ ବ୍ୟବଧାନ ନୁହେଁ ବରଂ ଏକ ବ୍ୟବସ୍ଥାଗତ ଅଭାବକୁ ଇଙ୍ଗିତ…

ଏଇ ଭାରତରେ

ପଶ୍ଚିମବଙ୍ଗ ସୁନ୍ଦରବନର ବହୁ ଅଞ୍ଚଳର ଜମିକୁ ଲୁଣାପାଣି ଚାଷ ଅନୁପଯୋଗୀ କରିଦେଇଥିଲା। ହେଲେ ଏବେ ସେଠାରେ ୧୫୦୦ କୃଷକ ସେହି ଜମିରେ ୧୯୨ କିସମର ଧାନ ଚାଷକରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri