ଜନ୍ମଦିନରେ ବ୍ୟାଡ୍‌ମିଣ୍ଟନ ଷ୍ଟାର୍‌ ଜ୍ୱାଲାଙ୍କୁ ନିର୍ବନ୍ଧ ମୁଦି ପିନ୍ଧାଇଲେ ଏହି ଅଭିନେତା

ନୂଆଦିଲ୍ଲୀ, ୭।୯: ଭାରତର ବ୍ୟାଡ୍‌ମିଣ୍ଟନ ଷ୍ଟାର୍‌ ଜ୍ୱାଲା ଗୁଟ୍ଟା ନିଜର ୩୭ତମ ଜନ୍ମଦିନ ଅବସରରେ ତାଙ୍କର ପ୍ରଶଂସକଙ୍କୁ ଜବରଦସ୍ତ ସର୍‌ପ୍ରାଇଜ ଦେଇଛନ୍ତି। ଦକ୍ଷିଣ ଭାରତୀୟ ଫିଲ୍ମ ଇଣ୍ଡଷ୍ଟ୍ରିର ସୁପର୍‌ ଷ୍ଟାର୍‌ ବିଷ୍ଣୁ ବିଶାଳଙ୍କ ସହ ଜ୍ୱାଲାଙ୍କ ନିର୍ବନ୍ଧ ଅନୁଷ୍ଠିତ ହୋଇଯାଇଛି। ଫଳରେ ସୋମବାର ଜନ୍ମଦିନ ପାଳନ କରିବା ସହ ଜ୍ୱାଲା ଏହି ଦିନକୁ ଆହୁରି ସ୍ମରଣୀୟ କରିପାରିଛନ୍ତି। ଜ୍ୱାଲାଙ୍କ ଜନ୍ମଦିନ ଅବସରରେ ବିଷ୍ଣୁ ତାଙ୍କୁ ନିର୍ବନ୍ଧ ମୁଦି ପିନ୍ଧାଇଛନ୍ତି। ଯାହାର ଫଟୋ ଉଭୟ ନିଜର ନିଜର ଟୁଇଟର୍‌ ଆକାଉଣ୍ଟରେ ପୋଷ୍ଟ କରିଛନ୍ତି। ଜ୍ୱାଲା-ବିଷ୍ଣୁଙ୍କ ନିର୍ବନ୍ଧ ଫଟୋ ଏବେ ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛି।


ବ୍ୟାଡ୍‌ମିଣ୍ଟନ କୁଇନ୍‌ ଭାବେ ପରିଚିତ ଜ୍ୱାଲା ମହାରାଷ୍ଟ୍ରର ଓ୍ବାର୍ଦ୍ଧା ଜିଲାରେ ୧୯୮୩ରେ ଜନ୍ମ ଗ୍ରହଣ କରିଥିଲେ। ସେ ୧୯୯୦ରୁ ଜାତୀୟ ଦଳ ପକ୍ଷରୁ ବ୍ୟାଡ୍‌ମିଣ୍ଟନରେ ପ୍ରତିନିଧିତ୍ୱ କରିଆସୁଛନ୍ତି। ଅଶ୍ୱିନୀ ପୋନ୍ନାପା ତାଙ୍କର ସଫଳ ବ୍ୟାଡ୍‌ମିଣ୍ଟନ ଯୋଡ଼ିଦାର ରହିଥିଲେ। ୨୦୧୫ରେ ଉଭୟ ଜ୍ୱାଲା-ଅଶ୍ୱିନୀ ଯୋଡ଼ି କ୍ୟାରିୟରର ଶ୍ରେଷ୍ଠ ମାନ୍ୟତା ପାଇଥିଲେ। ଜ୍ୱାଲା ତାଙ୍କ କ୍ୟାରିୟର ସମୟରେ ସାଥୀ ଖେଳାଳି ଚେତନ ଆନନ୍ଦଙ୍କୁ ୨୦୦୫ରେ ବିବାହ କରିଥିଲେ। କିନ୍ତୁ ଏହି କ୍ରୀଡ଼ା ଦମ୍ପତ୍ତିଙ୍କ ବୈବାହିକ ଜୀବନ ବେଶି ଦିନ ତିଷ୍ଠି ପାରି ନ ଥିଲା। ୨୦୧୧ରେ ପରସ୍ପରକୁ ଛାଡ଼ପତ୍ର ଦେଇଥିଲେ।


ବିଷ୍ଣୁ ମଧ୍ୟ ପୂର୍ବରୁ ବିବାହିତ। ୨୦୧୦ରେ ସେ ରଜନୀ ନଟରାଜଙ୍କୁ ବିବାହ କରିଥିଲେ। ସେମାନଙ୍କ ଆର୍ଯ୍ୟ ନାମକ ଏକ ପୁତ୍ର ସନ୍ତାନ ରହିଛି। ୨୦୧୮ରେ ବିଷ୍ଣୁ-ରଜନୀଙ୍କ ମଧ୍ୟରେ ବିବାହ ବିଚ୍ଛେଦ ହୋଇଥିଲା। ଦୁଇବର୍ଷ ତଳେ ଉଭୟ ଜ୍ୱାଲା ଓ ବିଷ୍ଣୁ ସେମାନଙ୍କ ସମ୍ପର୍କକୁ ନେଇ ସ୍ପଷ୍ଟ କରିଥିଲେ। ଏଠାରେ ଉଲ୍ଲେଖଯୋଗ୍ୟ, ୨୦୧୨ ଓ ୨୦୧୬ ଅଲିମ୍ପକରେ ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରଇଥିବା ଜ୍ୱାଲା ଅର୍ଜୁନ ପୁରସ୍କାର ଲାଭ କରିଛନ୍ତି।

Share