ରାଜ୍ୟ ତାଲିକା ଆଧାରରେ ପଛୁଆବର୍ଗକୁ ସଂରକ୍ଷଣ ମିଳୁ: ଧର୍ମେନ୍ଦ୍ର

ଭୁବନେଶ୍ୱର, ୧୨ା୮(ବ୍ୟୁରୋ): କେନ୍ଦ୍ର ସରକାର ପଛୁଆବର୍ଗଙ୍କ ପାଇଁ ଚାକିରି ଓ ଶିକ୍ଷାକ୍ଷେତ୍ରରେ ୨୭% ସଂରକ୍ଷଣ ବ୍ୟବସ୍ଥା କରିଛନ୍ତି। ଓଡ଼ିଶାରେ ସରକାର ଏହି ବର୍ଗଙ୍କ ପାଇଁ ସ୍ଥାନ ସଂରକ୍ଷଣ ନ ଦେଇ ୫୦%ରୁ ଅଧିକ ସ୍ଥାନ ଦାବି କରିବା ଅମୂଳକ। ଓଡ଼ିଶା ଏକମାତ୍ର ରାଜ୍ୟ ଭାବେ ରାଜ୍ୟ ତାଲିକା ଆଧାରରେ ପଛୁଆବର୍ଗଙ୍କୁ ସଂରକ୍ଷଣ ଦେଇନାହିଁ। ତେଣୁ ଓଡ଼ିଶା ସରକାର ରାଜ୍ୟ ତାଲିକା ଆଧାରରେ ସେମାନଙ୍କୁ ସଂରକ୍ଷଣ ଦିଅନ୍ତୁ ବୋଲି ରାଜ୍ୟ ସଭାରେ ୧୨୭ ତମ ସଂଶୋଧନ ବିଧେୟକ ଆଲୋଚନାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ଧର୍ମେନ୍ଦ୍ର କହିଛନ୍ତି, ରାଜ୍ୟ ସରକାର ଓବିସି ଓ ଏସ୍‌ଇବିସିଙ୍କୁ ୨୭% ସଂରକ୍ଷଣ ଦେବା ପାଇଁ ନିଷ୍ପତ୍ତି ନେଇଥିଲେ। ପରବର୍ତ୍ତୀ ପର୍ଯ୍ୟାୟରେ ହାଇକୋର୍ଟରେ ଏହା ବିରୋଧରେ ଏକ ମାମଲା ଦାଏର ହୋଇଥିଲା। ହାଇକୋର୍ଟ ଏହା ଉପରେ ରହିତାଦେଶ ଜାରି କରିଥିଲେ। ହାଇକୋର୍ଟଙ୍କ ରହିତାଦେଶ ବିରୋଧରେ ସୁପ୍ରିମକୋର୍ଟ ଯିବା ପାଇଁ ରାଜ୍ୟ ସରକାରଙ୍କୁ କିଏ ମନା କରିଥିଲା ବୋଲି ଧର୍ମେନ୍ଦ୍ର ପ୍ରଶ୍ନ କରିଛନ୍ତି।