୨ କାନ୍ଥ ମଝିରେ ଶିଶୁକନ୍ୟା: ୨ଘଣ୍ଟା ପରେ ଉଦ୍ଧାର

ଚୌଦ୍ୱାର, ୩୦ା୧୦(ଡି.ଏନ୍‌.ଏ.): କଟକ ଜିଲା ଚୌଦ୍ୱାର ଥାନା ଅଧୀନ ତଳ ବଜାର ଅଞ୍ଚଳରେ ଶନିବାର ଏକ ଅଭାବନୀୟ ଘଟଣା ଘଟିଛି। ଅପରାହ୍ନ ୫ଟାରେ ଉକ୍ତ ଅଞ୍ଚଳର ଅମରେଶ ସାହୁଙ୍କ ସ୍ତ୍ରୀ ପୂଜା ଓ ତାଙ୍କ ଅଢ଼େଇ ବର୍ଷର ଝିଅ ସାଇପ୍ରିୟା ସହିତ ଘରର ଏକ ମହଲା ଛାତ ଉପରକୁ ଯାଇଥିଲେ। ସେ କୌଣସି କାର୍ଯ୍ୟରେ ବ୍ୟସ୍ତ ଥିବାବେଳେ ସାଇପ୍ରିୟା ଛାତ ଧାରକୁ ଚାଲି ଯାଇଥିଲେ। ଅସାବଧାନତା ବଶତଃ ଗୋଡ଼ ଖସିଯିବାରୁ ସାଇପ୍ରିୟା ୧୧ଫୁଟ ତଳକୁ ଖସିପଡି ଅମରେଶଙ୍କ କୋଠା ଓ ପଡ଼ୋଶୀଙ୍କ କୋଠା ମଝିରେ ଥିବା ୬ଇଞ୍ଚର ଫାଙ୍କରେ ଅଟକି ରହିଥିଲେ। ପରେ ଅମରେଶଙ୍କ ପରିବାର ଓ ସ୍ଥାନୀୟ ଲୋକେ ସାଇପ୍ରିୟାଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରି ବିଫଳ ହୋଇଥିଲେ। ଖବରପାଇ ଚୌଦ୍ୱାର ଅଗ୍ନିଶମ କର୍ମଚାରୀ ପହଞ୍ଚି ଡ୍ରିଲ୍‌ ମେଶିନ ସାହାଯ୍ୟରେ ଘରର ତଳପାର୍ଶ୍ୱ କାନ୍ଥ କଣାକରି ସାଇପ୍ରିୟାଙ୍କୁ ଉଦ୍ଧାର କରିଥିଲେ। ପ୍ରାୟ ୨ ଘଣ୍ଟା ଧରି ସେ କାନ୍ଥ ମଝିରେ ଚାପି ହୋଇ ରହିବାରୁ ଚିକିତ୍ସାଲାଗି ତାଙ୍କୁ ସ୍ଥାନୀୟ ଏକ ଘରୋଇ ହସ୍ପିଟାଲ ପରେ ଏସ୍‌ସିବି ମେଡିକାଲ କଲେଜ ଆଣ୍ଡ୍‌ ହସ୍ପିଟାକୁ ସ୍ଥାନାନ୍ତର କରାଯାଥିଲା।