
ଆମ ସମାଜରେ ପୁଅ ଏବଂ ଝିଅ ମଧ୍ୟରେ ଅନେକ ଭେଦଭାବ ରହିଛି। ଅନେକ ଲୋକ ଅଛନ୍ତି, ଯେଉଁମାନେ ଘରେ କେବଳ ପୁତ୍ର ସନ୍ତାନ ହେଉ ବୋଲି ଚାହିଁଥାନ୍ତି। ହେଲେ ମଧ୍ୟପ୍ରଦେଶର ଗ୍ବାଲିୟରର ସଲମାନ ନାମକ ଜଣେ ସେଲୁନ ମାଲିକଙ୍କ ଘରେ ଝିଅ ଜନ୍ମ ହେଲା। ଏହି ଖୁସିକୁ ସେ ଭିନ୍ନ ଢଙ୍ଗରେ ପାଳନ କଲେ। ଗ୍ବାଲିଅରରେ ଥିବା ତାଙ୍କର ୩ଟି ସେଲୁନରେ ସେ ଲୋକଙ୍କୁ ମାଗଣା ସେବା ପ୍ରଦାନ କଲେ। ଏ ନେଇ ସୋସିଆଲ ମିଡିଆରେ ସଲମାନଙ୍କର ଖୁବ୍ ପ୍ରଶଂସା କରାଯାଉଛି।
ଯେତେବେଳେ ଲୋକମାନେ ଏହାକୁ ସୋସିଆଲ ମିଡିଆରେ ଭାଇରାଲ କରିଥିଲେ ସେତେବେଳେ ସଲମାନଙ୍କର ୩ ଦୋକାନ (କୁମ୍ଭରପୁରା, ଶିବାଜୀ ନଗର, ଟାଲ ରୋଡ କବୀର କଲୋନୀ)ରେ ଲୋକଙ୍କ ଭିଡ ଜମିଥିବା ଦେଖିବାକୁ ମିଳିଥିଲା।
ଏ ନେଇ ସଲମାନ କୁହନ୍ତି, ଗତ ଡିସେମ୍ବର ୨୬ରେ ପ୍ରଥମ ସନ୍ତାନ ଭାବେ ତାଙ୍କର ଝିଅ ଜନ୍ମ ହୋଇଥିଲେ। ଏହା ପରେ ସେ ସ୍ଥିର କଲେ ଯେ, ସେ ନିଜ ଖୁସିକୁ ଏକ ନିଆରା ଢଙ୍ଗରେ ପାଳନ କରିବେ। ତା’ପରେ ସେ ନିଜର ୩ଟି ଦୋକାନରେ ମାଗଣା ସେବା ଦେଇଥିଲେ। ତାଙ୍କର କର୍ମଚାରୀମାନେ ୩ଟି ଦୋକାନରେ ଲଗାତାର ଭାବେ ୧୫ ଘଣ୍ଟା କାମ କରିଥିଲେ। ସେମାନେ ମାଗଣାରେ କେଶ ଏବଂ ଦାଢ଼ି କାଟିଥିଲେ ବୋଲି ସଲମାନ କହିଛନ୍ତି।